କରୋନା ସେବକମାନଙ୍କ ସମ୍ମାନରେ ମୁଖ୍ୟମନ୍ତ୍ରୀ ବଜାଇଲେ ଘଣ୍ଟ ଓ ତାଳି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମାଜର ସେବକମାନଙ୍କ ସମ୍ମାନରେ ଜନତା କର୍ଫ୍ୟୁ ଦିନ ସନ୍ଧ୍ୟା ୫ଟାରେ ସମସ୍ତେ ସେମାନଙ୍କ ଘର ସାମ୍ନା କିମ୍ବା ବାଲକୋନିରେ ଛିଡ଼ା ହୋଇ ୫ ମିନିଟ ପର୍ଯ୍ୟନ୍ତ ତାଳି ମାରି କିମ୍ବା ଘଣ୍ଟ ବଜାଇ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ସାଇରନ ବଜାଇ ସେମାନଙ୍କୁ ଧନ୍ୟବାଦ ଜଣାଇବା ଲାଗି ସ୍ଥାନୀୟ ପ୍ରଶାସନକୁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଯାହାକି ଆଜି ଦେଶର ସମସ୍ତ ସ୍ଥାନରେ ପାଳନ କରାଯାଇଛି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଣ୍ଟ ବଜାଇ ସମାଜର ସେବକମାନଙ୍କୁ ଜଣାଇଲେ ଧନ୍ୟବାଦ । ସେହିପରି ଲୋକସେବା ଭବନରେ ୫ଟି ସଚିବ ଭି. କେ ପଣ୍ଡିଆନ, ମୁଖ୍ୟ ସଚିବ ଅସିତ ତ୍ରିପାଠୀ, ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ, ରାଜ୍ୟ ସରକାରଙ୍କ ମୁଖପାତ୍ର(କରୋନା) ସୁବ୍ରତ ବାଗଚି, ଏନ.ଏଚ.ଏମ ନିର୍ଦ୍ଦେଶିକା ସାଳିନୀ ପଣ୍ଡିତ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କରତାଳି ସହ ଧନ୍ୟବାଦ ଜଣାଇଥିଲେ । ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଓ ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ସମାଜର ସେବକମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ, କୋଭିଡ-୧୯ ମହାମାରୀର ମୁକାବିଲା ଦିଗରେ ସ୍ୱାସ୍ଥ୍ୟ କର୍ମୀ, ପୁଲିସ, ସରକାରୀ କର୍ମଚାରୀ, ବିମାନ ବନ୍ଦର କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ବସ, ଟ୍ରେନ, ଅଟୋ ସେବାରେ ଥିବା କର୍ମୀ ଏବଂ ହୋମ ଡେଲିଭରି କରୁଥିବା କର୍ମଚାରୀମାନେ ନିଜ କର୍ତ୍ତବ୍ୟ ପ୍ରତିପାଦନ କରୁଛନ୍ତି । ତେଣୁ ସେମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ଜନତା କର୍ଫ୍ୟୁ ଦିନ ସନ୍ଧ୍ୟା ୫ଟାରେ ୫ ମିନିଟ ପାଇଁ ଘଣ୍ଟ, ଶଙ୍ଖ, ତାଳି ଓ ସାଇରନ ବଜାଇବା ।
ଦେଶର ଅନ୍ୟ ସହର ଗୁଡିକ ପରି ଭୁବନେଶ୍ୱର ସମେତ ବିଭିନ୍ନ ଅଞ୍ଚଳ, ସାହି ଓ ବସ୍ତି ଲୋକେ ବାହାରକୁ ଆସି ସେବକମାନଙ୍କୁ ସ୍ୱାଗତ କରିଥିବା ଦେଖିବାକୁ ମିଳିଥିଲା । ଏପରିକି ଛୋଟ ପିଲା ଓ ବୟସ୍କ ଲୋକ ମଧ୍ୟ ସେବକମାନଙ୍କୁ ଉତ୍ସାହିତ କରିଛନ୍ତି । ବିଶେଷ କରି ନେତା, ମନ୍ତ୍ରୀ, ପୁଲିସ ପ୍ରଶାସନ ଓ ପ୍ରଶାସନିକ ଅଧିକାରୀ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସେବକମାନଙ୍କୁ ଉତ୍ସାହିତ କରିଛନ୍ତି । ଆଜିର ଏ ଦୃଶ୍ୟତୁ ଏହା ସ୍ପଷ୍ଟ ହୋଇଛି ଯେ, ଦେଶ ତଥା ସମସ୍ତ ରାଜ୍ୟର ଜନତା ପୁରା ସଜାଗ ଅଛନ୍ତି ଏବଂ ସରକାର ନୀତିନିୟମକୁ ସଠିକ ଭାବେ ପାଳନ କରୁଛନ୍ତି ।