ଶ୍ରମିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର: ମନ୍ତ୍ରୀ ସୁଶାନ୍ତ ସିଂହ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସଂଗଠିତ ଓ ଅସଂଗଠିତ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ରାଜ୍ୟ ସରକାରଙ୍କ ପ୍ରାଥମିକତା । ରାଜ୍ୟ ସରକାର ଶ୍ରମିକଙ୍କ ସାମାଜିକ ସୁରକ୍ଷାକୁ ସୁଦୃଢ ଓ ସୁସଂଗଠିତ କରିବା ପାଇଁ ଏବଂ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲାଭ ସମୂହ ସଫଳ ଭାବରେ ଶ୍ରମିକମାନେ ଓ ସେମାନଙ୍କ ପରିବାରବର୍ଗଙ୍କ ପାଖରେ ପହଁଚାଇବା ପାଇଁ ବିଭିନ୍ନ ଶ୍ରମ ଆଇନର କାର୍ଯ୍ୟକାରୀ ହୋଇଥିବା ବେଳେ ତିନୋଟି ଶ୍ରମିକ କଲ୍ୟାଣ ବୋର୍ଡ ହୋଇଛି ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି ।
ପେନସନ ସପ୍ତାହ ଉପଲକ୍ଷେ ରାଜ୍ୟସ୍ତରୀୟ ସଚେତନତା ଶିବିରର ଉଦଘାଟନ କରି ଶ୍ରମ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ କାର୍ୟ୍ୟରତ ଲକ୍ଷ ଲକ୍ଷ ଅଣସଂଗଠିତ ଶ୍ରମିକଙ୍କ ସାମାଜିକ କଲ୍ୟାଣକୁ ଆଖି ଆଗରେ ରଖି ଓଡିଶା ଅଣସଂଗଠିତ ସମାଜିକ ସୁରକ୍ଷା କଲ୍ୟାଣ ବୋର୍ଡ ଗଠନ କରାଯାଇଛି । ଅଣସଂଗଠିତ ସାମାଜିକ ସୁରକ୍ଷା ନିୟମାବଳୀ ୨୦୧୦କୁ ସଂଶୋଧନ କରାଯାଇ ହିତାଧିକାରୀଙ୍କ ପଞ୍ଜିକରଣ ଦେୟ ୩୦ ଟଙ୍କା ଏବଂ ବାର୍ଷିକ ଦେୟ ୫୦ ଟଙ୍କାକୁ ସମ୍ପୁର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି । ପଞ୍ଜିକୃତ ଶ୍ରମିକଙ୍କ ନବୀକରଣକୁ ୧ବର୍ଷରୁ ୩୦ ବର୍ଷକୁ ବୃଦ୍ଧି କରାଯାଇଛି । ଅଣସଂଗଠିତ ସାମାଜିକ ସୁରକ୍ଷା ବୋର୍ଡ ତରଫରୁ ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା, ଦୁର୍ଘଟଣାଜନିତ ସହାୟତା ଓ ଚିକିତ୍ସା ସହାୟତା ଆଦି ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି ।
ଏହାବ୍ୟତିତ ନିର୍ମାଣ ଶ୍ରମିକମାନେ ଯେଉଁମାନେ ଅଣସଂଗଠିତ ଶ୍ରମିକ ତାଲିକାଭୁକ୍ତ ଅଟନ୍ତି, ସେମାନଙ୍କର କଲ୍ୟାଣ ପାଇଁ ରାଜ୍ୟ ସରକାର ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୨୯ ଲକ୍ଷ ହିତାଧିକାରୀଙ୍କୁ ପଞ୍ଜିକୃତ କରିଥିବା ବେଳେ ୧୭ଟି କଲ୍ୟାଣକାରୀ ଯୋଜନା ମାଧ୍ୟମରେ ୧୪୭୦ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଅଣସଂଗଠିତ ସାମାଜିକ ସୁରକ୍ଷା କଲ୍ୟାଣ ଆଇନ ୨୦୦୮ ଅନୁସାରେ କେନ୍ଦ୍ର ସରକାର ୨ ଟି ପେନସନ ଯୋଜନା – ଅଣସଂଗଠିତ ଶ୍ରମିକଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଓ ବ୍ୟବସାୟୀ ଓ ସ୍ବରୋଜଗାରୀଙ୍କ ପାଇଁ ଜାତୀୟ ପେନସନ ଯୋଜନା ପ୍ରଣୟନ କରିଛନ୍ତି । ଏଥିସହିତ ୬୦ ବର୍ଷ ବୟସ ପୂରା ହେବା ପରେ ଉକ୍ତ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ ମାସିକ ୩ ହଜାର ଟଙ୍କାର ପେନସନ ପାଇବାର ବ୍ୟବସ୍ଥା ଅଛି । ଏହା ନିଶ୍ଚିତ ରୂପେ ବାର୍ଦ୍ଧକ୍ୟ ସମୟରେ ଶ୍ରମିକଙ୍କ ସାମାଜିକ ନିରାପତ୍ତାର ସୁରକ୍ଷା ଦିଗରେ ସହାୟକ ହେବ ବୋଲି ସେ କହିଛନ୍ତି । ମାତ୍ର ୪୧ରୁ୬୦ ବର୍ଷ ବୟସର ଶ୍ରମିକମାନେ ଏହି ଯୋଜନାରୁ ବାଦ ପଡୁଥିବାର ଅଭିଯୋଗ ହସ୍ତଗତ ହୋଇଛି, ଯାହାକି ଆଗାମୀ ଦିନରେ ଆଲୋଚନା ଏବଂ ସଂଶୋଧନ ମାଧ୍ୟମରେ ସମାଧାନ ହୋଇପାରିବ । ଏହି ସଚେତନତା ଶିବିରରୁ ହିତାଧିକାରୀମାନେ ଲାଭ ଉଠାନ୍ତୁ ଏବଂ ଅଧିକରୁ ଅଧିକ ଅଣସଂଗଠିତ ଶ୍ରମିକ ଏହି ଯୋଜନାରେ ସାମିଲ ହୋଇ ନିଜର ସାମାଜିକ ସୁରକ୍ଷାକୁ ସୃଦୃଢ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।