୨୬ ଥର ଏଭରେଷ୍ଟ ଆରୋହଣ କରି ବିଶ୍ୱରେକର୍ଡ

0

କାଠମାଣ୍ଡୁ : ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟକୁ ମୋଟ ୨୬ ଥର ଆରୋହଣ କରି ନେପାଳୀ ପର୍ବତାରୋହୀ କାମି ରିଟା ଶେର୍ପା ବିଶ୍ୱରେକର୍ଡ ସୃଷ୍ଟି କରିଛନ୍ତି । ୫୨ ବର୍ଷୀୟ ଶେର୍ପା ଶନିବାର ଅନ୍ୟ ୧୦ ଜଣ ସାଥୀ ପର୍ବତାରୋହୀଙ୍କ ସହ ୮୮୪୮ ମିଟର ଉଚ୍ଚ ଏଭରେଷ୍ଟ ଆରୋହଣ କରିଥିବା ସମ୍ପର୍କରେ ନେପାଳ ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି। ୧୯୫୩ରେ ନ୍ୟୁଜିଲାଣ୍ଡର ସାର୍ ଏଡ୍ମଣ୍ଡ ହିଲାରୀ ଓ ନେପାଳର ତେନ୍ଜିଙ୍ଗ୍ ନର୍ଗେ ଯେଉଁ ରାସ୍ତା ଦେଇ ପ୍ରଥମେ ଏଭରେଷ୍ଟ ଆରୋହଣ କରିଥିଲେ, ସେହି ରାସ୍ତା ଏବେ ସବୁ ଏଭରେଷ୍ଟ ଆରୋହଣକାରୀଙ୍କ ପ୍ରଥମ ପସନ୍ଦ ପାଲଟିଛି ।

ଚଳିତବର୍ଷ ନେପାଳ ସରକାର ଏଭରେଷ୍ଟ ଆରୋହଣ ପାଇଁ ମୋଟ ୩୨୬ ଜଣ ପର୍ବତାରୋହୀଙ୍କୁ ଅନୁମତି ପ୍ରଦାନ କରିଛନ୍ତି । ତେବେ ଗତବର୍ଷ ରେକର୍ଡ ୪୦୮ ପର୍ବତାରୋହୀଙ୍କୁ ଏଭଳି ଅନୁମତି ମିଳିଥିଲା । ୧୯୫୩ ପରଠାରୁ ପର୍ବତାରୋହୀମାନେ ଏପର୍ଯ୍ୟନ୍ତ ମୋଟ ୧୦,୬୫୭ ଥର ଏଭରେଷ୍ଟ ଆରୋହଣ କରିସାରିଥିବାବେଳେ ୩୧୧ ପର୍ବତାରୋହୀ ଏଭଳି ଉଦ୍ୟମ କରି ପ୍ରାଣ ହରାଇସାରିଛନ୍ତି । ବିଦେଶୀ ମୁଦ୍ରା ଅର୍ଜନ କରିବା ଲାଳାସାରେ ନେପାଳ ସରକାର ସଂଖ୍ୟାଧିକ ପର୍ବତାରୋହୀଙ୍କୁ ଆରୋହଣ ଅନୁମତି ଦେଉଥିବାରୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ଏହାଦ୍ୱାରା ଏଭରେଷ୍ଟର ପରିବେଶ ଦୂଷିତ ହେବାସହିତ ପର୍ବତାରୋହୀଙ୍କୁ ଅଯଥାରେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଅଭିଯୋଗ ମଧ୍ୟ ହେଉଛି ।

Leave a comment