ହୁ ହୁ ହୋଇ ବଢୁଛି କରୋନା : ଭାରତରେ ଭୟଙ୍କର ସ୍ଥିତି, ସତର୍କ କଲା WHO

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତରେ ଅନ୍‌ଲକ୍‌ ହେବାସହ ଆଗକୁ ବିସ୍ପୋରକ ପରିସ୍ଥିତି ସୃଷ୍ଟି ହେବ ବୋଲି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)। ମାର୍ଚ୍ଚ ଶେଷ ଭାଗରେ ଜାରି କରାଯାଇଥିବା ଲକ୍‌ଡାଉନ୍‌କୁ ଧୀରେ ଧୀରେ ହଟାଯାଉଛି। ଦେଶରେ ସାମାଜିକ ଏବଂ ବ୍ୟବସାୟିକ ଗତିବିଧି ବଢ଼ିବାକୁ ଲାଗିଲାଣି ।

ଏଥିସହିତ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି। ଲକ୍‌ଡାଉନ୍‌କୁ ହଟାଇବା ଭାରତ ପାଇଁ ବିପଦପୂର୍ଣ୍ଣ ରହିପାରେ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବିଶେଷଜ୍ଞ ମାଇକେଲ ରିଆନ୍‌ । ରିଆନ୍‌ କହିଛନ୍ତି, ଭାରତରେ କରୋନା ମାମଲାରେ ଆଗକୁ ଭୟଙ୍କର ବୃଦ୍ଧି ଦେଖିବାକୁ ମିଳିବ । ଦେଶରେ କରୋନା ସ୍ଥିତି ଏବେ ବିସ୍ଫୋଟକ ନାହିଁ । କିନ୍ତୁ ଭାରତ ସରକାର ପର୍ଯ୍ୟାୟ କ୍ରମେ ଲକ୍‌ଡାଉନ୍‌କୁ ହଟାଇବା ପାଇଁ ବଢୁଥିବାରୁ ଆଗକୁ ସାଂଘାତିକ ଅବସ୍ଥା ହୋଇଯିବ ।

ଡବ୍ଲ୍ୟୁଏଚ୍‌ଓର ସ୍ୱାସ୍ଥ୍ୟ ଜରୁରି୍‌ ସ୍ଥିତି କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିବା ମାଇକେଲ ରିଆନ୍‌ କହିଛନ୍ତି ଯେ, ଆଉ ମାତ୍ର ୩ ସପ୍ତାହରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇ ଗୁଣ ହୋଇଯାଇପାରେ।ରିଆନ୍‌ କହିଛନ୍ତି, ଭାରତର ବିଭିନ୍ନ ପ୍ରାନ୍ତରେ ମହାମାରୀର ପ୍ରଭାବ ଭିନ୍ନ ଭିନ୍ନ ରହିଛି ଏବଂ ସହର ଓ ଗ୍ରାମୀଣ କ୍ଷେତ୍ର ମଧ୍ୟରେ ଅନ୍ତର ଅଛି । ଦକ୍ଷିଣ ଏସିଆରେ କେବଳ ଭାରତରେ ନୁହେଁ ବାଂଲାଦେଶ ଏବଂ ପାକିସ୍ତାନରେ ବି ମହାମାରୀର ରୂପ ବିସ୍ଫୋଟକ ହୋଇନାହିଁ । କିନ୍ତୁ ସରକାର ଭାବିଚିନ୍ତି ତଥା ସାବଧାନତାର ସହ ପଦକ୍ଷେପ ନ ନେଲେ ଏହି ବିପଦ ଆଗକୁ ମହାବିପତ୍ତି ପାଲଟିପାରେ ।

Leave a comment