ସୋଆରେ ବିଶ୍ୱ ପୃଥିବୀ ଦିବସ

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ରେ ଗତ ୨୨ତାରିଖରେ ‘ବିଶ୍ୱ ପୃଥିବୀ ଦିବସ’ ପାଳିତ ହୋଇଯାଇଛି । ଏହି ଦିବସରେ ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ସୋଆର ପୂର୍ବତନ କୁଳପତି ତଥା ଚିଫ୍ କନ୍ସଲଟାଣ୍ଟ ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତି ମୁଖ୍ୟବକ୍ତାଭାବେ ଯୋଗଦେଇ ତିନୋଟି ‘ପି’ ଅର୍ଥାତ୍ ‘ପିପୁଲ’, ‘ପ୍ରଫିଟ ଓ ‘ପ୍ଲାନେଟ’ର ସନ୍ତୁଳନ ହିଁ ପୃଥିବୀକୁ ଉଦ୍ଧାର କରିପାରିବ ବୋଲି କହିଥିଲେ ।

ପାରମ୍ପରିକ ବିକାଶର ଧାରା ବିନାଶ ଆଡ଼କୁ ଟାଣି ନେଇଛି । ସୀମାହୀନ ଚାହିଦାକୁ ପୂରଣ କରିବା ନିମନ୍ତେ ସମ୍ବେଦନହୀନ ଉତ୍ପାଦନ ପ୍ରକ୍ରିୟାକୁ ବ୍ୟବହାର କରିବା ଦ୍ୱାରା ଜଳ, ବାୟୁ ଓ ଖାଦ୍ୟ ପ୍ରଦୂଷିତ ହେଉଛି। ଯାହା ଦ୍ୱାରା ବିଭିନ୍ନ ପ୍ରକାରର ରୋଗ ଜନ୍ମ ନେବା ସହ ପ୍ରକୃତି ଉପରେ ଅନେକ ପ୍ରଭାବ ପଡ଼ୁଛି ବୋଲି ପ୍ରଫେସର ମହାନ୍ତିି କହିଥିଲେ । ଏହି କାର୍ଯ୍ୟକ୍ରମରେ ସୋଆ ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପୃଥିବୀରେ ବାସ କରୁଥିବା ପ୍ରତ୍ୟେକ ପ୍ରାଣୀ, ବିଭିନ୍ନ ପ୍ରଜାତିର ଉଦ୍ଭିଦ ଇତ୍ୟାଦିର ସୁରକ୍ଷା ଓ ସଂରକ୍ଷଣକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରମଙ୍ଗଳ ଡିନ୍ ଜ୍ୟୋତି ରଞ୍ଜନ ଦାସ, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ, ଜଏଣ୍ଟ ରେଜିଷ୍ଟ୍ରାର ପ୍ରଫେସର ଭୀଷ୍ମ ଚରଣ ଦାସ, ମୁଖ୍ୟ ପ୍ରଶାସନିକ ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ଭେଟନୋରୀ ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନାୟକ, ପ୍ରଫେସର ମଧୁବ୍ରତା ମହାନ୍ତି ଏବଂ ସୋଆ ଆଉଟ୍ରିଚ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନର ଫ୍ୟାକଲ୍ଟି ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave a comment