ବିନା ସୂଚନାରେ ଥାନା ପରିଦର୍ଶନ କଲେ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ‘ମୋ ସରକାର’ ଓ ୫-ଟି କାର୍ଯ୍ୟକାରିତା ପାଇଁ ଅଣ୍ଟା ଭିଡିଥିବା ରାଜ୍ୟ ପ୍ରଶାସନର ଅଧିକାରୀମାନେ ଏବେ ସେମାନଙ୍କ ଗସ୍ତକୁ ଅତ୍ୟନ୍ତ ଗୁପ୍ତ ରଖୁଛନ୍ତି । ସେହିପରି ସେମାନେ ଏକାଧିକ ସ୍ଥାନକୁ ମଧ୍ୟ ଯାଉଛନ୍ତି । ଏହା ଫଳରେ ଯେଉଁ ସ୍ଥାନକୁ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯାଉଛନ୍ତି ସେହି ଅଞ୍ଚଳର ଡାକ୍ତରଖାନା ଓ ଥାନା ଠାରୁ ଆରମ୍ଭକରି ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ଜାଗତିଆର ହେଉଛନ୍ତି । ଦୁଇଦିନ ପୂର୍ବରୁ ଶ୍ରୀ ପାଣ୍ଡିଆନଙ୍କ ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଓ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ସମ୍ବଲପୁର ଜିଲ୍ଲା ଗସ୍ତ କରିଥିଲେ ।
ଗସ୍ତ ସମୟରେ ମୁଖ୍ୟ ଚିକିତ୍ସାଳୟରେ ମୋ ସରକାର ଟିମ୍ ପହଞ୍ଚି ସେଠାକାର ସ୍ୱାସ୍ଥ୍ୟସେବା ଅନୁଧ୍ୟାନ କରିଥିଲେ । ତେବେ ପୂର୍ବରୁ ମୋ ସରକାର ଟିମ୍ କେବଳ ଯେଉଁ ଜିଲ୍ଲାକୁ ଯାଉଥିଲେ ସେଠାରେ ଡାକ୍ତରଖାନା ଓ ଆହାର କେନ୍ଦ୍ର ପରିଦର୍ଶନ କରୁଥିଲେ । ହେଲେ ଏଥର ସମ୍ବଲପୁର ଗସ୍ତ ସମୟରେ ପରିସ୍ଥିତି ଟିକେ ଭିନ୍ନ ଥିଲା । ସମ୍ବଲପୁର ଚିକିତ୍ସାଳୟ ପରିଦର୍ଶନ ସହିତ ହଠାତ୍ ଶ୍ରୀ ପାଣ୍ଡିଆନ ଅଇଁଠାପଲ୍ଲୀ ଥାନାରେ ପହଞ୍ଚିଥିଲେ । ଜିଲ୍ଲା ପୁଲିସ୍ ପ୍ରଶାସନ ଏଭଳି ଗସ୍ତ ସଂକ୍ରାନ୍ତରେ ପୂର୍ବରୁ ସାମାନ୍ୟ ସୁରାକ ବି ପାଇପାରି ନଥିଲେ ଥାନାଧିକାରୀ । ଥାନାରେ ୫-ଟି ସଚିବଙ୍କୁ ଦେଖି କର୍ମଚାରୀମାନେ ଅବାକ ହୋଇଯାଇଥିଲେ ।
ହେଲେ ସବୁଠାରୁ ଅଧିକ ଖୁସି ହୋଇଥିଲେ ଥାନାକୁ ଅଭିଯୋଗ କରିବାପାଇଁ ଆସିଥିବା ଲୋକେ ଓ ସ୍ଥାନୀୟ ଜନସାଧାରଣ । ଶ୍ରୀ ପାଣ୍ଡିଆନ ଥାନାକୁ ଆସୁଥିବା ଲୋକଙ୍କ ସୂଚନା ସଂଗ୍ରହ ସହିତ ସୋମନଙ୍କ ଫୋନ୍ ନମ୍ବର ଆଣି କଥାହୋଇଥିଲେ । ଥାନାକୁ ଆସିବାପରେ ସେମାନଙ୍କ ମାମଲା ରୁଜୁ ହୋଇଛି କି ନାହିଁ ଓ ଥାନାରେ କିଭଳି ବ୍ୟବହାର ମିଳିଛି ତାହା ଜାଣିବାକୁ ଚାହିଁଥିଲେ । ସମ୍ବଲପୁର ଗସ୍ତ କାଳରେ ମୋ ସରକାର ଟିମ୍ର ଏଭଳି ଅଚାନକ ଗସ୍ତ ଏବେ ନୂଆ ଅଧ୍ୟାୟ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଏକ ସାଙ୍ଗରେ ଡାକ୍ତରଖାନା ଓ ଥାନାରେ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପହଞ୍ଚିବାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ସାଧାରଣ ଲୋକେ କିନ୍ତୁ ଢେର ଖୁସି ।
ନିଜ ପାଖରେ ବରିଷ୍ଠ ପ୍ରଶାସକଙ୍କୁ ପାଇବା, ସେମାନଙ୍କ ସହିତ ଫୋନ୍ରେ କଥା ହେବା, ରୋଗୀଟିଏ ତାହାର ଦୁଃଖ ଜଣାଇବା ହୋଇଛି ସବୁଠାରୁ ବଡ କଥା । କାରଣ ସମ୍ବଲପୁର ହେଉ କିମ୍ବା ମାଲକାନଗିରି ରୋଗୀଟିଏ କେବେ ହେଲେ ଚିନ୍ତା କରିନଥିଲା ଯେ ଖୋଦ୍ ସ୍ୱାସ୍ଥ୍ୟ ସଚିବ ତାହା ଶଯ୍ୟା ପାଖରେ ଛିଡାହୋଇ ହାଲଚାଲ୍ ପଚାରିବେ । ଏସବୁ କେବଳ ସମ୍ଭବ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମ ଯୋଗୁଁ । ପ୍ରଥମ ପର୍ଯ୍ୟାୟରେ ଡାକ୍ତରଖାନା ଓ ଥାନାରେ ଲାଗୁ ହୋଇଥିବା କାର୍ଯ୍ୟକ୍ରମରୁ ଲୋକେ ଧିରେ ଧିରେ ସୁଫଳ ପାଇବା ଆରମ୍ଭ କରିଥିବାବେଳେ ଯେଭଳି କୌଣସି ଠାରେ ସେବାରେ ତ୍ରୁଟି ପରିଲକ୍ଷିତ ନହୁଏ ସେଥିପାଇଁ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ କ୍ଷେତ୍ରସ୍ତରକୁ ଗସ୍ତ କରିବାରେ ଲାଗିଛନ୍ତି ।
ତେବେ ସବୁଠାରୁ ବଡ କଥା ହେଉଛି ଏହି ଗସ୍ତ ଆଉ ଗୋଟିଏ ଦୁଇଟି ସ୍ଥାନରେ ସୀମିତ ନହୋଇ ଏକାଧିକ ସ୍ଥାନକ ବ୍ୟାପିବା ଯୋଗୁଁ ଲୋକେ ଅଧିକ ଖୁସି ହେବାରେ ଲାଗିଛନ୍ତି ।