୧୧ରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ, ଏମ୍.ପି ମାନଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ଡିସେମ୍ବର ୧୧ରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନରେ ଦଳୀୟ ରଣନୀତି ସଂକ୍ରାନ୍ତରେ ଆଲୋଚନା ନେଇ ରବିବାର ନବୀନ ନିବାସରେ ବିଜେଡି ସଂସଦୀୟ ଦଳ ବୈଠକ ବସିଥିଲା । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦଳୀୟ ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ବିଜେଡି ପକ୍ଷରୁ କେଉଁ ପ୍ରସଙ୍ଗ ଲୋକ ସଭା ଏବଂ ରାଜ୍ୟ ସଭାରେ ଉପସ୍ଥାପନ କରାଯିବ, ସେ ନେଇ ଆଲୋଚନା କରାଯାଇଥିଲା । ପାର୍ଲାମେଣ୍ଟ ଏବଂ ସମସ୍ତ ରାଜ୍ୟର ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ଉଦ୍ୟମ ଆରମ୍ଭ କରିଥିବା ବେଳେ ଏହି ପ୍ରସଙ୍ଗକୁ ପାର୍ଲାମେଣ୍ଟରେ ଦୃଢ଼ ଭାବରେ ଉପସ୍ଥାପନ କରିବା ଉପରେ ଦଳ ଗୁରୁତ୍ୱ ଦେବ ବୋଲି ନିଷ୍ପତ୍ତି ନିଆଯାଇଛି ।
ସେହିପରି ଦଳୀୟ ପ୍ରତିନିଧିମାନେ ସ୍ଥିରୀକୃତ ହୋଇଥିବା ବିଭିନ୍ନ ଦଳର ପ୍ରତିନିଧିଙ୍କୁ ଭେଟିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି ବୋଲି ଜଣାପଡିଛି । ସେହିପରି ପୋଲାଭରମ, ମହାନଦୀ ପ୍ରସଙ୍ଗ ଏବଂ ଏସ୍.ସି.ଏସ୍.ଟିି ଛାତ୍ରୀଛାତ୍ରଙ୍କ ଭତ୍ତା ଅନୁଦାନ ହ୍ରାସକୁ ପ୍ରସଙ୍ଗ କରି ବିଜେଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବ । ସେହିଭଳି ଓ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଭଳି ଦୀର୍ଘ ଦିନର ଦାବିକୁ ସଂସଦରେ ଉପସ୍ଥାପନ କରିବ ବିଜେଡ଼ି । ଏହାସହ ତିତଲୀ ବିପର୍ଯ୍ୟୟରେ କେନ୍ଦ୍ରୀୟ ସହାୟତା ନମିଳିବା ପ୍ରସଙ୍ଗ ମଧ୍ୟ ଉପସ୍ଥାପିତ କରାଯିବ ବୋଲି ସାଂସଦ ପ୍ରତାପ ଦେବ କହିଛନ୍ତି ।