ଜାଡ଼ରେ ଥରୁଛି ଓଡିଶା

0

ଜାଡ଼ରେ ଥରୁଛି ଓଡିଶା । ଖସୁଛି ପାରଦ, ବଢୁଛି ଜାଡ଼ । ଅସହ୍ୟ ଜାଡ଼ରେ ଥରହର ହେଉଛି ସାରା ଓଡ଼ିଶା । ସବୁଠି ହାଡଭଙ୍ଗା ଜାଡ଼ ଜନଜୀବନ ଅସ୍ତବ୍ୟସ୍ତ କରିପକାଉଛି । ଅଧିକାଂଶ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ପାଖାପାଖି ରହୁଛି । ଆଜି କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ସର୍ବନିମ୍ନ ରାତି ତାପମାତ୍ରା ୬.୫ ଡିଗ୍ରୀ ରେକର୍ଡ ହୋଇଛି ।

କିଛି କିଛି ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି । ବୌଦ୍ଧ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଆଚ୍ଛାଦିତ କରି ରଖୁଥିବା ବେଳେ ମଞ୍ଜଥରା ଜାଡ଼ ଲୋକଙ୍କୁ କଲବଲ କରୁଛି । ମଣିଷଠୁ ନେଇ ପଶୁପକ୍ଷୀ ଯାଏଁ ସମସ୍ତେ ଅହସ୍ୟ ଶୀତରେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି । ସକାଳେ ସନ୍ଧ୍ୟାରେ ଲୋକେ ଶୀତରୁ ରକ୍ଷା ପାଇବାକୁ ରାସ୍ତାକଡ଼ରେ ନିଆଁ ଜାଳି ବସୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ।

ଦକ୍ଷିଣ କେନ୍ଦ୍ରୀୟ ଉପକୂଳରେ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ । ଦକ୍ଷିଣ ଆଭ୍ୟନ୍ତରୀଣ ବିଶେଷ କରି ଛତିଶଗଡ଼ ଓ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ୨୧ ଓ ୨୨ ତାରିଖ, ଦୁଇ ଦିନ ଭିତରେ ରାତି ତାପମାତ୍ରା ୨ ଡିଗ୍ରୀ ବଢ଼ିବ । ଏହାର ପର ଦୁଇ ଦିନ ଅର୍ଥାତ୍ ୨୩ରୁ ୨୪ରେ ଅପରିବର୍ତ୍ତିତ ରହିବ । ସେହିଭଳି ଉତ୍ତର ପୂର୍ବ ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ୨୧, ୨୨ ଓ ୨୩ ତାରିଖ ଭିତରେ ତାପମାତ୍ରା ୩ ଡିଗ୍ରୀ ବଢ଼ିବ । ପରବର୍ତ୍ତୀ ଦୁଇ ଦିନ ଅପରିବର୍ତ୍ତିତ ରହିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ଗଞ୍ଜାମ, ଗଜପତି, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ଅନ୍ୟ ସ୍ଥାନ ତୁଳନାରେ ଥଣ୍ଡା କମ୍‌ ରହିବ । ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ମଧ୍ୟ ସମାନ ଆକଳନ କରିଛନ୍ତି । ପଶ୍ଚିମା ବାୟୁ ପ୍ରଭାବରେ ୨୦ରୁ ଶୀତ କ୍ରମଶଃ କମିପାରେ । ୨୨ରୁ ୨୪ ତାରିଖ ଯାଏ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ଅଛି ବୋଲି ସେ କହିଛନ୍ତି । ତେବେ ଆସନ୍ତା ୪ରୁ ୫ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Leave a comment