ପୋଲିସ ସଂଘର ସଙ୍ଗଠନ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ତ?

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ): ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ଅମାନବୀୟ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସର ସଙ୍ଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଯେଉଁଥିରେ ସେ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଛନ୍ତି ।

ସେ କହିଛନ୍ତି ମାମଲାର ତଦନ୍ତ ଚାଲିଥିବା ବେଳେ ପୋଲିସ କର୍ମଚାରୀଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଉ । ରାଜ୍ୟସରକାର ଓ ପୋଲିସ ଡିଜିଙ୍କୁ ନିବେଦନ ନିଲମ୍ବନ ପ୍ରତ୍ୟାହାର କରାଯାଉ । ତଦନ୍ତକୁ ଅପେକ୍ଷା କରାଯାଉ । ଏଭଳି କିଛି ବୟାନ ଦେଇଛନ୍ତି । ହେଲେ ଏହି ସାମ୍ବାଦିକ ସମ୍ମିଳନୀକୁ ସଂଘର ସଭାପତି, ସମ୍ପାଦକ କିମ୍ବା ଅନ୍ୟ କେହି ଆସିନଥିଲେ । ଏଠାରେ ପ୍ରଶ୍ନ ଉଠୁଛି ପୋଲିସ ଡିଜିଙ୍କ କାର୍ଯ୍ୟାନୁଷ୍ଠାନକୁ ଶ୍ରୀ ସାହୁ କିପରି ବିରୋଧ କରୁଛନ୍ତି?

ଏହିଭଳି ଏକ ସମାନ ଘଟଣାରେ ୨୦୧୯ରେ ସାମ୍ବାଦିକ ସମ୍ମିଳନୀ କରିବାରୁ ସଂଘ ସଭାପତି ସତ୍ୟଜିତ ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା । ହେଲେ ବିନା ଅନୁମତିରେ ଡିଜିଙ୍କ କାର୍ଯ୍ୟଧାରାକୁ ବିରୋଧ କରିଥିବା ଶ୍ରୀସାହୁଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ ତ? ପୋଲିସ ଡିଜି ତାଙ୍କୁ ତୁରନ୍ତ ନିଲମ୍ବନ କରିବା ଆବଶ୍ୟକ ବୋଲି ଚର୍ଚ୍ଚା ହେଉଛି ।

ଉଲ୍ଲେଖଥାଉ କି, ୨୦୧୯ ଜୁଲାଇ ୨୬ ତାରିଖରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ ଥିବା ଏକ ଢାବାରୁ ଜଣେ ଶିଶୁ ଶ୍ରମିକଙ୍କ ଝୁଲନ୍ତା ଶବ ମିଳିଲା । ପାରିପାଶ୍ୱିର୍କ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ବୋଲି ଜଣାପଡୁଥିଲା । ମାତ୍ର ନାବାଳକର ମୃତ୍ୟୁକୁ ନେଇ ଲୋକେ ସେଠାରେ ହୋହଲ୍ଲା କରିବା ସହ ଢାବା ମାଲିକଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଥାନା ଅଧିକାରୀ ପ୍ରଭୂକଲ୍ୟାଣ ଆଚାର୍ଯ୍ୟ ଏହା ଏକ ଆତ୍ମହତ୍ୟା ବୋଲି କହିଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ଲୋକେ ତାଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ପିଟିଥିଲେ । ଏହି ଘଟଣାକୁ ନେଇ ରାଜ୍ୟ ପୋଲିସ ଅଫିସର ସଂଘ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା ।

ସେହିମାସ ୨୮ ତାରିଖ ଦିନ ସଂଘ ସଭାପତି ସତ୍ୟଜିତ ମିଶ୍ର, ସମ୍ପାଦକ ଜ୍ୟୋତିରଂଜନ ସାମନ୍ତରାୟ, ସହ-ସମ୍ପାଦକ ଅରୁଣ ସାହୁ ଓ ଉମେଶ ଚନ୍ଦ୍ର ସାହୁ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ସେ ଦାବି କରିଥିଲେ ଯେ, ଡାକ୍ତରଙ୍କ ସୁରକ୍ଷା ଭଳି ସମସ୍ତ ସରକାରୀ କର୍ମଚାରୀଙ୍କ ଲାଗି ସୁରକ୍ଷା ବ୍ୟବସ୍ଥା ଗ୍ରହଣ ତଥା ୩୫୩ ଆଇପିସିକୁ ଆମେଣ୍ଟମେଣ୍ଟ କରାଯାଉ । ଏନେଇ ସଂଘ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଭେଟି ଏକ ଦାବି ପତ୍ର ଦେବ ବୋଲି ଘୋଷଣା କରିଥିଲା । ଏହାର ୩ଦିନ ପରେ ହଠାତ ସତ୍ୟଜିତ ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଗଲା । ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ମଧ୍ୟ କରାଗଲା । ଏହି ଘଟଣାରେ ତାଙ୍କ ସପକ୍ଷରେ କେହି ମୁହଁ ଖୋଲିନଥିଲେ । ତେବେ ଏହି ସମାନ ଘଟଣାରେ ପୋଲିସ ଡିଜି କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।

Leave a comment