କାହିଁକି ଭଗବାନ ଶିବଙ୍କର ପ୍ରିୟ ଭାଙ୍ଗ ଓ ଦୁଦୁରା ଫୁଲ

0

କୁହାଯାଏ ଭାଗବାନ ଶିବ ସମସ୍ତଙ୍କୁ ଡାକ ଶୁଣନ୍ତି | ଯିଏ ତାଙ୍କୁ ଶ୍ରଦ୍ଧାର ସହ ଭକ୍ତି କରେ ସେ ତାଙ୍କ ଡାକ ଶୁଣନ୍ତି ଏବଂ ଭକ୍ତଙ୍କ ମନୋସ୍କାମନା ପୂରଣ କରନ୍ତି | ସୃଷ୍ଟିର ଉଦ୍ଧାର ପାଇଁ ଭଗବାନ ଶିବ ବିଷ ମଧ୍ୟ ପାନ କରିଥିଲେ | ଶିବଙ୍କ ଶୃଙ୍ଗାରକୁ ଦେଖିଲେ ଜଣାପଡେ ସେ ସମସ୍ତଙ୍କୁ ଆପଣେଇଛନ୍ତି | ବେକରେ ନାଗ ସାପ, ମୁଣ୍ଡରେ ଚନ୍ଦ୍ର, ମଥାରେ ଭସ୍ମ | ଶିବ ଶୃଙ୍ଗାର ଭାବେ ଦୁଦୁରା ଫୁଲ ଓ ବେଲପତ୍ର ସ୍ୱୀକାର କରନ୍ତି | ଶିବଙ୍କ ଏହି ଶୃଙ୍ଗାର ମାନବଜାତିକୁ ଏକ ଶିକ୍ଷା ପ୍ରଦାନ କରିଥାଏ ଯେ ସମାଜ ଯାହାକୁ ତିରସ୍କାର କରିଥାଏ ଭଗବାନ ଶିବ ତାହାକୁ ଆପଣେଇଥାନ୍ତି |

ଦୁଦୁରା ଫୁଲ ଏକ ବିଷାକ୍ତ ଫୁଲ ତଥାପି ଶିବଙ୍କ ପାଖରେ ଅର୍ପଣ କରାଯାଏ | ଏହା ସନ୍ଦେଶ ଦେଇଥାଏ ଯେ ଲୋକଙ୍କ ବ୍ୟକ୍ତିଗତ ଜୀବନ, ସାମାଜିକ ଓ ପାରିବାରିକ ଜୀବନରେ ଖରାପ ବ୍ୟବହାର ଓ କଡା ଭାଷାକୁ ଭୁଲି ସମ୍ପର୍କକୁ ମଧୁର କରିବା ଉଚିତ | ମଣିଷ ସ୍ୱାର୍ଥପର ନ ହୋଇ ଅନ୍ୟମାନଙ୍କ ହିତ ପାଇଁ କାମ କରିବା ଉଚିତ | ହିନ୍ଦୁ ଧର୍ମ ଅନୁସାରେ, ଶିବଙ୍କୁ ଦୁଦୁରା ଫୁଲ ବହୁତ ପ୍ରିୟ, ସେଥିପାଇଁ ଶିବଲିଙ୍ଗରେ ଦୁଦୁରା ଫୁଲ ଚଢାଇ ମନରେ ଥିବା ଦ୍ୱେସ ଓ ଖରାପ ବିଚାରକୁ ବାହାର କରି ଲୋକଙ୍କ ପ୍ରତି ସ୍ନେହ ଭାବ ରଖିବାକୁ ସଂକଳ୍ପ ନେବା ଉଚିତ | ଏହାହିଁ ଭଗବାନ ଶିବଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି |

ଦେବୀ ପୁରାଣ ଅନୁଯାୟୀ, ଭଗବାନ ଶିବ ଯେତେବେଳେ ସମୁଦ୍ର ମନ୍ଥନରୁ ବାହାରିଥିବା ବିଷ ପାନ କରିଥିଲେ ସେତେବେଳେ ସେ ବ୍ୟାକୁଳ ହୋଇଯାଇଥିଲେ | ସେତେବେଳେ ଅଶ୍ୱିନୀ କୁମାର ଭାଙ୍ଗ, ବେଲ ପତ୍ର, ଦୁଦୁରା ଆଦି ଔଷଧରେ ଶିବଙ୍କ ବ୍ୟାକୁଳତା ଦୂର କରିଥିଲେ | ସେବେଠାରୁ ଶିବଙ୍କୁ ଭାଙ୍ଗ, ଦୁଦୁରା ବହୁତ ପ୍ରିୟ | ଭକ୍ତ ଶିବଙ୍କୁ ଭାଙ୍ଗ ଦୁଦୁରା ଅର୍ପଣ କଲେ ଶିବ ପ୍ରସନ୍ନ ହୋଇଥାନ୍ତି ବୋଲି କୁହାଯାଏ |

Leave a comment