ଏଭଳି ଭାବେ ଭାଙ୍ଗିଥିଲା ଗଜାନନଙ୍କ ଗୋଟିଏ ଦାନ୍ତ ; ସେଥିପାଇଁ ତାଙ୍କୁ ଏକଦନ୍ତ ବୋଲି କୁହାଯାଏ
ଶ୍ରୀ ଗଣେଶ ଗଜାନନ କିପରି ହେଲେ ତାହା ତ ଆପଣମାନେ ଜାଣିଛନ୍ତି । କିନ୍ତୁ ଶ୍ରୀଗଣେଶ ଏକଦନ୍ତ କଣ ପାଇଁ ତାହା ଜାଣିଛନ୍ତି କି ? ଏହା ଉପରେ ଏକ ସୁନ୍ଦର କାହାଣୀ ଅଛି ।
-କାହାଣୀଟି ହେଲା; ମହାଭାରତ ରଚନା କରିବା ସମୟରେ ମହର୍ଷି ବ୍ୟାସଦେବ ଶ୍ରୀଗଣେଶଙ୍କ କେତୋଟି ସର୍ତ୍ତ ରଖିଥିଲେ । ପ୍ରଥମ ସର୍ତ୍ତଟି ହେଲା – ବ୍ୟାସଦେବ ମହାଭାରତ ଡାକୁଥିଲେ ଏବଂ ଗଣେଶ ଲେଖି ଚାଲିବେ, ଲେଖା ପ୍ରକ୍ରିୟାଟି ମଝିରେ କୌଣସି ପରିସ୍ଥିତିରେ ଅଟକିବ ନାହିଁ ।
କିନ୍ତୁ ଶ୍ରୀଗଣେଶ ତାଙ୍କ ଲେଖନୀରେ ଶ୍ରୀ ବ୍ୟାସ ମହର୍ଷି ମୁଖ ନିଃସୃତ ମହାଭାରତକୁ ଲେଖି ଚାଲିଥିବା ସମୟରେ ହଠାତ ଲେଖନୀଟି ଭାଙ୍ଗିଗଲା ! ତାଙ୍କ କର୍ତ୍ତବ୍ୟବିମୁଢ ହୋଇ ଗଣେଶ ତାଙ୍କର ଗୋଟିଏ ଦାନ୍ତ ଭାଙ୍ଗିଦେଇ ଲେଖିଚାଲିଲେ ମହାଭାରତ, ବ୍ୟାସଦେବଙ୍କ ଠାରୁ ଶୁଣି ଶୁଣି ! ସେହି ଦିନଠାରୁ ତାଙ୍କ ନାମ ହେଲା ଏକଦନ୍ତ ।
-ଅନ୍ୟ ଏକ କାହାଣୀ ଅନୁଯାୟୀ; ଶିବ ପାର୍ବତୀଙ୍କ ଦର୍ଶନ ପାଇଁ ଥରେ ଭଗବାନ ପର୍ଶୁରାମ କୈଳାସ ଆସିଥିଲେ, ଗଣେଶ ଦ୍ୱାରଦେଶରେ ପ୍ରହରୀ କାର୍ଯ୍ୟରେ ନିଯୁକ୍ତି ଥିଲେ । ଯେହେତୁ ପିତା ମାତା ବିଶ୍ରାମ ନେଉଥିଲେ, ଗଣେଶ ପର୍ଶୁରାମଙ୍କୁ ଭିତରକୁ ଛାଡିଲେ ନାହିଁ । ମହାତେଜସ୍ବୀ ପର୍ଶୁରାମ କିନ୍ତୁ ଯେପରି ହେଲେ ଭିତରକୁ ଯିବେ ବୋଲି ଜିଦ ଧରି ବସିଲେ, ଦୁହିଁଙ୍କ ମଧ୍ୟରେ ଚାଲିଲା ଘମାଘୋଟ ଯୁଦ୍ଧ, ପ୍ରଚଣ୍ଡ କ୍ରୋଧରେ କ୍ରୋଧାନ୍ୱିତ ପର୍ଶୁରାମ ଗଣେଶଙ୍କ ଗୋଟିଏ ଦନ୍ତ ଭାଙ୍ଗି ଦେଇଥିଲେ । ସେ ଦିନଠାରୁ ଗଣେଶ ହେଲେ ଏକଦନ୍ତ !
-ଗଣେଶଙ୍କ ଗୋଟିଏ ଦାନ୍ତ ମହା ପ୍ରତାପି ରାବଣ ଭାଙ୍ଗି ଦେଇଥିଲା ବୋଲି କବି ମାଘ ମତ ଦିଅନ୍ତି । କେହି କେହି ବିଶେଷଜ୍ଞ ମାନେ ମତ ଦିଅନ୍ତି ଏକଦନ୍ତ ଏକାଗ୍ରତାର ପ୍ରତୀକ ଅଟେ । ଏକଦନ୍ତ ମଧ୍ୟରେ ପ୍ରଭୁ ଗଣେଶ ମଧ୍ୟ ଜଗତକୁ ଏହି ବାର୍ତ୍ତା ଦେଇଥାନ୍ତି କି, ଯେତିକି ଅଛି, ସେତିକିରେ ସନ୍ତୁଷ୍ଟ ରହି କାମ ଚଳାଇବା ଉଚିତ।
ପ୍ରଭୁ ଶ୍ରୀ ଗଣେଶଙ୍କର ଅନ୍ୟାନ୍ୟ ନାମ ଗୁଡିକ ମଧ୍ୟରେ କେତେକ ହେଲା – ଗଣପତି, ମହାବିନାୟକ, ଅଗ୍ରପୂଜ୍ୟ, ଗଜାନନ, ବିଘ୍ନରାଜ, ଲମ୍ବୋଦର ବକ୍ରତୁଣ୍ଡ ଇତ୍ୟାଦି । ଶ୍ରୀ ଗଣେଶଙ୍କ ଶ୍ରଦ୍ଧାରେ ଉପାସନା କଲେ ବୁଦ୍ଧି, ଜ୍ଞାନ, ବଳ, ସାହସ ମିଳିଥାଏ, କାର୍ଯ୍ୟରେ ସଫଳତା ଓ ସିଦ୍ଧି ଲାଭ ହୋଇଥାଏ ।