କାହିଁକି ବଡ଼ଦାଣ୍ଡରେ ଅଟକି ରହିଥାଏ ରଥ ? କିମ୍ବଦନ୍ତୀ କ’ଣ କହେ ?

0

ଭଗବାନ ସର୍ବଦା ଭାବରେ ବନ୍ଧା l ସେ ନିଜ ଭକ୍ତ ଙ୍କ ନିକଟରୁ କିଛି ଚାହିଁ ନଥାଆନ୍ତି l ସେ କେବଳ ପ୍ରେମ , ସ୍ନେହ ଓ ଭାବର ବନ୍ଧନ ରେ ବାନ୍ଧି ହୋଇ ରହିବାକୁ ଚାହିଁ ଥାଆନ୍ତି l ସେହିଭଳି ଜଣେ ଭକ୍ତ ହେଉଛନ୍ତି ଭକ୍ତ ସାଲବେଗ , ଯିଏକି ଜବନ ପରିବାର ରେ ଜନ୍ମ ନେଇ ନିଜ ଭକ୍ତି ଓ ସ୍ନେହ ରେ ପ୍ରଭୁ ଜଗନ୍ନାଥ ଙ୍କୁ ବାନ୍ଧି ରଖିଥିଲେ l

ଜଗନ୍ନାଥ ଙ୍କ ପରମ ଭକ୍ତ ସାଲବେଗ ଙ୍କ ପାଇଁ କାହିଁକି ଅଟକି ରହିଥିଲା ନନ୍ଦିଘୋଷ ରଥ ? ଇତିହାସ ପୃଷ୍ଠା ଲେଉଟାଇଲେ ଭକ୍ତ ସାଲବେଗ ଙ୍କ କାହାଣୀ ସାମ୍ନା କୁ ଆସିଥାଏ l ଭଗବାନ ଦେଖନ୍ତି ନାହିଁ ଜାତି କି ଧର୍ମ ସେ ସବୁବେଳେ ଦେଖନ୍ତି ସ୍ନେହ ଓ ଭାବ l

ସାଲବେଗ ଙ୍କ ପିତା ଲାଲବେଗ ଜଣେ ମୋଗଲ କର୍ମଚାରୀ ଥିଲେ l ଯେତେବେଳେ ଓଡିଶା କୁ ମୁସଲମାନ ଶାସକ ମାନେ ଆକ୍ରମଣ କରିଥିଲେ ସେତେବେଳେ ଲାଲବେଗ ପୁରୀ ଅଭିମୁଖେ ଯାଉଥିବା ସମୟରେ ଦାଣ୍ଡ ମୁକୁନ୍ଦ ପୁର ନିକଟରେ ତାଙ୍କର ଦୃଷ୍ଟି ପଡିଥିଲା କିଛି ମହିଳାଙ୍କ ଉପରେ ଯିଏ କି ଗାଧଉ ଥିଲେ l ଏହିସବୁ ମହିଳା ମାନଙ୍କ ମଧ୍ୟରେ ଥିଲେ ସାଲବେଗ ଙ୍କ ମାତା ପ୍ରତିମା ଦେବୀ, ଯିଏ କି ଜଣେ ବ୍ରାହ୍ମଣୀ ଥିଲେ l ପ୍ରତିମା ଙ୍କୁ ଲାଲବେଗ ଜୋର ଜବରଦସ୍ତ ବିବାହ କରିଥିଲେ l ଏହାପରେ ସାଲବେଗ ଙ୍କ ଜନ୍ମ ହୋଇଥିଲା l କିନ୍ତୁ ପ୍ରତିମା ଦେବୀ ଲାଲବେଗ ଙ୍କ ନିକଟରେ କିଛିଟା ସର୍ତ ରଖିଥିଲେ , ଯେପରିକି ତାଙ୍କୁ କଦାପି ମୁସଲମାନ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯିବ ନାହିଁ କିମ୍ବା ଲାଲବେଗ କଦାପି କୌଣସି ହିନ୍ଦୁ ମନ୍ଦିର କୁ ଆକ୍ରମଣ କରିବେ ନାହିଁ l ତେଣୁ ଲାଲବେଗ ଶ୍ରୀଜଗନ୍ନାଥ ଙ୍କ ମନ୍ଦିର ଉପରେ ଆକ୍ରମଣ ନକରି ଦାଣ୍ଡ ମୁକୁନ୍ଦ ପୁର ନିକଟରୁ ଫେରି ଯାଇଥିଲେ l

ତୁଳସୀ ୨ ପତ୍ରରୁ ମହକି ଥାଏ l ସାଲବେଗ ଙ୍କ ମା ଜଗନ୍ନାଥ ଙ୍କୁ ଖୁବ ଭଲ ପାଉଥିଲେ l ଛୋଟ ବେଳରୁ ସାଲବେଗ ପ୍ରତିଦିନ ମାଙ୍କ ନିକଟରୁ ଜଗନ୍ନାଥ ଙ୍କ ବିଷୟରେ ଅନେକ କଥା ଶୁଣୁଥିଲେ l

ପ୍ରତିମା ଦେବୀ ଜବନ ଜାତିରେ ବିବାହ କରି ଥିଲେ ସତ କିନ୍ତୁ ତାଙ୍କ ମନ ସର୍ବଦା ଜଗନ୍ନାଥ ଙ୍କ ନିକଟରେ ରହୁଥିଲା l ସାଲବେଗ ପିଲାଟି ବେଳରୁ ଜଗନ୍ନାଥ ଙ୍କ କଥା ମାଙ୍କ ନିକଟରୁ ଶୁଣି ଜଗନ୍ନାଥ ଙ୍କ ଅନେକ ଭଜନ ଲେଖିବା ସହିତ ଗାଉ ଥିଲେ ମଧ୍ୟ l ସାଲବେଗ ଙ୍କ ବଡ଼ ହେବା ପରେ ସୁଲତାନ ଙ୍କ ସେନା ବାହିନୀ ରେ ଯୋଗ ଦେଇଥିଲେ l ଥରେ ଯୁଦ୍ଧ ସମୟରେ ସେ ଆହତ ହୋଇଥିଲେ l ଯାହା ତାଙ୍କୁ ବହୁତ କଷ୍ଟ ଦେଇଥିଲା l ଏହାପରେ ସେ ନିଜ ମାଙ୍କୁ ଡାକି କହିଥିଲେ ମା ମତେ ବଞ୍ଚିବା ପାଇଁ କିଛି ଉପାୟ ଦିଅ l

ଏହାପରେ ତାଙ୍କ ମା ତାଙ୍କୁ ଈଶ୍ୱର ବିଶ୍ୱାସୀ ହେବା ପାଇଁ କହିଲେ ଓ ସବୁ ଠିକ ହୋଇଯିବ ବୋଲି କହିଲେ l କିନ୍ତୁ ତାଙ୍କ ଦେହ ସୁସ୍ଥ ହୋଇ ନଥିଲା l ସାଲବେଗ ଙ୍କ ମା ପ୍ରତିମା ଦେବୀ ଏହାପରେ ତାଙ୍କୁ କହିଲେ ବୃନ୍ଦାବନ ନିକଟରେ କୃଷ୍ଣ ଙ୍କ ନାମ ଜପ କରିବା ପାଇଁ l କୃଷ୍ଣ ନାମ ଜପିବା ପରେ ସାଲବେଗ ସୁସ୍ଥ ହୋଇ ଯାଇଥିଲେ l

ସଲବେଗ ଠିକ ହୋଇଯିବା ପରେ ତାଙ୍କ ମା ଙ୍କ ସହିତ ମିଶି ପୁରୀ ଆସିଥିଲେ ଜଗନ୍ନାଥ ଦର୍ଶନ ପାଇଁ lକିନ୍ତୁ ଶ୍ରୀମନ୍ଦିର ପୂଜକ ମାନେ ତାଙ୍କୁ ମୁସଲମାନ ହୋଇଥିବା କାରଣରୁ ଭିତରକୁ ଯିବା ପାଇଁ ବାରଣ କରିଥିଲେ l ଏହାକୁ ନେଇ ସାଲବେଗ ନିଜ କବିତାରେ ଲେଖିଥିଲେ ପିତା ମୋ ମୋଗଲ , ମାତା ମୋ ବ୍ରାହ୍ମଣୀ , ଏ କେଉଁ କୂଳେ ଜନ୍ମିଲି ହିନ୍ଦୁ ନଛ୍ହୁଏଁ ମୋ ପାଣି l୧୬୨୨-୧୬୪୭ ମସିହା ମଧ୍ୟରେ ସାଲବେଗ ଅନେକ ଭଜନ ଓ ଜଣାଣ ଜଗନ୍ନାଥ ଙ୍କର ଗାଇ ଥିଲେ ଓ ଲେଖି ଥିଲେ l ନାଗା ସନ୍ୟାସୀ ମାନେ ମୋଗଲ ଙ୍କ ଆକ୍ରମଣ ସମସ୍ୟରେ ପୁରୀ ମନ୍ଦିର ସୁରକ୍ଷା ପାଇଁ ନିଜର ପ୍ରାଣ ବଳି ଦେଇଥିଲେ l ସେବାୟତ ମାନେ ଏହି ସମୟରେ ପ୍ରଭୁଙ୍କୁ ଦାଣ୍ଡ ମୁକୁନ୍ଦ ପୁର କୁ ନେଇ ଯାଇଥିଲେ l ସାଲବେଗ ଙ୍କ୍ ପିତାଙ୍କ ମୃତ୍ୟୁ ପରେ ତାଙ୍କ ଘର ଲୋକ ସାଲବେଗ ଓ ତାଙ୍କ ମା ଙ୍କୁ ଘରୁ ବାହାର କରି ଦେଇଥିଲେ , ତେଣୁ ସେମାନେ ଭାରତର ଦକ୍ଷିଣ ଦିଗକୁ ପଳାଇ ଯାଇଥିଲେ l ଫଏହାପର ବର୍ଷ ସାଲବେଗ୍ ପ୍ରଭୁଙ୍କ ଦର୍ଶନ କରିବା ପାଇଁ ଇଛା କରିଥିଲେ l ମା ଙ୍କ ନିକଟରୁ ଶୁଣିଥିଲେ ବର୍ଷରେ ଥରେ ଆଷାଢ଼ ମାସ ଶୁକ୍ଳ ପକ୍ଷରେ ମହାପ୍ରଭୁ ନିଜ ଭକ୍ତ ମାନଙ୍କୁ ଦର୍ଶନ ଦେବାକୁ ବଡ ଦାଣ୍ଡକୁ ରଥ ଉପରେ ବିଜେ କରି ବାହାରି ଥାଆନ୍ତି l ତେଣୁ ସେ ପୁରୀ ଅଭିମୁଖେ ଆସିଥିଲେ , କିମ୍ବଦନ୍ତୀ ରେ ଲେଖା ଅଛି ଏହି ସମୟରେ ପ୍ରଭୁ ଙ୍କ ନନ୍ଦି ଘୋଷ ରଥ ଅଟକି ରହିଥିଲା ଓ ସାଲବେଗ ବଡ଼ ଦାଣ୍ଡରେ ପହଞ୍ଚିଲା ପରେ ରଥ ଆଗକୁ ଗଡିଥିଲା l ତାଙ୍କ ମୃତ୍ୟୁ ପରେ ବଳଗଣ୍ଡିଠାରେ ତାଙ୍କର ଗୋଟିଏ ସ୍ମୃତି ପୀଠ ସ୍ଥାପନ ହୋଇଥିଲା lଆଜି ମଧ୍ୟ ପୁରୀର ମୁଖ୍ୟ ଚିକିତ୍ସାଳୟ ନିକଟରେ ଭକ୍ତ ସାଲବେଗ ଙ୍କ ସମାଧି ରହିଛି l ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ନନ୍ଦିଘୋଷ ରଥ ସାଲବେଗ ଙ୍କ ପାଇଁ ଅଟକି ଆସୁଛି l

Leave a comment