କିଏ ହେବ ଡେପୁଟି ମେୟର ବିରଞ୍ଚି ନା ଶ୍ରୀଧର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ପରି ପୌର ନିର୍ବାଚନ ଫଳାଫଳ ବିଜେଡି ସପକ୍ଷରେ ରହିଛି । ଯାହାକି ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଦର୍ଶାଉଛି । ଚଳିତ ପୌର ନିର୍ବାଚନରେ ପ୍ରଥମ ଥର ଭୁବନେଶ୍ୱର ଏବଂ ବ୍ରହ୍ମପୁର ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଥିବା ବେଳେ ଜନତା ନିଜେ ନିଜ ଅଞ୍ଚଳର ମେୟରଙ୍କୁ ଭୋଟ ଦେଇ ଚୟନ କରିଛନ୍ତି । ଏଥର ପଞ୍ଚାୟତ ଏବଂ ପୌର ନିର୍ବାଚନ ବିଜେଡି ସପକ୍ଷରେ ଯାଇଛି ସତ, କିନ୍ତୁ ଭୋଟ ହାର କୁ ଦେଖିଲେ ପଞ୍ଚାୟତରେ ବିଜେଡି ଭୋଟ ହାର ବୃଦ୍ଧି ପାଇଥିବା ବେଳେ ପୌର ନିର୍ବାଚନରେ ବିଜେଡି ଭୋଟ ହାର ହ୍ରାସ ପାଇଛି । ଭୁବନେଶ୍ୱର ବିଜେପି ବିଜୟ ଲାଭ ନକରିଥିଲେ ମଧ୍ୟ କିଛି ୱାର୍ଡ କୁ ଛାଡିଦେଲେ ଅନ୍ୟ ସବୁ ୱାର୍ଡ ରେ ବିଜେଡିକୁ କଡା ଟକ୍କର ଦେଇଛି ବିଜେପି । ଏପରିକି ମେୟର ପଦ ପାଇଁ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସଙ୍କୁ ନୂତନ ଭାବେ ରାଜନୀତିରେ ପଦ ଥାପିଥିବା ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ ମଧ୍ୟ ଟକ୍କର ଦେବାରେ ସମର୍ଥ ହୋଇଛନ୍ତି । ୨୦୧୪ ନିର୍ବାଚନ ତୁଳନାରେ ରାଜଧାନୀରେ ବଢିଛି ବିଜେପି ଭୋଟ ହାର । ବିଜେପି ମେୟର ପ୍ରାର୍ଥୀନୀ ସୁନୀତି ମୁଣ୍ଡ ୧ ଲକ୍ଷ ୧୩ହଜାର ୪ଶହ ଭୋଟ ପାଇବାରେ ସକ୍ଷମ ହୋଇଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ୧୦ଟି ୱାର୍ଡ ରେ ବିଜୟୀ ହୋଇଥିବା ବେଳେ ୯ ଟି ୱାର୍ଡ ରେ ସ୍ୱାଧୀନ ପ୍ରାର୍ଥୀ ବାଜି ମାରିଛନ୍ତି ।
ବିଜେଡି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନିର୍ବାଚନ ମଣ୍ଡଳୀରେ ଦଳକୁ ଲାଗିଛି ଶକ୍ତ ଝଟକା । ଜିଲ୍ଲା ସଭାପତିଙ୍କ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ୬ଟି ୱାର୍ଡରେ ବିଜେପି ଓ ସ୍ୱାଧୀନ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ରାଜଧାନୀରେ ବିଜେପି ଭୋଟ ହାର ବଢ଼ୁଥିବାରୁ ଏହା ଶାସକ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ଚଳିତ ବର୍ଷ ବିଏମସି ନିର୍ବାଚନରେ ବିଜେଡି ବିଜୟ ଲାଭ କରିଥିଲେ ମଧ୍ୟ ପୂର୍ବଥର ଅପେକ୍ଷା ଗୋଟିଏ ଆସନ କମ ପାଇଛି । ବିଜେଡି ପାଇଁ କାଳ ସାଜିଛନ୍ତି ଦଳର ବିଦ୍ରୋହୀ ପ୍ରାର୍ଥୀ । ଗତ ନିର୍ବାଚନରେ ବିଜେପି ୪ଟି ଆସନ ପାଇଥିବା ବେଳେ ଏଥର ୧୦ ଟି ଆସନରେ ବିଜୟ ଲାଭ କରିଛି । ସେହିପରି ୮ଟି ସ୍ଥାନରେ ବିଜେଡି କୁ କଡା ଟକ୍କର ଦେବା ସହ ଖୁଵ କମ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି ।
ଅପରପକ୍ଷରେ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରେ ୪ଟି ଆସନରେ ଦଳ ବିଦ୍ରୋହୀ ବିଜୟ ଲାଭ କରିଥିବା ବେଳେ ଅନ୍ୟ ୪ଟି ଆସନରେ ବିଜେପି ବିଜୟୀ ହୋଇଛି । ସେହିପରି ମଧ୍ୟ ନିର୍ବାଚନ ମଣ୍ଡଳୀରେ ଥିବା ୧୯ ଟି ୱାର୍ଡ ମଧ୍ୟରୁ ୩ଟି ୱାର୍ଡରେ ବିଜେପି ଏବଂ ୨ଟି ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଭୁବନେଶ୍ୱର ଜିଲ୍ଲା ସଭାପତି ଙ୍କ ନିର୍ବାଚନ ମଣ୍ଡଳୀରୁ ୩ଟି ଆସନରେ ବିଜେପି ଏବଂ ୩ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି ।
ଭୁବନେଶ୍ୱର ମେୟର ପଦ ବିଜେଡି ଆଖିଦୃଷ୍ଟିଆ ବ୍ୟବଧାନରେ ନଜିତିଥିବାରୁ ଏବଂ ବିଜେପି ଭୋଟରେ ଉନ୍ନତି ଘଟିଥିବାରୁ ବର୍ତ୍ତମାନ ବିରୋଧୀ ବିଜେପି ଖୁବ ଯୋଶରେ ଅଛନ୍ତି। ସେମାନେ ଶାସକ ଦଳକୁ ଘେରିବାକୁ ବାରମ୍ବାର ରାଜରାସ୍ତାକୁ ଓଲ୍ଲାହିବା ନେଇ ଅନେକ ଚିନ୍ତା ବ୍ୟକ୍ତ କଲେଣି । ଏହି ବିଦ୍ରୋହ ଆଗାମୀ ଦିନରେ ବିଜେଡି ପାଇଁ ଏକ ବଡ଼ ଚ୍ୟାଲେଞ୍ଜରେ ପରିଣତ ହେବା ନେଇ ରାଜନୈତିକ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି । ତେଣୁ ବିଜେଡି ନିଜକୁ ଅଧିକ ମଜବୁତ କରିବାର ଆବଶ୍ୟକତା ରହିଥିବା ବିଶେଷଜ୍ଞ ପକ୍ଷ ରଖିଛନ୍ତି । ସେଥିପାଇଁ ଭୁବନେଶ୍ୱର ପାଇଁ ଏକ ଦମଦାର ଡେପୁଟି ମେୟରଙ୍କ ଆବଶ୍ୟକତା ରହିଛି । ଯେକି ମେୟର ଙ୍କୁ ଅଧିକ ସଶକ୍ତ କରିବା ସହ ସଂଗଠନ କୁ ଅଧିକରୁ ଅଧିକ ସୁଦୃଢ କରିବ ।
ସେଥିପାଇଁ ହାଇକମାଣ୍ଡଙ୍କୁ କେବଳ ଅଭିଜ୍ଞଙ୍କ ଉପରେ ହିଁ ଭରସା କରିବାକୁ ପଡିବ । ଏହି ଦୃଷ୍ଟିରୁ ଦେଖିଲେ ବିରଞ୍ଚି ନାରାୟଣ ମହାସୁପକାର, ଶ୍ରୀଧର ଜେନା, ଅମରେଶ ଜେନା, ପ୍ରତାପ ସାହୁ ଏବଂ ମିହିର କୁମାର ରାଉତଙ୍କ ନାଁ ବିଚାର କରାଯାଇପରେ ।
ସୂଚନା ଅନୁଯାୟୀ, ମଧ୍ୟ ଭୁବନେଶ୍ୱରରେ ଦଳୀୟ ଅସନ୍ତୋଷ ଏକାମ୍ର ଏବଂ ଉତ୍ତର ଅପେକ୍ଷା ଅଧିକ । ତେଣୁ ଦେଖିବାକୁ ଗଲେ ମଧ୍ୟ ଓ ଏକାମ୍ର ରୁ ଜଣକୁ ଡେପୁଟି ମେୟର ପଦ ମିଳିବା ସମ୍ଭାବନା ଅଧିକ । ବିଏମସି ରାଜନୀତିରେ ଦବଦବା ରଖୁଥିବା କିଛି ହେଭିୱେଟ ନେତା ବଡ ବ୍ୟବଧାନରେ ଜିତିଛନ୍ତି । ୪ଥର କର୍ପୋରେଟର ହୋଇଥିବା ବିରଞ୍ଚି ନାରାୟଣ ମହାସୁପକାର ଏବଂ ୩ଥର କର୍ପୋରେଟର ହୋଇଥିବା ଶ୍ରୀଧର ଜେନାଙ୍କ ନାଁ ଡେପୁଟି ମେୟର ପଦପାଇଁ ଚର୍ଚ୍ଚା ହେଉଛି। କାରଣ ଉଭୟ ମଧ୍ୟ ବିଧାୟକ ତଥା ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କ ଖୁବ ନିକଟତ୍ତର । ଉଭୟଙ୍କ ମଧ୍ୟରୁ ଜଣଙ୍କୁ ଡେପୁଟି ମେୟର କରାଯିବା ନେଇ ବିଧାୟକ ଅନନ୍ତ ନାରାୟଣ ଜିଦ କରୁଥିବା ନେଇ ବିଧାୟକଙ୍କ ନିକଟତ୍ତର ଜଣେ ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଥିବା ବିଜେଡିର ଜଣେ ମହିଳା ମୁଖପାତ୍ର ପ୍ରକାଶ କରିଛନ୍ତି । ଅପରପକ୍ଷରେ ବିଧାୟକଙ୍କ ନାଁରେ ଅନେକ କେଲଙ୍କାରୀ ଅଭିଯୋଗ ସତ୍ତ୍ୱେ ସେ ଯେପରି ମଧ୍ୟ ଟିକେଟ ଜିଦ କରି ହାତେଇ ଥିଲେ ସେହିପରି ସେ ନିଜ ଦବଦବା ଏଥର ମଧ୍ୟ ଦଳରେ ପ୍ରମାଣିତ କରିବା ନେଇ ଅନେକ ରାଜନୈତିକ ବିଶେଷଜ୍ଞ ଆଶଙ୍କା କରୁଛନ୍ତି ।