କାହାକୁ ମିଳିବ କଂଗ୍ରେସର ଅଧ୍ୟକ୍ଷ ପଦ, ଚର୍ଚ୍ଚାରେ ୪ ସଦସ୍ୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ସାରା ଦେଶରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରି ଅଧ୍ୟକ୍ଷ ପଦ ଛାଡ଼ିବାକୁ ଜିଦ୍‌ ଧରିଛନ୍ତି ରାହୁଲ ଗାନ୍ଧୀ । ନିର୍ବାଚନ ରେଜଲ୍ଟ ବାହାରିବା ପରେ ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ଅଡ଼ି ବସିଥିବା ବେଳେ ଦଳର ବହୁ ବରିଷ୍ଠ ନେତା ବୁଝାଇବା ପରେ ବି କିଛି ଲାଭ ହୋଇନି । ତେବେ ରାହୁଲଙ୍କ ଜିଦ୍‌ ଯୋଗୁ ସେ ଅଧ୍ୟକ୍ଷ ପଦ ଛାଡ଼ିବା ଏକ ପ୍ରକାର ନିଶ୍ଚିତ ହୋଇଛି । ରାହୁଲଙ୍କ ବିକଳ୍ପ ଭାବେ କାହାକୁ ଚୟନ କରାଯିବ ସେ ନେଇ ଚିନ୍ତାରେ ପଡ଼ିଛନ୍ତି କଂଗ୍ରେସର ବରିଷ୍ଠ ନେତୃବୃନ୍ଦ । କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ପାଇଁ ଦୌଡ଼ରେ କଂଗ୍ରେସର ୪ ସଦସ୍ୟଙ୍କ ନାମ ନେଇ ଚର୍ଚ୍ଚା ହେଉଛି । ସେମାନଙ୍କ ମଧ୍ୟରେ ସଚିନ ପାଇଲଟ, ଅଶୋକ ଗେହଲଟ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଦିଙ୍କ ନାମ ଆଗରେ ରହିଛି ।

ସେପଟେ ଆସନ୍ତା ସଂସଦ ଅଧିବେଶନ ପୂର୍ବରୁ କଂଗ୍ରେସର ଦଳୀୟ ବୈଠକ ଡକାଯାଇଥିବା ବେଳେ ଏହି ବୈଠକରେ ଦଳର ରଣନୀତି ସମ୍ପର୍କରେ ଆଲୋଚନା ହେବ । ହେଲେ ଏହି ବୈଠକରେ ରାହୁଲ ଅଧ୍ୟକ୍ଷତା କରିବା ପାଇଁ ରାଜି ହେଉ ନଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଫଳରେ ବୈଠକରେ ଦଳର ବରିଷ୍ଠ ନେତା ଏ କେ ଆଣ୍ଟୋନି ଅଧ୍ୟକ୍ଷତା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Leave a comment