ରାଜଧାନୀବାସୀ କେବେ ଜଳବନ୍ଦୀ ସମସ୍ୟାରୁ ମୁକ୍ତି ପାଇବେ? : କଂଗ୍ରେସ
ଖୋଦ ରାଜ୍ୟ ରାଜଧାନୀକୁ ୨୩ ବର୍ଷର ସରକାର ଜଳବନ୍ଦୀ ସମସ୍ୟାରୁ ମୁକ୍ତି କରିପାରି ନାହାନ୍ତି । ଚଳିତ ବର୍ଷ ମୌସୁମୀ ଆଗମନର ପ୍ରଥମ ଦିନର ପ୍ରଥମ ବର୍ଷାରେ ସାରା ଭୁବନେଶ୍ୱର ସହର ଘଂଟା ଘଂଟା ଧରି ଜଳର୍ଣ୍ଣବ ହୋଇ ରହିଲା, ଯାତାୟତ ଠପ, ଯାନବାହାନ ପାଣିରେ ଠପ, ସ୍କୁଲପିଲାମାନେ ଅଂଟାଏ ପାଣିରେ ପସି ଘରକୁ ଫେରିଲେ ।
ଛୋଟ ଛୋଟ ପିଲମାନଙ୍କୁ ତାଙ୍କ ଅଭିଭାବକମାନେ କାନ୍ଧରେ ବସାଇ ଘରକୁ ଆଣିଲେ । ତଳି ଅଂଚଳରେ ଘର ଭିତରେ ଆଣ୍ଠୁଏ ପାଣି, ପରିସ୍ଥିତି ବେହାଲ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ଭୁବନେଶ୍ୱର ଜଲବନ୍ଦୀ ସମସ୍ୟାକୁ ନେଇ ସାମ୍ବାଦିକ ମାନଙ୍କୁ ସମ୍ବୋଦ୍ଧିତ କରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରି କହିଥିଲେ ଯେ ୨୦୧୪ ମସିହାରେ ଭୁବନେଶ୍ୱର ମହାନଗର ନିଗମ ରାଜ୍ୟ ସହରାଂଚଳ ବିକାଶ ବିଭାଗ ଓ ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ଜଣାଇଥିଲେ ଯେ ମହାନଗର ନିଗମ ଅଧିନରେ ଏକ ସ୍ୱତନ୍ତ୍ର ଡ୍ରେନେଜ ଡିଭିଜନ ରହୁ ଏବଂ ମହାନଗର ଅଂଚଳରେ ଥିବା ମୁଖ୍ୟ ୧୦ଟି ବଡ଼ ପ୍ରାକୃତିକ ଡ୍ରେନକୁ ଏହି ଅଧିନକୁ ଅଣାଯାଉ । ରାଜ୍ୟ ସରକାରଙ୍କ ସହରାଂଚଳ ବିକାଶ ବିଭାଗ ସମ୍ମତି ପ୍ରଦାନ କଲେ । ୨୦୧୫ ଜୁନ ୨୪ ତାରିଖ ଦିନ ରାଜ୍ୟ ଡେଭଲପମେଂଟ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବୈଠକ ବସିଲା କିଭଳି ଭାବରେ ଭୁବନେଶ୍ୱର ସହରରୁ କିଭଳି ରାଜ୍ୟ ରାଜଧାନୀକୁ ଜଳବନ୍ଦୀ ସମସ୍ୟାରୁ ମୁକ୍ତ କରାଯିବ । ତଦନୁସାରେ ସ୍ୱତନ୍ତ୍ର ଡ୍ରେନେଜ ଡିଭିଜନ ଏକ ଏକ୍ଜକ୍ୟୁଟିଭ ଇଂଜିନିୟରଙ୍କ ଅଧିନରେ ରହିଲା । ଏଥିରେ ୩ଜଣ ଆଡସିନାଲ ଏକ୍ଜକ୍ୟୁଟିଭ ଇଂଜିନିୟର ଓ ୧୦ଜଣ ଜୁନିଅର ଇଂଜିନିୟର ରହିବା କଥା ସ୍ଥିର ହେଲା । ୨୦୧୫ ଅପ୍ରେଲରେ ଚିଫ ସେକ୍ରେଟାରୀଙ୍କ ଅଧ୍ୟକ୍ଷତାରେ ପୁଣି ଜଳବନ୍ଦୀ ସମସ୍ୟାକୁ ନେଇ ମିଂଟି ହେଲା । ଇସ୍କନଠାରେ ଜମୁଥିବା ପାଣି ସମସ୍ୟାକୁ ନେଇ ନ୍ୟାସନାଲ ହାୱେ ଅଥରଟିକି ଦୋଷ ଦେଇ ସରକାର ଚୁପ ହୋଇ ବସିଗଲେ । ଭୁବନେଶ୍ୱର ମହାନଗର ନିଗମ ଅଧିନରେ ୧୦ଟି ବଡ଼ ପ୍ରାକୃତିକ ନାଳ ଲମ୍ବ ୬୦ କି.ମି. ତଥା ୬୭ ୱାର୍ଡ ମଧ୍ୟରେ ଥିବା ଡ୍ରେନର ଲମ୍ବ ପାଖାପାଖି ୫୬୦ କି.ମି. । ୨୦୧୫ ପାଖରୁ ଅଦ୍ୟାବଧି ୭ଜଣ ଲୋକ ବର୍ଷାଦିନରେ ଖୋଲା ଡ୍ରେନରେ ପଡ଼ି ଭାସିଯାଇ ମୃତ୍ୟୁବରଣ କରିଛନ୍ତି । ରାଜ୍ୟ ରାଜଧାନୀର ଏଭଳି ପରିସ୍ଥିତି ସରକାରଙ୍କର ଚରମ ଉଦାସୀନତାର ସବୁଠାରୁ ବଡ଼ ପ୍ରମାଣ । ରାଜ୍ୟରେ ଟ୍ରାନସପରମେସନ ହେଉଛି ସେଥିପାଇଁ ସ୍ୱତନ୍ତ୍ର ଜଣେ ସଚିବ ନିଯୁକ୍ତ ହୋଇଛନ୍ତି ଏବଂ ସେ ଜଣେ ସର୍ବେସର୍ବା ବୋଲି ସବୁଠାରେ ହୁରି ପଡ଼ୁଛି । କିନ୍ତୁ ଖୋଦ ରାଜଧାନୀକୁ ଜଳବନ୍ଦୀରୁ ରକ୍ଷା କରାଯାଇ ପାରୁନାହିଁ । ୯ ବର୍ଷ ଭିତରେ ସମସ୍ୟା ସମାଧାନ କରାଯାଇ ପାରୁନାହିଁ । ତେଣୁ ୫ଟିର ଅର୍ଥ କ’ଣ ? କି ଟିମ ୱାର୍କ ? କି ଟ୍ରାନସଫରମେସନ? ସବୁ କେବଳ ପ୍ରଚାର ପ୍ରସାର । ମୁଖ୍ୟମନ୍ତ୍ରୀ ୨୦୧୮ ମସିହାରେ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ୧୦୦୦ କୋଟି ଟଙ୍କାର ଅର୍ଥରାଶି ଘୋଷଣା କଲେ ଏପର୍ଯ୍ୟନ୍ତ ୭୫୦ କୋଟି ଟଙ୍କା ମହାନଗର ନିଗମକୁ ଦିଆଯାଇଛି ବୋଲି କୁହାଯାଉଛି । ତେଣୁ ମହାନଗର ନିଗମର ମେୟର ତଥା ମୁଖ୍ୟ ନିର୍ବାହୀ ଅଧିକାରୀ, କିଭଳି ଭାବରେ ୭୫୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ତାର ହିସାବ ଦିଅନ୍ତୁ । ଏତେ କୋଟି ଟଙ୍କା ଖର୍ଚ୍ଚ କଲାପରେ ପରିସ୍ଥିତି ସମାନ । ତେଣୁ ରାଜ୍ୟରେ ୫ଟି ଡିପାର୍ଟମେଂଟର ଆବଶ୍ୟକତା ଓ ୫ଟି ସେକ୍ରେଟାରୀର ଆବଶ୍ୟକତା କ’ଣ ଅଛି ? କେବଳ ନିଜର ଆତ୍ମ ପ୍ରଚାର ଛଡ଼ା ରାଜଧାନୀ ବାସୀଙ୍କର କ’ଣ ଭଲ ହୋଇଛି । ୯ ବର୍ଷ ଭିତରେ ରାଜ୍ୟ ରାଜଧାନୀ ସ୍ମାଟସିଟିର ଜନସାଧାରଣଙ୍କୁ ଜଳବନ୍ଦୀରୁ ରକ୍ଷା କରାଯାଇ ପାରୁନି । ବାକି କଥା ଛାଡ଼ । ଏ ସରକାର କାହା ପାଇଁ କାମ କରୁଛନ୍ତି ତାର ଉତର ଦିଅନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଭୁବନେଶ୍ୱର ମହାନଗର ନିଗମର ଅଧିକାରୀ ତଥା ମେୟରଙ୍କ ସ୍ଥାଣୁତା ଓ ଜନବିରୋଧି କାମପାଇଁ ଦୃଢ଼ ନିନ୍ଦା କରିଛନ୍ତି । ଡ୍ରେନ ଉପରୁ ଜବରଦଖଲକୁ ଉଚ୍ଛେଦ କରାଯାଉ ନାହିଁ । ଗଙ୍ଗୁଆ ସଂକୁଚିତ ହୋଇଗଲାଣି । ବିଲଡରମାନେ ମାଡ଼ି ବସିଲେଣି । ସରକାର ଚୁପ କାହିଁକି?
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସର ମୁଖପାତ୍ର ରଶ୍ମି ମହାପାତ୍ର, ପିସିସି ସାଧାରଣ ସଂପାଦକ ସୁବ୍ରତ ମହାପାତ୍ର, ଭୁବନେଶ୍ୱର ଉତର ବ୍ଲକ ସଭାପତି ଅଶୋକ ଦାସ ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।