ଚିନ୍ତାରୁ ମୁକ୍ତି ପାଇଁ କଣ କରିବେ

0

ଆମର ଦୈନନ୍ଦିନ ଜୀବନରେ ଚାପ ଏବଂ ଚିନ୍ତା ଏକ ଅଂଶବିଷେଶ ଭାବେ ଯୋଡି ହୋଇଥାଏ। ଏମିତି କ୍ୟୈଣସି ମଣିଷ ନଥିବେ ଯାହା ଜୀବନରେ କିଛି ଚିନ୍ତା ବା ଚାପ ନଥିବ । ଅଧିକାଂଶ ସମୟରେ ଆମେ ଏଥିରେ ଅଭ୍ୟସ୍ତ ହୋଇଯାଉ । ଯେପର୍ଯ୍ୟନ୍ତ ଦୀର୍ଘସ୍ଥାୟୀ ଚାପର ସମ୍ମୁଖୀନ ନହୋଇଛେ ଆମେ ଲକ୍ଷଣଗୁଡିକୁ ଅନୁଭବ କରୁନାହିଁ । ଯେତେବେଳେ ଚାପ ସବୁଦିନିଆ ହୋଇଯାଏ ସେତେବେଳେ ଏହା ଜଣାଇଦିଏ ଯେ,ଚାପର ସ୍ତର ଆବଶ୍ୟକତା ଠାରୁ ଅଧିକ । ଚିନ୍ତା, ଅନିଦ୍ରା, ଉଦାସୀନତା, କ୍ରୋଧ, ମୁଣ୍ଡବିନ୍ଧା ସବୁଦିନିଆ ବା ଦୀର୍ଘସ୍ଥାୟୀ ଚାପର କିଛି ଲକ୍ଷଣ । ଏଥିରୁ କିପରି ମୁକ୍ତି ପାଇବେ ଆସନ୍ତୁ ସେ ବିଷୟରେ ଜାଣିବା

ଯୋଗ ଓ ବ୍ୟାୟାମ: ଯେତେବେଳେ ଆପଣ ଚାପରୁ ମୁକ୍ତି ବିଷୟରେ ଚିନ୍ତା କରନ୍ତି ସେତେବେଳେ ବ୍ୟାୟାମ କିମ୍ବା ଯୋଗ କରିବା ଆବଶ୍ୟକ । ଆମ ଶରୀର ଉପରେ ଶାରିରୀକ ଚାପ ଦ୍ୱାରା ମାନସିକ ଚାପରୁ ମୁକ୍ତି ମିଳିପାରେ । ଯେଉଁମାନେ ନିୟମିତ ଭାବେ କାମ କରନ୍ତି ସେମାନେ ଅଧିକାଂଶ ସମୟରେ ଚାପଗ୍ରସ୍ତ ରୁହନ୍ତି । ସେମାନଙ୍କ କ୍ଷେତ୍ରରେ ଯୋଗ ବା ବ୍ୟାୟାମ କରିବା ଆବଶ୍ୟକ । ଯୋଗ ହେଉଛି ଏକ ସମ୍ପୂର୍ଣ୍ଣ ଚାପରୁ ମୁକ୍ତି ଯୋଜନା । ଏହାର କିଛି ପ୍ରଭାବ ହରମୋନ୍ ନିୟନ୍ତ୍ରଣ ଏବଂ ରକ୍ତଚାପ ନିୟନ୍ତ୍ରଣରୁ ଆସିଥାଏ ।

ପ୍ରିୟ ସ୍ଥାନ ଭ୍ରମଣ: ଆମ ସମସ୍ତଙ୍କର କେଉଁଠି ନାଁ କେଉଁଠି ମନପସନ୍ଦର ସ୍ଥାନ ଥାଏ । ଯାହାକି ଚାପଗ୍ରସ୍ତ ଲୋକଙ୍କ ପାଇଁ ସର୍ବଦା ସୁରକ୍ଷିତ ସ୍ଥାନ । ମନକୁ ଶାନ୍ତି ଦେଉଥିବା ସେହି ସ୍ଥାନରେ ଏକା କିମ୍ବା ପରିବାର ବା ସାଙ୍ଗସାଥୀଙ୍କ ସହିତ ସମୟ ଅତିବାହିତ କରନ୍ତୁ । ଦେଖିବେ ମନ ହାଲକା ହୋଇଯିବ ।

ସ୍ନେହଶ୍ରଦ୍ଧା, ପ୍ରେମ: ପତି-ପତ୍ନୀଙ୍କ ଶାରିରୀକ ସମ୍ପର୍କ, କାହାକୁ ଚୁମ୍ବନ ଦେବା, ଆଲିଙ୍ଗନ କରିବା ଦ୍ୱାରା ମଧ୍ୟ ଶରୀରରେ ଅକ୍ସିଟୋସିନ୍ ହରମୋନ୍ ଉତ୍ପାଦନ ହୋଇ କଟ୍ରିସୋଲ ସ୍ତର ହ୍ରାସ ପାଏ ଏବଂ ଚାପରୁ ମୁକ୍ତି ମିଳିଥାଏ । ଶାରିରୀକ ସମ୍ପର୍କ ରଖିବା ଦ୍ୱାରା ହୃଦଘାତ ଓ ରକ୍ତଚାପ କମିଯାଏ ବୋଲି ଗବେଷଣାରୁ ଜଣାପଡ଼ିଛି ।

ହସ: ଆପଣ ମାନେ ଶୁଣିଥିବେ ଯେ, ହସ ହେଉଛି ମଣିଷର ରୋଗ ଭଲ କରିବାର ପ୍ରଥମ ଔଷଧ । ଯେତେବେଳେ ଆପଣ ମନଖୋଲି ହସିବେ ସେତେବେଳେ ଆପଣଙ୍କର ଦୁଃଖକଷ୍ଟ ସବୁ ଆପଣାଛାଏଁ ଚାଲିଯାଏ । ହସର ଦୀର୍ଘକାଳୀନ ପ୍ରଭାବରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।

ହବି ବା ପସନ୍ଦର କାମ: ମନପସନ୍ଦର ଗୀତ ଶୁଣି ପାରିବେ, ନୃତ୍ୟ ଦେଖିପାରିବେ ଏହା ସହିତ ପ୍ରକୃତିର କୋଳାହଳକୁ ମଧ୍ୟ ଅନୁଭବ କରିପାରିବେ । ଚିନ୍ତାରୁ ମୁକ୍ତି ପାଇବା ପାଇଁ ସବୁଠାରୁ ଭଲ କଥା ହେଉଛି ଲେଖାଲେଖି । ଯେତେବେଳେ କେହିବି ମଣିଷ ଚିନ୍ତାଗ୍ରସ୍ତ ଥାଏ ଯଦି ସେହି ସମୟରେ ସେ ନିଜ ମନର ଭାବନାକୁ ଲେଖା ମାଧ୍ୟମରେ ପ୍ରକାଶ କରେ ସେତେବେଳେ ସେ ଚାପରୁ ଉପଶମ ପାଇବାର ଅନୁଭବ କରେ ।

ଭୋଜନ: ଚିନ୍ତାଗ୍ରସ୍ତ ଥିବା ସମୟରେ କାଫେନ୍ କିମ୍ବା ମଦ୍ୟପାନରୁ ବିରତ ରହିବା ଭଲ । ମନୋବଳ ବଢାଇବା ପାଇଁ ମନ ପସନ୍ଦର ଖାଦ୍ୟ ଗ୍ରହଣ କରିପାରିବେ । ବିଶେଷକରି ଦହି, କଦଳୀ, ଡାର୍କ ଚକୋଲେଟ୍ ବା ଚା’ ଆପଣ ପିଇପାରିବେ ବା ଖାଇପାରିବେ ।
ଚିନ୍ତା ବା ଚାପ ଏପରି ଏକ ଜିନିଷ ଯାହାକୁ ଆମେ ଅଧିକାଂଶ ସମୟରେ ସାମ୍ନା କରୁ , କିନ୍ତୁ ଏସବୁରେ ଡରି ନଯାଇ ତାକୁ କିପରି ମୁକାବିଲା କରାଯିବ ତାହା ଶିଖିବା ଆବଶ୍ୟକ । ଯଦି ଆମେ ଏପରି ସାଧାରଣ କଥାକୁ ମନେରଖି କାର୍ଯ୍ୟକାରୀ କରିବା ତେବେ ଚାପ ଓ ଚିନ୍ତାକୁ ହରାଇ ପାରିବା ।

Leave a comment