ଖୋର୍ଦ୍ଧା ଗଣଦୁଷ୍କର୍ମ ସତ୍ୟାସତ୍ୟ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ, ପିଡ଼ିତା କିଛିଦିନ ତଳେ ନିଜକୁ ବିଧାୟକଙ୍କ ପତ୍ନୀ କହୁଥିଲେ ।

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଅଞ୍ଚଳରୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର ହୋଇଥିଲେ ଜଣେ ଯୁବତୀ । ସେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ପିଡ଼ିତା ଖଣ୍ଡଗିରି ଅଞ୍ଚଳରୁ କାରରେ ଲିଫ୍ଟ ନେଇଯାଇଥିବାରୁ ଖୋର୍ଦ୍ଧା ପୋଲିସ ଏହି କେସ ପାଇଁ ଖଣ୍ଡଗିରି ପୋଲିସର ସହାୟତା ନେଇଥିଲା । ପ୍ରଥମରୁ ଏହା ଏକ ଗଣଦୁଷ୍କର୍ମ ପରି ଜଣାପଡୁଥିଲେ ମଧ୍ୟ ପୋଲିସ ତଦନ୍ତ ପରେ ଏହାର ସତ୍ୟାସତ୍ୟକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।
ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି ଇଏ ହେଉଛନ୍ତି ସେହି ମହିଳା ଯେକି କିଛିଦିନ ତଳେ ନିଜକୁ ବିଧାୟକ ବ୍ରଜ ପ୍ରଧାନଙ୍କ ପତ୍ନୀ ବୋଲି ଦାବି କରିଥିଲେ । ବିଧାୟକ ଏହାକୁ ଖଣ୍ଡନ କରିବାରୁ ସେ ତାଙ୍କ ବାସଭବନରେ ଭଙ୍ଗାରୁଜା କରିବା ସହ ମହିଳା ଥାନାରେ ଏତଲା ଦେଇଥିଲେ । ଏପରିକି ବିଧାୟକଙ୍କ ଘର ଆଗରେ ଧାରଣରେ ବସିବା ସହ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଏପରିକି ମହିଳା ଜଣକ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ ।
ସୂଚନା ଅନୁଯାୟୀ, ପିଡ଼ିତାଙ୍କ ଅଭିଯୋଗ କରିଥିଲେ ଗତକାଲି ସନ୍ଧ୍ୟାରେ ସେ ଓଡି୦୨-ଏଏଫ-୫୭୬୯ ନମ୍ବର କାରରେ ଖଣ୍ଡଗିରି ରୁ ଖୋର୍ଦ୍ଧା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ରାସ୍ତାରେ ଅନ୍ୟ ଦୁଇଜଣ ଯୁବକ ଗାଡ଼ିରେ ଚଢିଥିଲେ । ସେମାନେ ଉକ୍ତ ପିଡ଼ିତଙ୍କୁ ଗଣଦୁଷ୍କର୍ମ କରି ରାସ୍ତା କଡରେ ଫୋଫାଡ଼ି ଚାଲିଯାଇଥିଲେ । ଏହି ଘଟଣାର ତଦନ୍ତ ଚାଲି ଥିବା ସମୟରେ ପୋଲିସ ଘଟଣାରେ ବ୍ୟବହାର ହୋଇଥିବା ଗାଡି ଜବତ କରିବା ସହ ଚଳକ ସୌମ୍ୟରଂଜନ ମହାନ୍ତିକୁ ହେପାଜତକୁ ନେଇଙ୍କୁ ଘଟଣା ସମ୍ୱନ୍ଧରେ ପଚରାଉଚରା କରିଛି । ଯାହାସୁଣି ପୋଲିସ ଆଶ୍ଚର୍ଯ୍ୟ ହୋଇଛି ଯେ ଏହା ପ୍ରକୃତରେ ବଳାତ୍କାର ନା ଅନ୍ୟ କିଛି ।
ଗାଡି ଚାଳକଙ୍କ କହିବା ଅନୁଯାୟୀ, ପ୍ରାୟ ବର୍ଷେ ତଳେ ସେ ଜଟଣୀ ଫେରୁଥିବା ପୀଡିତା ତାଙ୍କୁ ଲିପ୍ଟ ମାଗିଥିଲେ । ସେ ତାଙ୍କୁ ନେଇ ଖୋର୍ଦ୍ଧାରେ ଛାଡିଦେଇଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ଫୋନ ନମ୍ବର ଦିଆନିଆ ହୋଇଥିଲା । ଦୁଇମାସ ତଳେ ପୀଡିତା ଜଣକ ଜରୁରୀ ଆବଶ୍ୟକ ଥିବା କହି ସୌମ୍ୟରଂଜନଙ୍କ ଠାରୁ ଦୁଇହଜାର ଟଙ୍କା ଧାର ନେଇଥିଲେ । ଏହା ପରେ ତାଙ୍କର କୌଣିସି ଯୋଗାଯୋଗ ନଥିଲା । ହଠାତ ବୁଧବାର ଫୋନ କରି ଟଙ୍କା ନେବାକୁ ତାଙ୍କୁ ଡାକିଥିଲେ । ସୌମ୍ୟରଂଜନ ଯାଆଁଳା ଛକରେ ପହଂଚିବା ପରେ ତାଙ୍କୁ ଖୋର୍ଦ୍ଧାରେ ଛାଡି ଦେବାକୁ କହିଥିଲେ ପିଡ଼ିତା । କାର ଭିତରେ ସେ ଚାଳକଙ୍କୁ ଆକର୍ଷିତ କରିବାକୁ ଚେଷ୍ଠା କରିଥିଲେ । ସେ ପ୍ରତିବାଦ କରିବାରୁ ପୀଡିତା ଚିତ୍କାର କରିଥିଲେ । ସୌମ୍ୟରଂଜନ ଗାଡି ନେଇ ପଳାଉଥିବା ସମୟରେ ରାସ୍ତା କଡକୁ ପୀଡିତା ଡେଇଁ ପଡିଥିଲେ । ପୀଡିତା ଡେଇଁ ପଡିବାରୁ ସୌମ୍ୟରଂଜନ ଭୟରେ ସେ ସେଠାରୁ ପଳାଇଆସିଥିଲେ ।
ଅପରପକ୍ଷରେ ଅଭିଯୋଗ ଆସିବା ପରେ ଘଟଣାର ଅନୁଧ୍ୟାନ ପାଇଁ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ଖଣ୍ଡଗିରି ଥାନାରେ ପହଞ୍ଚି ଥିଲେ । ସେଠାରେ ପୀଡିତା ଓ ମା’ଙ୍କୁ ପଚରାଉଚରା କରିବା ସହ ପୋଲିସ ତଦନ୍ତର ଅନୁଧ୍ୟାନ କରିଛନ୍ତି ।ବର୍ତ୍ତମାନ ପୋଲିସ ମଧ୍ୟ ଏହି ଘଟଣା ନେଇ ଦ୍ଵନ୍ଦରେ । ପ୍ରକୃତରେ ଏହା ଦୁଷ୍କର୍ମ ନା ସାଧାରଣ ୨୦୦୦ଟଙ୍କା ପାଇଁ ଫସିଗଲେ ଗାଡିଚାଳକ ।