କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ?

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାରମ୍ବାର ନିଜର ଶିକ୍ଷାଗତ ଯୋଗ୍ୟତାକୁ ନେଇ ଚର୍ଚ୍ଚାରେ ରହି ଆସିଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଗ୍ରାଜୁଏଟ ନୁହନ୍ତି । ଉତ୍ତର ପ୍ରଦେଶର ଆମେଠି ଲୋକସଭା ପାଇଁ ନାମାଙ୍କନ ଭରିବା ବେଳେ ସେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ତାହା ଅନୁଯାୟୀ ଗ୍ରାଜୁଏସନ ପାଇଁ ସେ ଆଡମିଶନ କରିଥିବାବେଳେ ଏ ଯାଏ ତାହା ପୂରଣ କରିନାହାନ୍ତି ।

ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ୧୯୯୪ରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଓପନ ଲର୍ନିଂ ସ୍କୁଲରେ ବାଣିଜ୍ୟରେ ସ୍ନାତକ ପାଇଁ ଆଡମିଶନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ କରିନାହାନ୍ତି । ୨୦୧୭ରେ ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିବା ବେଳେ ମଧ୍ୟ ଇରାନୀ ଏହି ତଥ୍ୟ ଦାଖଲ କରିଥିଲେ ।

ମାତ୍ର ୨୦୧୪ ସାଧାରଣ ନିର୍ବାଚନରେ ଆମେଠି ଆସନ ପାଇଁ ନାମାଙ୍କନ ଭରିବା ବେଳେ ସେ ବାଣିଜ୍ୟରେ ସ୍ନାତକ କରିଥିବା ଦର୍ଶାଇଥିବା ବେଳେ ୨୦୦୪ରେ ଦିଲ୍ଲୀ ଚାନ୍ଦିନୀଚୌକରେ କଂଗ୍ରେସ ନେତା କପିଲ ସିବଲଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବାବେଳେ ସ୍ମୃତି ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ (କରସପେନଡେନ୍ସ) କଳାରେ ସ୍ନାତକ ୧୯୯୬ ମସିହାରେ ପୂରଣ କରିଥିବା ଦର୍ଶାଇଥିଲେ ।

ପୂର୍ବରୁ ନିଜର ବାକଚତୁରୀରେ ବିରୋଧୀଙ୍କ ମୁହଁ ବନ୍ଦ କରୁଥିବା ସ୍ମୃତି ନିଜର ଶିକ୍ଷାଗତ ପ୍ରମାଣକୁ ନେଇ କିପରି ବିରୋଧୀଙ୍କ ମୁହଁ ବନ୍ଦ କରିବେ ତାହା ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Leave a comment