କାହାକୁ ମିଳିବ ପଶ୍ଚିମ ଓଡ଼ିଶାର ସାଙ୍ଗଠନିକ ଦାୟିତ୍ୱ ପଢନ୍ତୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସଦ୍ୟତମ ପରିବର୍ତ୍ତିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପଶ୍ଚିମ ଓଡ଼ିଶାର ଜଣେ ମନ୍ତ୍ରୀ ପଦ ପାଇବା ନେଇ ଅନେକ ନେତା ଆଶା ବାନ୍ଧିଥିଲେ । ମାତ୍ର ସେଭଳି କିଛି ହେଲା ନାହିଁ ତେଣୁ ପଶ୍ଚିମ ଓଡ଼ିଶାରେ କିଛି ପରିମାଣରେ ଦୁର୍ବଳ ଥିବା ବିଜେଡି ନିଜ ସଙ୍ଗଠନକୁ ଅଧିକ ସୁଦୃଢ଼ କରିବାକୁ ନିଜ ରଣନୀତି ପ୍ରସ୍ତୁତ କଲାଣି । ଏହାକୁ ନେଇ ଦଳ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହେଲାଣି । ଅପରପକ୍ଷରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ପରିବର୍ତ୍ତନ ଘଟିବା ପରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କେନ୍ଦ୍ର ସରକାରଙ୍କ ଉପରେ ପଶ୍ଚିମ ଓଡ଼ିଶାକୁ ଅବହେଳା କରିଥିବା ନେଇ ଖୁବ ବର୍ଷି ଥିଲେ । ଯାହାକି ଗଣମାଧ୍ୟମର ମୁଖ୍ୟ ଖବର ପାଲଟିଥିଲା ।
ପଶ୍ଚିମ ଓଡ଼ିଶାରେ ଗତ ସାଧାରଣ ନିର୍ବାଚନରେ ବିଜେପି ବିଜେଡିକୁ ଟକ୍କର ଦେଇଥିଲା । ତେଣୁ ସେଠାରେ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେଡି କୁ ନିଜ ସ୍ଥିତି ସୁଧାରିବାର ଅତ୍ୟନ୍ତ ଆବଶ୍ୟକତା ଥିବା ନେଇ ରାଜନୈତିକ ବିଶେଷଜ୍ଞ ମତ ରଖିଛନ୍ତି । କେନ୍ଦ୍ର ଅବହେଳାର ଫାଇଦା ଉଠାଇ ବିଜେଡି ପୁନର୍ବାର ନିଜ ସଂଗଠନ କୁ ସୁଦୃଢ କରିବା ପ୍ରକୃତ ସମୟ ଆସିଥିବା ଚର୍ଚ୍ଚା ହେଉଛି । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କୁ ପଶ୍ଚିମ ଓଡ଼ିଶାରେ ବିଜେଡ଼ି ସାଙ୍ଗଠନିକ ଦାୟିତ୍ୱ ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଅପରପକ୍ଷରେ ସେମାନଙ୍କ ମନ୍ତ୍ରୀ ପଦ ରହିବ ନା ପରିବର୍ତ୍ତନ ହେବ ସେ ସମ୍ୱନ୍ଧରେ କୌଣସି ସୂଚନା ମିଳି ନାହିଁ। ମାତ୍ର ରେଢାଖୋଲ ବିଧାୟକ ରୋହିତ ପୂଜାରୀ ଙ୍କ ମନ୍ତ୍ରୀପଦ ନେଇ ଚର୍ଚ୍ଚା ହେଉଛି ।