ପଶ୍ଚିମବଙ୍ଗରେ ପୁଲିସ ସହ ବିଜେପି କର୍ମୀଙ୍କ ସଂଘର୍ଷ, ଜଣେ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗର ସିଲିଗୁଡିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ ସମୟରେ ପୁଲିସ ସହ ଦଳୀୟ କର୍ମୀଙ୍କ ସଂଘର୍ଷ ଘଟି ଜଣକର ମୃତ୍ୟୁ ହୋଇଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀଙ୍କ ସରକାରର କୁଶାସନ ବିରୋଧରେ ଉତ୍ତର ବେଙ୍ଗଲରେ ବିଜେପି ଏହି ବନ୍ଦ ପାଳନ ଡାକରା ଦେଇଥିଲା।
ସିଲିଗୁଡିରେ ରାଜ୍ୟ ସଚିବାଳୟର ଶାଖା ‘ଉତ୍ତରକନ୍ୟା’ ନିକଟରେ ବିଜେପି କର୍ମୀମାନେ ରାଲିରେ ଯାଇ ବାରିକେଡ୍ ଭଙ୍ଗାରୁଜା କରିବାରୁ ପୁଲିସ ସେମାନଙ୍କୁ ବାଧା ଦେଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଜଣେ ବିଜେପି କର୍ମୀ ଉଲେନ ରାଏଙ୍କ ମୃତ୍ୟୁ ହୋଇଛି। ତେବେ ପୁଲିସ ପକ୍ଷରୁ କୁହାଯାଇଛି, ଏହି ବିଜେପି କର୍ମୀଙ୍କ ମୃତ୍ୟୁର କାରଣ ଶବ ବ୍ୟବଛେଦ ପରେ ଜଣାପଡିବ। ଏହି ପରିପ୍ରେକ୍ଷୀରେ ବିଜେପିର ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ ଟିଏମ୍ସି ସରକାରକୁ କଡା ସମାଲୋଚନା କରିଛନ୍ତି ଏବଂ କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ଗଲାଣି।