ଭାରତ ବୀର ପୁତ୍ର ଅଭିନନ୍ଦଙ୍କ ସ୍ୱାଗତରେ କମ୍ପିଲା ଅଟାରୀ ବର୍ଡର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜିତିଲେ ମୃତ୍ୟୁକୁ ନୁଆଁଇଲେ ଶତ୍ରୁକୁ । ଏଭଳି ଏକ ବୀର ଯବାନଙ୍କୁ ସ୍ୱାଗତ କରିଛି ଭାରତ । ଦୁର୍ଘଟଣା ରୁ ବର୍ତ୍ତିବା ପରେ ୬୦ ଘଣ୍ଟା ପାକିସ୍ତାନରେ ବନ୍ଦୀ ହୋଇ ରହିବା ପରେ ଆଜି ରାତି ୯ଟା ୨୦ରେ ଅଟାରୀ ବର୍ଡର ଦେଇ ଆଜି ଭାରତ ଫେରିଛନ୍ତି ଭାରତୀୟ ବାୟୁସେନାରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ । ସେ ଦିନ ୧୨ଟା ରେ ଭାରତ ପହଞ୍ଚିବା କାର୍ଯ୍ୟକ୍ରମ ଥିଲା ମାତ୍ର ଏଥିରେ ବିଳମ୍ବ ଘଟିଥିଲା । ପାକିସ୍ତାନରୁ ଫେରିବା ପରେ ତାଙ୍କର ଶାରୀରିକ ଯାଞ୍ଚ କରାଯାଇଛି । କମାଣ୍ଡର ଅଭିନନ୍ଦନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୱାଘା ବର୍ଡରରେ ଆଜି ସନ୍ଧ୍ୟାରେ ହେବାକୁ ଥିବା ବିଟିଙ୍ଗ୍ ରିଟ୍ରିଟ୍ କୁ ରଦ୍ଦ କରି ଦିଆଯାଇଥିଲା । ମାତ୍ର ସାଧାରଣ ଜନତା ସମଗ୍ର ଦେଶରୁ ଅଭିନନ୍ଦନଙ୍କ ସ୍ୱାଗତ ପାଇଁ ହାତରେ ଅଭିନନ୍ଦନଙ୍କ ସ୍ୱାଗତ କରିବାକୁ ଅପେକ୍ଷା କରି ରହିଥିଲେ । ବାୟୁସେନାର ଏକ ପ୍ରତିନିଧିମଣ୍ଡଳ କମାଣ୍ଡର ଅଭିନନ୍ଦନଙ୍କୁ ପାଛୋଟି ଆଣିବା ପାଇଁ ୱାଘା ବର୍ଡର ପହଞ୍ଚି ଥିଲେ । ତାଙ୍କ ପିତାମାତା ମଧ୍ୟ ପୁଅକୁ ଆଣିବା ପାଇଁ ୱାଘା ବର୍ଡରରେ ଅପେକ୍ଷା କରି ରହିଥିଲେ । ପାକିସ୍ତାନ ଅଭିନନ୍ଦନଙ୍କୁ ମୁକ୍ତ କରିବାକୁ ବାରମ୍ବାର ସମୟର ପରିବର୍ତ୍ତନ କରିଥିଲା ।

ସୂଚନା ଅନୁଯାୟୀ, ଭାରତର ମିଗ୍-୨୧ ବିମାନ ନଷ୍ଟ ହେବା ପରେ ଯୁଦ୍ଧ ବିମାନରୁ ପାରାଚୁଟରେ ପାଇଲଟ ଅଭିନନ୍ଦନ ଅବତରଣ କରିଥିଲେ । ଏହାପରେ ଅଭିନନ୍ଦନ ପାକ୍ ସେନା ହାତରେ ଧରାପଡ଼ିବାକୁ ନେଇ ପାକିସ୍ତାନ ପକ୍ଷରୁ ଏକ ଭିଡ଼ିଓ ଭାଇରଲ କରାଯାଇଥିଲା । ଏହାକୁ ନେଇ ସମଗ୍ର ବିଶ୍ବରୁ ପାକିସ୍ତାନକୁ ଅନେକ ନିନ୍ଦା ଶୁଣିବାକୁ ପଡିଥିଲା । ଶେଷରେ ଚାପରେ ପଡି ପାକିସ୍ତାନ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମୁକ୍ତ କରିବାକୁ ସହମତି ପ୍ରକଟ କରିଥିଲା । ଅଭିନନ୍ଦନଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବାକୁ ପାକ ବିଦେଶ ମନ୍ତ୍ରାଳୟକୁ ଭାରତ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଥିଲା । ଏହି ସବୁ ଘଟଣା ମଧ୍ୟରେ ଅଭିନନ୍ଦନଙ୍କ ନିର୍ଭୀକତା ସମସ୍ତ ସେନାଙ୍କ ପାଇଁ ଉଦାହରଣ ପଲଟିଛି । କାରଣ ଶତ୍ରୁ ମାନଙ୍କ ମଧ୍ୟରେ ଥାଇ ମଧ୍ୟ ତିଳେ ମାତ୍ର ବିଚଳିତ ହୋଇନଥିଲେ ଅଭିନନ୍ଦନ ।

Leave a comment