ଯାହା କହିବ ତାହା ମିଳିବ, ନାମାଙ୍କନ ପ୍ରତ୍ୟାହାର କର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯାହା କହିବ ତାହା ମିଳିବ, ନାମାଙ୍କନ ପ୍ରତ୍ୟାହାର କର । ଏଭଳି ପ୍ରତିଶ୍ରୁତିରେ ଅସନ୍ତୁଷ୍ଟ ଦଳୀୟ ପ୍ରାର୍ଥୀଙ୍କୁ ପୋତି ହେଉଛନ୍ତି ଦଳୀୟ ନେତା । ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଏବଂ କଂଗ୍ରେସ ନେତା ବର୍ତ୍ତମାନ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କୁ ମାନଇବାରେ ବ୍ୟସ୍ତ । କାରଣ ସେମାନେ ଦଳୀୟ ଟିକେଟ ନପାଇବା ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଫଳରେ ଦଲୀୟ ପ୍ରାର୍ଥୀ ଓ ସେମାନଙ୍କ ମଧ୍ୟରେ ଭୋଟ ବିଭାଜନ ହେବା ଆଶଙ୍କା ଘାରିଲାଣି ଦଳୀୟ ନେତାଙ୍କୁ । ନିଜ ନିଜ ଅଞ୍ଚଳରେ ପୂର୍ବ ପତିଆରା ବଜାୟ ରଖିବାକୁ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କୁ ମାନଇବାକୁ ଦେଉଛନ୍ତି ପ୍ରତିଶ୍ରୁତି । ଏବଂ ବଦଳରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ କୁହାଯାଉଛି ।
ସୂଚନା ଅନୁଯାୟୀ, ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ମନୋନୟନ ପତ୍ର ଯାଞ୍ଚ ସରିଯାଇଛି । ଆସନ୍ତା ୨୫ ତାରିଖ ଯାଏଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସୁଯୋଗ ରହିଛି। ସେହିଦିନ ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ମୁଖ୍ୟାଳୟରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ତେଣୁ ମଙ୍ଗଳବାର ଯାଏଁ ରାଜନୈତିକ ଦଳମାନେ ନିଜ ନିଜର ଅସନ୍ତୁଷ୍ଟ ପ୍ରାର୍ଥୀମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିବା ପାଇଁ ଲାଗି ପଡ଼ିଛନ୍ତି।
ବିଜେଡି, ବିଜେପି ଏବଂ କଂଗ୍ରେସର ରାଜନୈତିକ ମାନଭଞ୍ଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ନେତା ତଥା ସ୍ଥାନୀୟ ବିଧାୟକମାନେ ଏହି ବ୍ୟାପାରରେ ମନୋନିବେଶ କରିଛନ୍ତି। ଜିଲ୍ଲା ପରିଷଦ କ୍ଷେତ୍ରଗୁଡ଼ିକରେ ଯେପରି ଦଳୀୟ ବିଦ୍ରୋହୀ ଅଡ଼ୁଆ ସୃଷ୍ଟି ନ କରନ୍ତି ସେଥିପାଇଁ ବିଜେଡ଼ି ପ୍ରାରମ୍ଭରୁ ପ୍ରସ୍ତୁତି କରିଛି ଓ ତାହା ବହୁମାତ୍ରାରେ ସଫଳ ହୋଇଥିବା କୁହାଯାଇଛି। ସର୍ବସମ୍ମତ କ୍ରମେ ପ୍ରତିଟି ଜୋନ୍ର ଉପଯୁକ୍ତ ଏବଂ ଜିତିବା କ୍ଷମତା ରଖୁଥିବା ପ୍ରାର୍ଥୀଙ୍କୁ ଟିକେଟ୍ ପ୍ରଦାନ କରାଯାଇଛି। ଅପରପକ୍ଷରେ କଟକ ଜିଲ୍ଲା ଆଠଗଡ଼ ଏବଂ ଅନ୍ୟ କେତେକ ଅଞ୍ଚଳରେ ବିଦ୍ରୋହୀ ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜେପି ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଅନ୍ୟପକ୍ଷରେ କେତେକ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଦେଇ ପାରି ନ ଥିବା କୁହାଯାଇଛି । ଗତ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟରେ ବିଧାନସଭା ଲଢିଥିବା ପ୍ରାର୍ଥୀମାନଙ୍କୁ ଉପେକ୍ଷା କରି ଜିଲ୍ଲା ପରିଷଦ ଟିକେଟ୍ ବଣ୍ଟାଯାଇଛି । ତେଣୁ କଂଗ୍ରେସରେ ଏକ ସାମଗ୍ରିକ ସମନ୍ୱୟର ଅଭାବ ଦେଖାଦେଇଥିବା ଅନୁଭୂତ ହୋଇଛି। ସମିତିସଭ୍ୟ ମାନେ ପରୋକ୍ଷରେ ବ୍ଲକ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ନିର୍ବାଚିତ କରିଥାଆନ୍ତି । ତେଣୁ ଶାସକ ଦଳ ପକ୍ଷରୁ ଦଳୀୟ ସମର୍ଥନରେ ଏକାଧିକ ସମିତି ସଭ୍ୟ ପ୍ରାର୍ଥୀ ଯେପରି ଛିଡା ନ ହେବେ, ତାହାକୁ ସୁନିଶ୍ଚିତ କରାଯାଇଛି ।
ସେହିପରି ସରପଞ୍ଚ ଏପରିକି ୱାର୍ଡ ମେମ୍ବର କ୍ଷେତ୍ରରେ ମଧ୍ୟ ସମାନ ନୀତି ଆପଣାଯାଇଛି। ସବୁ ଦଳମାନେ ନିଜ ନିଜ ସ୍ଥିତି ନେଇ ଏକ ପ୍ରାକ୍ ଆକଳନ କରିସାରିଛନ୍ତି। ଶାସକ ବିଜେଡି ସବୁ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ ନେଇ ପୂର୍ବରୁ ଦାବି କରିସାରିଛି। ଗତଥର ପାଇଥିବା ସଫଳତାକୁ ବଜାୟ ରଖିବା ବିଜେପି ପାଇଁ ଆହ୍ୱାନ ହୋଇଛି। ଗୋଟିଏ ମାତ୍ର ଜିଲ୍ଲା ପରିଷଦ ଗଠନ କରିଥିବା କଂଗ୍ରେସ(ଝାରସୁଗୁଡ଼ା)ରେ ଆଉ ସେପରି ବଳ ନାହିଁ। ଯଦି କୌଣସି ମତେ ଦଳ ୪୦ରୁ ୫୦ଟି ପରିଷଦରେ ବିଜୟୀ ହୁଏ ତାହା ସର୍ବେତ୍ତମ ଫଳାଫଳ ହେବ ବୋଲି ଖୋଦ ଦଳର ନେତାମାନେ ମତ ରଖିଛନ୍ତି। ସେହିପରି ଗତଥର ୨୯୩ଟି ଜିଲ୍ଲା ପରିଷଦ ଜିତିଥିବା ବିଜେପି ଚଳିତ ନିର୍ବାଚନରେ ଅଧିକ ସଫଳ ହେବ ବୋଲି ଦାବି କରୁଥିବାବେଳେ ବାସ୍ତବିକ ଫଳ ଓଲଟା ହୋଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆକଳନ କରୁଛନ୍ତି। ଅନ୍ୟପକ୍ଷରେ ବିଜେଡି ନେତାମାନେ ସବୁ ଆସନରେ ବିଜୟୀ ହେବେ ବୋଲି ଦୃଢ଼ୋକ୍ତି ରଖିଛନ୍ତି।