ଓଡିଶାରେ ଗଢିବୁ ସରକାର, ଓଡିଶାକୁ ଦରକାର ଡବଲ୍ ଇଞ୍ଜିନ ସରକାର:ରାଜନାଥ
ନବରଙ୍ଗପୁରରେ ବିଜେପି କୋର କମିଟି ବୈଠକ । ଏହି ବୈଠକରେ ଯୋଗ ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜନାଥ କହିଛନ୍ତି ଯେ, ଓଡିଶା ସହିତ ମୋର ଭାବନାତ୍ମକ ସମ୍ପର୍କ ରହିଛି । କଂଗ୍ରେସ ସରକାର ସମୟରେ ଏଇଠୁ ଭାରତ ଯାତ୍ରା ଆରମ୍ଭ କରିଥିଲୁ । ଜଗନ୍ନାଥଙ୍କ ମାଟିରୁ ଭାରତ ସୁରକ୍ଷା ଯାତ୍ରା ଆରମ୍ଭ କରିଥିଲି । ସେତେବେଳେ ସବୁଠି ଆତଙ୍କବାଦ ଓ ନକ୍ସଲବାଦ ଥିଲା । ହେଲେ ଆଜି ଆମ ଦେଶରେ ଆତଙ୍କବାଦ ଓ ମାଓ କାର୍ଯ୍ୟକଳାପ କମିଛି । ପୁଲୱାମା ଘଟଣା ପରେ ଏହାର କଡା ଜବାବ ଦିଆଯାଇଛି ବୋଲି ରାଜନାଥ କହିଛନ୍ତି ।
ଅନ୍ୟପଟେ ଦେଶରେ ପୁଣିଥରେ ମୋଦୀ ସରକାର ଆସିବ ବୋଲି ଦୃଢୋକ୍ତି ଦେଖାଇଛନ୍ତି ରାଜନାଥ । ତା ସହିତ ଓଡିଶାରେ ମଧ୍ୟ ଡବଲ୍ ଇଞ୍ଜିନ ସରକାର ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛନ୍ତି । ବିଜେପି ହେଉଛି ଏକମାତ୍ର ପାର୍ଟି, ଯିଏ ଯାହା କହେ, ସେୟା କରେ । ପ୍ରତିଶ୍ରୁତି ମୁତାବକ ଧାରା ୩୭୦ ଓ ତିନି ତଲାକ୍ ଉଚ୍ଛେଦ ହେଇଛି । ୯ ବର୍ଷ ଭିତରେ ଦେଶରେ ଗରିବୀ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି ବୋଲି ରାଜନାଥ କହିଛନ୍ତି ।
ତେବେ ଓଡିଶା ସହ କେନ୍ଦ୍ର ସରକାର କେବେ ବି ଭେଦଭାବ କରିନାହାଁନ୍ତି । ଓଡିଶାରେ ପୂର୍ବ ତୁଳନାରେ ମେଡିକାଲ, ଇଞ୍ଜିନିୟରିଂ କଲେଜ ସଂଖ୍ୟା ବୃଦ୍ଧି ପାଇଛି । ଓଡିଶାର ୩୦ ଲକ୍ଷ ଲୋକଙ୍କୁ ପକ୍କା ଘର ମିଳିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ନବରଙ୍ଗପୁରରୁ ଅଭିଭାଷଣ ଦେଇ କହିଛନ୍ତି । ତା ସହିତ ଦଳର କର୍ମୀମାନଙ୍କୁ ଆହ୍ୱାନ ଦେଇ ସେ କହିଛନ୍ତି, ଦଳ ପାଇଁ ୨୪ ଘଣ୍ଟାରୁ ୧୨ ଘଣ୍ଟା ଦିଅନ୍ତୁ ।