ନିୟମିତ ଦରମା, ଦରମା ବୃଦ୍ଧି ଓ ଚାକିରୀର ସୁରକ୍ଷା ନେଇ ଧନ୍ଦାମୂଳକ ଶିକ୍ଷକ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଧନ୍ଦାମୂଳକ ଶିକ୍ଷକ ପକ୍ଷରୁ ଭୁବନେଶ୍ୱରସ୍ଥିତ ଉତ୍କଳ ସାମ୍ବାଦିକ ଭବନ ସଭାଗୃହରେ ଏକ ସାମ୍ବାଦିକ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ନିୟମିତ ଦରମା ଓ ଦରମା ବୃଦ୍ଧି ନେଇ ସଂଘର ସଭାପତି ଶ୍ରୀ ସୁନିଲ କୁମାର ଦେବତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ଶେଖ୍ ବେଲାଲୁଦ୍ଦିନ ଅହମ୍ମଦ, ଶାନ୍ତନୁ ଷଡ଼ଙ୍ଗୀ, ପ୍ରଶାନ୍ତ ମହାନ୍ତି, ସସ୍ମିତା ବାରିକ ପ୍ରମୁଖ ଯୋଗଦେଇ ଧନ୍ଦାମୂଳକ ଶିକ୍ଷକମାନଙ୍କର ଦରମା ବୃଦ୍ଧି ହେଉନଥିବାରୁ ଉଦ୍ବେଗ ପ୍ରକାଶ କରିଥିଲେ ।
ସଂଘ ତରଫରୁ କୁହାଯାଇଛି ଯେ, ନିକଟରେ ରାଜ୍ୟ ସରକାର ବିଭିନ୍ନ ଠିକା ଓ ଆଉଟ ସୋର୍ସିଂରେ କାମ କରୁଥିବା କର୍ମଚାୀମାନଙ୍କ ଦରମା ବୃଦ୍ଧି କରିଥିଲେ ମଧ୍ୟ ଧନ୍ଦାମୂଳକ ଶିକ୍ଷକମାନେ ଏଥିରୁ ବାଦ୍ ପଡ଼ିଛନ୍ତି । ତେଣୁ ତୁରନ୍ତ ଦରମା ବୃଦ୍ଧି ସହିତ ଠିକ୍ ସମୟରେ ଦରମା ପ୍ରଦାନ କରିବା, ଓରିଅନ ଓ ଲେବରନେଟ ଦୁଇ କମ୍ପାନୀ ୧୦ ମାସର ଦରମା, ଅନେକ କମ୍ପାନୀ ପ୍ରାୟ ୪/୫ ମାସ ପର୍ଯ୍ୟନ୍ତ ଧନ୍ଦାମୂଳକ ଶିକ୍ଷକଙ୍କୁ ଦରମା ପ୍ରଦାନ କରିନାହାଁନ୍ତି । ଏଭଳି ପରିସ୍ଥିତିରେ ଶିକ୍ଷକ ମାନେ ମାନସିକ ଚାପଗ୍ରସ୍ତ ରହୁଛନ୍ତି । ତେଣୁ ତୁରନ୍ତ ରାଜ୍ୟ ସରକାର ଏହିଭଳି କମ୍ପାନୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଧନ୍ଦାମୂଳକ ଶିକ୍ଷକ ଚାକିରୀ ପ୍ରଦାନ କରିଥିବା ଆଉଟିସୋର୍ସିଂ କମ୍ପାନୀକୁ ରାଜ୍ୟ ସରକାର ତୁରନ୍ତ ଅନୁମୋଦନ ପ୍ରଦାନ କରନ୍ତୁ । ଦୀର୍ଘ ପାଞ୍ଚବର୍ଷ ଚାକିରୀ କରିଥିଲେ ମଧ୍ୟ ଆଜିର ମହଙ୍ଗା ଯୁଗରେ ସେମାନଙ୍କୁ ୧୫୦୫୦ ଟଙ୍କା ଦରମା ପ୍ରଦାନ କରାଯାଉଛି । ତେଣୁ ୨୫୦୦୦ ଟଙ୍କା ଦରମା ବୃଦ୍ଧି କରାଯାଉ । ଧନ୍ଦାମଳକ ଶିକ୍ଷକମାନଙ୍କର ଚାକିରୀର ସୁରକ୍ଷା ପାଇଁ ରାଜ୍ୟ ସରକାର ଏକ ସ୍ଥାୟୀ ଯୋଜନା ପ୍ରଣୟନ କରନ୍ତୁ ଆଦି ଦାବି ନେଇ ଧନ୍ଦାମୂଳକ ଶିକ୍ଷକ ସଂଘ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଯଦି ଖୁବ୍ କମ୍ ଦିନ ମଧ୍ୟରେ ସଂଘର ଦାବୀଗୁଡ଼ିକ ରାଜ୍ୟ ସରକାର ପୂରଣ ନକରନ୍ତି, ତେବେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।