ଜଣେ ଜନପ୍ରିୟ ନେତାଙ୍କୁ ହରାଇଲୁ: ସଞ୍ଜୟ ଦାସବର୍ମା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ବିଜେଡ଼ି ନେତା ବିଷ୍ଣୁଚରଣ ଦାସଙ୍କ ଦେହାନ୍ତ ଖବର ଶୁଣି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଶ୍ରୀଯୁକ୍ତ ସଞ୍ଜୟ ଦାସବର୍ମା କହିଛନ୍ତି, ଆମେଜଣେ ଜନପ୍ରିୟ ନେତାଙ୍କୁ ହରାଇଛୁ । ଏହାସହ ଶ୍ରୀ ଦାସବର୍ମା ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଶ୍ରୀ ଦାସବର୍ମା ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଜଗତସିଂହପୁର ଜିଲ୍ଲାର ବିକାଶରେ ଶ୍ରୀ ଦାସଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସେ ଯେଉଁ ଦାୟିତ୍ୱରେ ରହିଥିଲେ, ସଫଳତାର ସହ ତାକୁ ନିର୍ବାହ କରିଥିଲେ । ଜଣେ ଜନପ୍ରିୟ ନେତା ଭାବେ ସେ ଜଗତସିଂହପୁର ଅଞ୍ଚଳରେ ପରିଚିତ । ସେ ଜଣେ ଦକ୍ଷ ସଂଗଠକ ଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ସେ ଜଣେ ଘନିଷ୍ଠ ସହଯୋଗୀ ଥିଲେ । ଓଡ଼ିଶାରେ ଅଣକଂଗ୍ରେସ ଆନ୍ଦୋଳନର ଜଣେ ପ୍ରମୁଖ ନେତା ଭାବେତାଙ୍କୁ ଗଣାଯାଏ । ଗଣଶିକ୍ଷା ବିଭାଗର ମନ୍ତ୍ରୀ ଥିବା ସମୟରେ ସେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ । ସେ ଜଗତସିଂହପୁର ବିଧାନସଭା କ୍ଷେତ୍ରରୁ କ୍ରମାଗତ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇ ବିରଳ ଉଦାହରଣ ସୃଷ୍ଟି କରିଥିଲେ । ସେହିପରି ଗତ ନିର୍ବାଚନରେ ସେ ତିର୍ତ୍ତୋଲ୍ରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାସହ ସେ ୨ଠ୧୬ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ମଧ୍ୟ ସେ ଦାୟିତ୍ୱ ନିର୍ବାହ କରିଥିଲେ । ତାଙ୍କର ଅମାୟିକ ସ୍ୱଭାବ ଯୋଗୁଁ ସେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ । ତାଙ୍କର ଦୀର୍ଘ ୪ଠ ବର୍ଷ କର୍ମମୟ ଜୀବନରଆଜି ଅବସାନ ଘଟିଛି । ମୁଁ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି । ଏଥିସହ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି । ଏହି କଠିନ ସମୟରେ ତାଙ୍କ ଆତ୍ମୀୟ ସ୍ୱଜନ, ପରିବାରବର୍ଗ, ଶୁଭେଚ୍ଛୁ ଓ ସମର୍ଥକଙ୍କୁ ମହାପ୍ରଭୁ ଜଗନ୍ନାଥ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ।