ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ବିରାଟ କୋହଲି ଓ ରୋହିତ ଶର୍ମା
ଟିମ୍ ଇଣ୍ଡିଆର ଷ୍ଟାଇଲିସ୍ ବ୍ୟାଟର ବିରାଟ କୋହଲି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବାର୍ବାଡୋସରେ ଚାଲିଥିବା ଟି-୨୦ ବିଶ୍ୱକପର ମ୍ୟାଚ ପରେ ସେ ଅବସର ବାବଦରେ ଘୋଷଣା କରିଛନ୍ତି।
ଭାବ ବିହୋଳ ହୋଇ ଅବସର ଘୋଷଣା କରିଛନ୍ତି ବିରାଟ କୋହଲି। ଏହା ତାଙ୍କର ଶେଷ ଟି-୨୦ ବିଶ୍ୱକପ୍ ଥିଲା। ଏହା ହିଁ ଆମେ ହାସଲ କରିବାକୁ ଚାହୁଁଥିଲୁ ବୋଲି ସେ କହିଛନ୍ତି। ନିଜ ତଥା ଦଳର ସଫଳତା ପାଇଁ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି ବିରାଟ। ଅବସର ପୂର୍ବରୁ ଏହିପରି ଏକ ବିଜୟକୁ ସେ ଅପେକ୍ଷା କରିଥିଲେ ବୋଲି କହିଛନ୍ତି। ତେଣୁ ବିଜୟ ପରେ ଭାରତ ପକ୍ଷରୁ ଏହା ତାଙ୍କର ଶେଷ ଟି-୨୦ ମ୍ୟାଚ୍ ଥିଲା ବୋଲି କହିଛନ୍ତି । ତେବେ ଦଳ ହାରିଥିଲେ ମଧ୍ୟ ସେ ଅବସର ଘୋଷଣା କରିଥାନ୍ତେ। କିନ୍ତୁ ବିଜୟ ହୋଇଥିବାରୁ ସେ ଏଥିପାଇଁ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି। ପରବର୍ତ୍ତୀ ପିଢ଼ି ପାଇଁ ଟି-୨୦ ମ୍ୟାଚକୁ ଆଗକୁ ନେବାର ସମୟ ଆସିଛି। ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିବା ପାଇଁ ଅପେକ୍ଷା କରିଥିବା ଆମ ପାଇଁ ଦୀର୍ଘ ସମୟ ବିତିଗଲାଣି ବୋଲି କହିଛନ୍ତି।
ସେହିପରି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରୋହିତ କହିଛନ୍ତି ଯେ ସେ ଟେଷ୍ଟ ଏବଂ ଦିନିକିଆ ଫର୍ମାଟରେ ଭାରତର ପ୍ରତିନିଧିତ୍ୱ ଜାରି ରଖିବେ, କିନ୍ତୁ ସେ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରୁ ଦୂରେଇ ଯିବେ। ରୋହିତଙ୍କ ସାଥୀ ବିରାଟ କୋହଲି ମଧ୍ୟ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବାର କିଛି ସମୟ ପରେ ରୋହିତ ଏହି ନିଷ୍ପତ୍ତି ନେଇଛନ୍ତି।