ତୈଳ ଦର ବୃଦ୍ଧି ଯୋଗୁ ପ୍ୟାରିସ୍ ରାଜରାସ୍ତା ରଣକ୍ଷେତ୍ର, ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବିରୋଧରେ ଦେଶବାସୀ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍ରଁଙ୍କ ଜନବିରୋଧୀ ନୀତିକୁ ନେଇ ଅସନ୍ତୁଷ୍ଟ ହୋଇଛନ୍ତି ଦେଶବାସୀ । ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ ରାଜରାସ୍ତା ରଣକ୍ଷେତ୍ର ପାଲଟିଛି । ସବୁଆଡେ ଉତ୍ତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା, ଜଳାପୋଡ଼ା କରି ଦେଶବାସୀ ବିକ୍ଷୋଭ କରୁଛନ୍ତି । ଦେଶର ୪୦ ବର୍ଷ ପୁରୁଣା ଆର୍ଥତ୍କ ସଂସ୍କାର, ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ଓ ଶିଳ୍ପପତିଙ୍କୁ ସୁହାଉଥିବାବେଳେ ତୈଳ ଓ ଅନ୍ୟ ସାମଗ୍ରୀଗୁଡ଼ିକର ଦରଦାମ ଆକାଶଛୁଆଁ ହୋଇଛି । ଟିକସ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ । ତେଣୁ ମାକ୍ରଁ ତୁରନ୍ତ ଇସ୍ତଫା ଦିଅନ୍ତୁ, ନଚେତ ପରିଣାମ ଭୋଗିବେ ବୋଲି ‘ୟେଲୋ ଜ୍ୟାକେଟ୍’ ପରିହିତ ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି । ଗଣହିଂସାରେ ଏକାଧିକ ଲୋକ ମୃତ ଓ ୨୬୩ ଆହତ ହୋଇଥିବାବେଳେ ପୋଲିସ ୪୧୨ ବିକ୍ଷୋଭକାରୀଙ୍କୁ ଗିରଫ କରିଛି । ଏସବୁକୁ ଦୃଷ୍ଟିରେ ରଖି ମାକ୍ରଁ ପ୍ୟାରିସ୍ର ପ୍ରେସିଡେନ୍ସିଆଲ ପ୍ୟାଲେସ୍ରେ ଜରୁରୀ ବୈଠକ ଡକାଇ ସ୍ଥିତି ସମୀକ୍ଷା କରିଛନ୍ତି ।
ସୂଚନା ଅନୁଯାୟୀ, ଫ୍ରାନ୍ସରେ ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସ ଉପରେ ଟିକସ ବୃଦ୍ଧି ଏବଂ ଅନ୍ୟ ସାମଗ୍ରୀର ଦରଦାମ ଉପରେ ସରକାରୀ ନିୟନ୍ତ୍ରଣ ନ ରହିବା ପ୍ରତିବାଦରେ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲା ।