ବହୁଆଡମ୍ବରେ ଲଘୁକ୍ରିୟା, କଳିଙ୍ଗ ଷ୍ଟାଡିଅମରେ ଟିକେଟ ନମିଳିବାରୁ ଲଙ୍କାକଣ୍ଡ ଭିଆଇଲେ ଦର୍ଶକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନଭେମ୍ବର ୨୮ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି । ଏହା ପାଇଁ ରାଜ୍ୟ ସରକାର ଙ୍କ ତରଫରୁ ପ୍ରଚାର ପ୍ରସାର ମଧ୍ୟ କୌଣସି କମି ରଖା ଯାଇନାହିଁ । ଏହି ବିଶ୍ୱକପ ହକି କୁ ନେଇ ରାଜ୍ୟ ବାସୀ ମଧ୍ୟ ଖୁବ ଜୋସରେ ଅଛନ୍ତି । ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବ ପାଇଁ ଆଜି ୯ ନମ୍ବର ଗେଟ୍ କାଉଣ୍ଟରରେ ଟିକେଟ୍ ବିକ୍ରି ହେବାର ଥିଲା । ହେଲେ ଟିକେଟ୍ ବିକ୍ରି ନହେବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି କିଛି ଉତ୍ତ୍ୟକ୍ତ ଲୋକେ କଳିଙ୍ଗ ଷ୍ଟାଡିୟମରେ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଆଜି ସକାଳୁ ବିଶ୍ୱକପ୍ ହକି ଉଦଘାଟନୀ ଉତ୍ସବର ଟିକେଟ୍ ବିକ୍ରି ହେବ ବୋଲି ପୂର୍ବରୁ କ୍ରୀଡ଼ା ସଚିବ ବିଶାଳ ଦେବ ଘୋଷଣା କରିଥିଲେ । ୧୫ ତାରିଖରୁ ଟିକେଟ୍ ମିଳିବ ବୋଲି କୁହାଯାଇଥିଲା । ଆଉ ଏହାର ଦାମ ୫ ଶହ ଟଙ୍କା ରହିବ ବୋଲି ସଚିବ ପ୍ରେସ୍ମିଟରେ ସୂଚନା ଦେଇଥିଲେ । ଗତକାଲି ରାତି ୯ଟାରୁ ହଜାର ହଜାର ହକି ପ୍ରେମୀ ଉତ୍ସାହର ସହିତ ଟିକେଟ୍ ଆଶାରେ କାଉଣ୍ଟର ସାମ୍ନାରେ ଲାଇନ୍ ଲଗାଇଥିଲେ । ମାତ୍ର ଟିକେଟ ବିକ୍ରି ହୋଇନଥିଲା । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ କାଉଣ୍ଟର ସାମ୍ନାରେ ଥିବା ପୋଷ୍ଟର ଓ ବାରିକେଡ୍ ଭଙ୍ଗାରୁଜା କରିଥିଲେ ।