ପାଟକୁରା ନିର୍ବାଚନ, ଷ୍ଟ୍ରଙ୍ଗ ରୁମରେ ଉତ୍ତେଜନା, ଆକ୍ରମଣର ଶିକାର ହେଲେ ପୋଲିଂ ଅଧିକାରୀ

0

ଓଡିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡା ଜିଲାର ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ମତଦାନ ଶେଷ ହୋଇଛି । ଏଥିସହିତ ଇଭିଏମ୍‌ରେ ୧୦ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌ ହୋଇଯାଇଛି । ମତଦାନ ପାଇଁ ୩୦୯ଟି ବୁଥ୍ ଖୋଲା ଯାଇଥିବା ବେଳେ ୧୩୮ ବୁଥକୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଥିଲା ।

ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ସାରିବା ପାଇଁ ୬୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ମାତ୍ର ନିର୍ବାଚନ ଶେଷ ହେବା ପରେ କେନ୍ଦ୍ରାପଡ଼ା କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରେ ହୋଇଥିବା ଷ୍ଟ୍ରଙ୍ଗ ରୁମ୍‌ରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସେଠାରେ ଇଭିଏମ୍ ଓ ଭିଭିପାଟ୍ ରଖିବା ପାଇଁ ପୋଲିଂ ଅଧିକାରୀ ପହଞ୍ଚିବା ପରେ ଭିଭିପାଟ୍ ଖୋଲାଥିବା ଅଭିଯୋଗ ହୋଇଥିଲା । ଯୁକ୍ତିତର୍କ ମଧ୍ୟରେ ପରିସ୍ଥିତି ଏପରି ଅସମ୍ଭାଳ ହୋଇଥିଲା ଯେ ଜନୈକ ପୋଲିଂ ଅଧିକାରୀ ଲୋକଙ୍କ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି । ପରେ ପ୍ରଶାସନିକ ଅଧିକାରୀ, ନିର୍ବାଚନ କମିଶନଙ୍କ ଅଧିକାରୀ, ପୋଲିଂ ଅଧିକାରୀ ଏବଂ ଏଜେଣ୍ଟଙ୍କ ସମ୍ମୁଖରେ ଇଭିଏମ୍, ଭିଭିପାଟ୍ ଯାଞ୍ଚ ହୋଇଥିଲା । ଏହାପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ତେବେ ଆଇନ୍ ଶୃଙ୍ଖଳା ରକ୍ଷା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Leave a comment