ନିଲମ୍ବିତ ହେଡ୍ କ୍ଲର୍କଙ୍କ ଘରେ ଚଢ଼ାଉ କଲା ଭିଜିଲାନ୍ସ, ଅଭିଯୁକ୍ତ କ୍ଲର୍କଙ୍କ ସହ ପତ୍ନୀ ଗିରଫ

0

ବାଲେଶ୍ୱର, ୧୩/୦୯: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ନିଲମ୍ବିତ ହେଡ୍ କ୍ଲର୍କ ପ୍ରଭାକର ପ୍ରଧାନଙ୍କ ନିଜ ଘର, ଶ୍ବଶୁର ଘର ସମେତ ତିନୋଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ବାଲେଶ୍ବର ସହରର ନିଳିଆବାଗରେ ଥିବା ତାଙ୍କ ବାସଭବନରେ ୧୧ ଜଣିଆ ଭିଜିଲାନ୍ସ ଟିମ ଚଢାଉ ଜାରି ରଖିଥିବା ବେଳେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଚାଲିଛି ଭିଜିଲାନ୍ସ ଚଢାଉ । ସେହିପରି ତାଙ୍କ ଶ୍ବଶୁର ଘର ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଂଚଳର ନଛିପୁର ଗାଁରେ ଭିଜିଲାନ୍ସ ରେଡ୍ ଚାଲିଛି ।

ପ୍ରଭାକର ପ୍ରଧାନ ତିହିଡି ବ୍ଲକରେ କ୍ୟାସିଅର ଥିବା ବେଳେ ଇନ୍ଦିରା ଆବାସ ଫଣ୍ଡରୁ ୨୦ ଲକ୍ଷ ୨୫ହଜାର ଟଙ୍କା ତାଙ୍କ ପତ୍ନୀ, ଶଳା ଓ ଶଳାର ସାଙ୍ଗ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । ତାଙ୍କୁ ଗତ ମାସ ୨୭ ତାରିଖ ଦିନ ସସ୍‌ପେଣ୍ଡ କରାଯାଇଥିଲା । ଆଜି ଦିନ ୧୨ଟା ବେଳେ ହଠାତ ଭିଜିଲାନ୍ସ ଟିମ୍ ତାଙ୍କ ବାଲେଶ୍ବର ସ୍ଥିତ ବାସଭବନରେ ପହଂଚି ଥିଲା । ସେତେବେଳେ ଅଭିଯୁକ୍ତ ପ୍ରଭାକର ପ୍ରଧାନ ଘରେ ଥିଲେ । ଭିଜିଲାନ୍ସ ଟିମ ତାଙ୍କୁ ନିଜ ହେପାଜତକୁ ନେଇ ଯାଇଛନ୍ତି । ବାଲେଶ୍ବର ସହରର ନିଳିଆବାଗରେ ଥିବା ତାଙ୍କ ଚାରି ମହଲା କୋଠାଘରକୁ ଭିଜିଲାନ୍ସର ଟେକ୍ନିକାଲ ଟିମ୍ ମାପ କରି ମୂଲ୍ୟାଙ୍କନ କରୁଛନ୍ତି ।

ପ୍ରଭାକରଙ୍କ ପତ୍ନୀ ନିତୁ ପ୍ରଧାନ ଏଥିରେ ଜଡ଼ିତ ଥିବାରୁ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାପଡ଼ିଛି ଏଥିସହିତ ପ୍ରଭାକରଙ୍କୁ ମଧ୍ୟ ଗିରଫ କରାଯାଇଛି । ତାଙ୍କ ଶଳାଙ୍କୁ ସାଙ୍ଗଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବାରୁ ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ରେଡ୍‌ ପରେ କ୍ଲର୍କଙ୍କ ଶଳା ଫେରାର ଅଛନ୍ତି ।

Leave a comment