ବିଜୟ ଅମୃତ କୁଲାଙ୍ଗେ ବିଏମ୍‌ସି ଓ ନିଖିଳ ପବନ କଲ୍ୟାଣ ସିଏମ୍‌ସି କମିସନର

ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ

0

ଭୁବନେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟ ସରକାର ମନ୍ତ୍ରିମଣ୍ଡଳରେ ଅଦଳବଦଳ ପରେ ଏବେ ପ୍ରଶାସନିକ ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଆଜି ଉଭୟ ବରିଷ୍ଠ ଓ କନିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ କରାଯାଇଛି।

ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) କମିସନର ଭାବେ ନିଯୁକ୍ତି ମିଳିଛି। ସେହିପରି ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କୁ ଜଳ ସଂପଦ ବିଭାଗ ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ତେଣେ କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡିଙ୍କୁ ଓଏସ୍‌ଏମ୍‌ସିଏଲ୍‌ରେ ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି। ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଂଗଠନ (ଓଏଭିଏସ୍‌) ଏସ୍‌ପିଡି ଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶକ ଭାବେ ସରକାର ନିଯୁକ୍ତି ଦେଇଛନ୍ତି। ବାଲେଶ୍ବର ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଖୋର୍ଦ୍ଧା ବଦଳି କରାଯାଇଥିବା ‌ବେଳେ ଏଠାରୁ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଓଏଭିଏସ୍‌ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କୁ କଟକ ମହାନଗର ନିଗମ (ସିଏମ୍‌ସି) କମିସନର ଭାବେ ବଡ଼ ଦାୟିତ୍ବ ମିଳିଛି। ଏଠାରେ ଥିବା ଅନନ୍ୟା ଦାସଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ବଦଳି ହୋଇଛି। ରାଜ୍ୟ ସରକାରଙ୍କ ଜଳ ସଂପଦ ବିଭାଗର ଯୁଗ୍ମ ସଚିବ ରାଜସ୍ବ ବିଭାଗରେ ନିଯୁକ୍ତି ପାଇଛନ୍ତି।

କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦଙ୍କର ସୁନ୍ଦରଗଡ଼ ବଦଳି ହୋଇଥିବା ବେଳେ ନୂଆପଡ଼ା ଜିଲ୍ଲାପାଳ ସ୍ବଧା ଦେବ ସିଂହଙ୍କୁ ରାୟଗଡାରେ ଅବସ୍ଥାପିତ କରାଯାଇଛି। ଏଠାରେ ଥିବା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି। ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କର ଗଂଜାମ ଜିଲ୍ଲାପାଳ ଭାବେ ବଦଳି ହୋଇଛି। ବ୍ରହ୍ମପୁର ମହାନଗର ନିଗମର କମିସନର ସିଦ୍ଧେଶ୍ବର ବଳିରାମ ବନ୍ଦୋରଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ଏଠାରେ ଥିବା ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ରାଜସ୍ବ ବିଭାଗରେ ନିଯୁକ୍ତି ମିଳିଛି। ସେହିଭଳି ଗଂଜାମ ପିଡି ଡିଆରଡିଏ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ବାଲେଶ୍ବର ଜିଲ୍ଲାପାଳ ଭାବେ ବଦଳି ହୋଇଛି।

୨୦୧୭ ବ୍ୟାଚର ଆଇଏଏସ୍ ଅଧିକାରୀ ସୋମଶେ କୁମାର ଉପାଧ୍ୟାୟଙ୍କୁ ଦେବଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ସେ କଳାହାଣ୍ଡି ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଥିଲେ। ସେହିପରି ମୟୂରଭଞ୍ଜ ଜିଳ୍ଲାର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଥିବା ପି.ଅନ୍ବେଷା ରେଡ୍ଡିଙ୍କୁ କଳାହାଣ୍ଡିର ନୂତନ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି।

ବାଲେଶ୍ବରରେ ଉପ-ଜିଲ୍ଲାପାଳ ଥିବା ୨୦୧୭ ବ୍ୟାଚର ଆଇଏଏସ୍ ଅଧିକାରୀ ପତିତ ଆଶିଷ ଈଶ୍ବରଙ୍କୁ କନ୍ଧମାଳ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। କୋରାପୁଟ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଥିବା ହେମକାନ୍ତ ସେଙ୍କୁ ନୂଆପଡ଼ା ଜିଳ୍ଲାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଦିଆଯାଇଛି। ୨୦୧୮ ବ୍ୟାଚର ଆଇଏଏସ୍ ଅଧିକାରୀ କିର୍ତ୍ତୀ ଭାସନଙ୍କୁ ଗଞ୍ଜାମ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ସମ୍ବଲପୁରରେ ଉପ-ଜିଲ୍ଲାପାଳ ଥିବା ସୂର୍ଯ୍ୟବଂଶୀ ବିକାଶଙ୍କୁ ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିସନର ଭାବେ ନିଯୁକ୍ତ କରାଯାଇଛି। ସେହିପରି ଗୁଣୁପୁରରେ ଉପ-ଜିଲ୍ଲାପାଳ ଥିବା ଜେ. ସୋନଲଙ୍କୁ ବ୍ରହ୍ମପୁର ମହାନଗର ନିଗମର କମିସନର ଭାବେ ଦାୟିତ୍ବ ଦିଆଯାଇଛି। ନବରଙ୍ଗପୁର ଉପ-ଜିଲ୍ଲାପାଳ ଥିବା ୨୦୧୯ ବ୍ୟାଚ ଆଇଏଏସ୍ ଅଧିକାରୀ ଅଗ୍ରୱାଲ୍ ଅକ୍ଷୟ ସୁନୀଲଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ଉପ-ସଚିବ ଭାବେ ଅବସ୍ଥାପିତ କରାଯାଇଛି।

Leave a comment