ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳୁ ବରଗଡ଼ ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ସେ ହେଲେ ଟଙ୍କଧର ମେହେର । ତାଙ୍କ ବାସଭବନ ସମେତ ମୋଟ ୫ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି । ମେହେରଙ୍କ ବରଗଡ଼ ବାଲାଜୀ ସିଟି କୋଠାଘର ସମେତ ସର୍ଗିବାହାଲ ଗ୍ରାମର ପୈତୃକ ବାସଗୃହ, ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଘସିଆନସ୍ଥିତ ଶ୍ବଶୁର ଘର, ସରକାରୀ ଅଫିସ ଆଦି ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି ।
ସରକାରୀ ବାସଭବନରେ ଗତ ୬ ମାସ ହେଲା ସେ ରହୁ ନ ଥିବା ଯୋଗୁ ସେଠାରେ ତଲାସୀ ହୋଇ ନାହିଁ । ବରଗଡ଼ ଭିଜିଲାନ୍ସ ଡିଏସ୍ପି ବୀରେନ୍ଦ୍ର କୁମାର ନାୟକ, ରାଉରକେଲା ଭିଜିଲାନ୍ସ ଡିଏସ୍ପି ଡି. ସେଠୀ, ସମ୍ବଲପୁର ଭିଜିଲାନ୍ସ ଡିଏସ୍ପି ପରମେଶ୍ବର କିଶାନ ପ୍ରମୁଖ ଏହି ଚଢ଼ାଉରେ ସାମିଲ ଅଛନ୍ତି ।