ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ୨ ସରକାରୀ କର୍ମଚାରୀ

0

ଓଡିଶା ଫାଷ୍ଟ(ବ୍ୟୁରୋ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳୁ ଆନନ୍ଦପୁର ବ୍ୟାରେଜ ଡିଭିଜନର ସହକାରୀ ଯନ୍ତ୍ରୀ ନନ୍ଦକିଶୋର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ତାଙ୍କ କେନ୍ଦୁଝରସ୍ଥିତ ବାସଭବନ, ଆନନ୍ଦପୁର ସାଳପଡ଼ାସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ଏବଂ ଘଷିପୁରସ୍ଥିତ ପୈତୃକ ଘରେ ଏକକାଳୀନ ଚଢ଼ାଉ କରାଯାଉଥିବା ଜଣାପଡ଼ିଛି । କେନ୍ଦୁଝର ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ୪ଟି ଟିମ୍‌ ଦ୍ୱାରା ଏହି ଚଢାଉ ଜାରି ରହିଛି । 

ସେହିପରି ରାଜସ୍ବ ପରିଷଦଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ କିରଣ କୁମାର ସାମନ୍ତରାୟଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା । କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ପକ୍ଷରୁ ଜାରି ତଲାସି ୱାରେଣ୍ଟ ବଳରେ ଭିଜିଲାନ୍ସ ପକ୍ଷରୁ ମଙ୍ଗଳବାର କିରାଣୀ ସାମନ୍ତରାୟଙ୍କ ଘର, ଅଫିସ ସମେତ ମୋଟ ୫ଟି ସ୍ଥାନରେ ଏକକାଳୀନ ଯାଞ୍ଚ କରାଯାଇଛି । ଯାଞ୍ଚ ସ୍ଥାନଗୁଡ଼ିକ ମଧ୍ୟରେ କଟକ ବିଡ଼ାନାସୀଠାରେ ଥିବା ଦୁଇ ମହଲା କୋଠା, ସହରର ସେକ୍‌ବଜାରସ୍ଥିତ ତିନି ମହଲା କୋଠା, ଦେଉଳସାହିଠାରେ ଥିବା ତିନି ମହଲା କୋଠା, ସିଡିଏଠାରେ ଥିବା ୪ ମହଲା କୋଠା ଓ ରାଜସ୍ବ ପର୍ଷଦଙ୍କ କାର୍ଯ୍ୟାଳୟ ରହିଛି । ତେବେ ଯାଞ୍ଚରୁ ମୋଟ ୨କୋଟି ୩୯ ଲକ୍ଷ ୩୯ହଜାର ୨୧୬ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି । ଉକ୍ତ ସମ୍ପତ୍ତି କିରାଣୀ ସାମନ୍ତରାୟଙ୍କ ଓ ପରିବାରବର୍ଗଙ୍କ ନାମରେ ରହିଛି । ସିଡିଏଠାରେ ଥିବା ୪ମହଲା କୋଠାର ମୂଲ୍ୟ ୩୫ ଲକ୍ଷ ୫୫ହଜାର ୯୫୦ ଟଙ୍କା ହୋଇଥିବା ବେଳେ ସେକ୍‌ବଜାର ଓ ଦେଉଳସାହିଠାରେ ଥିବା ଦୁଇଟି ୩ ମହଲା କୋଠାର ମୂଲ୍ୟ ୧ କୋଟି ୫୩ ଲକ୍ଷ ୨୬ହଜାର ୬୫୯ ଟଙ୍କା ଏବଂ ବିଡ଼ାନାସୀଠାରେ ଥିବା ଦୁଇ ମହଲା କୋଠାର ମୂଲ୍ୟକୁ ଭିଜିଲାନ୍ସ ୧୩ ଲକ୍ଷ ୨୪ହଜାର ୯୬୫ ଟଙ୍କାରେ ଆକଳନ କରିଛି । ଏହାବାଦ ତାଙ୍କର ୮ ଲକ୍ଷ ୨୧ହଜାର ଟଙ୍କା ମୂଲ୍ୟର ଗୋଟିଏ କାର୍‌, ୧ ଲକ୍ଷ ୩୮ହଜାର ଟଙ୍କା ମୂଲ୍ୟର ଗୋଟିଏ ବାଇକ୍‌, ଘରୁ ୫ ଲକ୍ଷ ୭ହଜାର ୨୫୫ ଟଙ୍କା ମୂଲ୍ୟର ଆସବାବପତ୍ର ଭିଜିଲାନ୍ସ ଠାବ କରିଛି ।

Leave a comment

You cannot copy content of this page