ଭିଜିଲାନ୍ସ ଜାଲରେ ଥାନା ଏଏସ୍ଆଇ ଓ ନିର୍ବାହୀ ଯନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ); ମାମଲା ରଫାଦଫା ପାଇଁ ଅଭିଯୁକ୍ତଙ୍କୁ ଲାଞ୍ଚ ମାଗି ଫସିଛନ୍ତି ଆଳି ଥାନା ଆଇଆଇସି ରଣେନ୍ଦ୍ର କୁମାର ସାମଲ । ମଙ୍ଗଳବାର ମଧ୍ୟାହ୍ନରେ ଭିଜିଲାନ୍ସ ଟିମ୍ ଲାଞ୍ଚ ଟଙ୍କା ଜବତ କରିବା ସହ ରଣେନ୍ଦ୍ରଙ୍କୁ ଗିରଫ କରିଛି । ଏଥିସହ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ମୟୂରଭଞ୍ଜ ଜିଲା ଉଦଳା କ୍ଷୁଦ୍ର ଜଳ ସେଚନ ବିଭାଗ ସହକାରୀ ର୍ନିବାହୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ଫସିଛନ୍ତି;।
ଘଟଣାରୁ ପ୍ରକାଶ ଯେ, ଗତ ଏପ୍ରିଲରେ ଆଳି ଥାନା ଅନ୍ତର୍ଗତ ନିଆଳ ଗ୍ରାମର ବାନାମ୍ବର ଦାସ ଓ ସେହି ଗ୍ରାମର ସାବିତ୍ରୀ ସାମଲଙ୍କ ପରିବାର ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାରେ ସାବିତ୍ରୀଙ୍କୁ ବାନାମ୍ବର ଆକ୍ରମଣ କରିଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ । ସାବିତ୍ରୀଙ୍କ ଅଭିଯୋଗ ଆଧାରରେ ପୋଲିସ ୧୪/୧୯ ନଂ.ରେ ଏକ ମାମଲା ରୁଜୁ କରି ବାନାମ୍ବରଙ୍କୁ ଗିରଫ କରିଥିଲା । ଇତିମଧ୍ୟରେ ବାନାମ୍ବର ଜାମିନରେ ଆସିଥିବା ବେଳେ ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ରଣେନ୍ଦ୍ର ତାଙ୍କ ନାମରେ ଲାଗିଥିବା ୩୦୭ ଦଫା ଉଠାଇ ଦେବା ପାଇଁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ମଙ୍ଗଳବାର ପୂର୍ବାହ୍ନରେ ବାନାମ୍ବର ଏହି ଟଙ୍କା ରଣେନ୍ଦ୍ରଙ୍କୁ ପ୍ରଦାନ କରିଥିଲେ । ତେବେ କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଡିଏସପି ସୁରେନ୍ଦ୍ରନାଥ ରାୟଗୁରୁଙ୍କ ନେତୃତ୍ୱରେ ଏକ ଟିମ୍ ଆଳି ଥାନାରେ ପହଞ୍ଚି ରଣେନ୍ଦ୍ରଙ୍କୁ ଗିରଫ କରିବା ସହ ତାଙ୍କ ଡ୍ରୟରରୁ ଉକ୍ତ ଟଙ୍କା ଜବତ କରିଥିଲେ । ଏଥିସହ ଏହି ଘଟଣାର କେସ୍ ଫାଇଲ ଜବତ କରିବା ପରେ ଏଏସଆଇଙ୍କୁ କେନ୍ଦ୍ରାପଡା ନେଇ ଯାଇଥିବା ଜଣାପଡ଼ିଛି।
ସେହିପରି ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲା ଉଦଳା କ୍ଷୁଦ୍ର ଜଳ ସେଚନ ବିଭାଗ ସହକାରୀ ର୍ନିବାହୀ ଯନ୍ତ୍ରୀ ନୀଳକଣ୍ଠ ପାଢ଼ୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରିଛି । ବାଲେଶ୍ୱର ଭିଜିଲାନ୍ସର ଏକ ଟିମ ନୀଳକଣ୍ଠଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲେ ।