ଐତିହାସିକ ଦାୟିତ୍ୱ ନିଭାଇଲେ ନବୀନ, ବନ୍ଦେ ଉତ୍କଳ ଜନନୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ମିଳିଲା ରାଜ୍ୟ ସଙ୍ଗୀତର ମାନ୍ୟତା । ମେ ୩୦ ତାରିଖର ଐତିହାସିକ ମୁହୂର୍ତ୍ତକୁ ସ୍ମରଣୀୟ କରିବା ସହ ସାଢେ ୪ କୋଟି ଓଡିଆଙ୍କ ଭାବାବେଗକୁ ସମ୍ମାନ ଜଣାଇ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ଭାବରେ ସରକାରୀ ମାନ୍ୟତା ଦେଇଛି ରାଜ୍ୟ କ୍ୟାବିନେଟ । ଏଣିକି ଏହି ସଙ୍ଗୀତକୁ ସମସ୍ତ ସରକାରୀ କାର୍ଯ୍ୟକ୍ରମ, ଶିକ୍ଷାନୁଷ୍ଠାନରେ ଗାୟନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ସୂଚନା ଅନୁଯାୟୀ, ଶହେ ବର୍ଷରୁ ଉର୍ଦ୍ଧ ସମୟର ସଂଗ୍ରାମ, ସଂଘର୍ଷ ଓ ଦାବି ଭିତରେ ଶେଷରେ ଓଡିଆ ଜାତିର ସ୍ୱାଭିମାନର ସଙ୍ଗୀତକୁ ମିଳିଛି ରାଜ୍ୟ ସଙ୍ଗୀତର ମାନ୍ୟତା । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ଭାବରେ ସରକାରୀ ମାନ୍ୟତା ପ୍ରଦାନ କରାଯାଇଛି । ଏହି ସଙ୍ଗୀତର ପ୍ରଚାର ପ୍ରସାର ତଥା ଅଭିବୃଦ୍ଧି ନିମନ୍ତେ ଏହାର ସୃଜନାତ୍ମକ ପରିବେଷଣ ଉପରେ କୌଣସି କଟକଣା ରହିବ ନାହିଁ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ଏହି ସଙ୍ଗୀତକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।