ଉଷା ଦେବୀ ହେବେ ବାଚସ୍ପତି !
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ଥର ପାଇଁ ସରକାର ଗଠନ କରିବାକୁ ଯାଇ ଇତିହାସ ରଚିଛନ୍ତି । କିନ୍ତୁ ମହିଳାଙ୍କ ସମ୍ମାନ ରକ୍ଷା ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ଭୁଲିନାହାନ୍ତି ନବୀନ । ଯେଉଁପରି ସାଂସଦ ଟିକଟ ବଣ୍ଟନ ସମୟରେ ୩୩% ମହିଳାଙ୍କୁ ପ୍ରାର୍ଥୀ ହେବାର ସୁଯୋଗ ପ୍ରଦାନ କରିଥିଲେ । ସେହିପରି ବର୍ତ୍ତମାନ ନିଜ ମନ୍ତ୍ରୀ ମଣ୍ଡଳରେ ମହିଳାଙ୍କୁ ଦେବେ ମନ୍ତ୍ରୀ ହେବାର ସୁଯୋଗ । ଏପରିକି ସେ ଜଣେ ମହିଳାଙ୍କୁ ବାଚସ୍ପତି କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳୁଛି । ବାଚସ୍ପତି ଲିଷ୍ଟର ପ୍ରଥମରେ ଉଷା ଦେବୀଙ୍କ ନାଁ ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏଥର ୨ରୁ ୩ଜଣ ମହିଳାଙ୍କୁ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ଅଛି । ପ୍ରମିଳା ମଲ୍ଲିକ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିପାରେ ମନ୍ତ୍ରୀ ହେବାର ସୁଯୋଗ ।
ସୂଚନା ଅନୁଯାୟୀ, ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ସାଂସଦରେ ୩୩% ମହିଳା ସଂରକ୍ଷଣ ପାଇଁ ପ୍ରସ୍ତାବ ଦେଇଥିଲେ । ମାତ୍ର ତାହା ସଂସଦରେ ସ୍ୱୀକୃତି ପ୍ରାପ୍ତ କରି ପାରିଲା ନାହିଁ । ସେ ସମୟରେ ସମସ୍ତେ ମୁଖ୍ୟମନ୍ତ୍ରୀ ଉପହାସ କରିବା ସହ ସେ କେତେଜଣ ମହିଳାଙ୍କୁ ଟିକେଟ ଦେବେବୋଲି କହିଥିଲେ । କିନ୍ତୁ ନିର୍ବାଚନୀ ସାଂସଦ ଟିକେଟ ବଣ୍ଟନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ପାଳନ କରିଥିଲେ । ଯାହାକି ବିରୋଧୀଙ୍କ ମୁହଁ ବନ୍ଦ କରି ଦେଇଥିଲା ।