ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ ପ୍ରସ୍ତାବ ଉପରେ ବିଚାର କରିବାକୁ ଅନୁରୋଧ

ସାବରମତୀ, କାଶୀ ଓ ବାରାଣାସୀ ଭଳି ସମ୍ବଲପୁରର ପୁରୁଣା ଅଯୋଧ୍ୟା ସାଗର ବନ୍ଧକୁ ‘ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ’ ଅଧୀନରେ ବିକଶିତ କରାଯାଇପାରିବ । ମୋଦୀ ସରକାର ‘ବିକାଶ ବି, ବିରସାତ୍ ବି’ ଅଧୀନରେ ପରମ୍ପରା ଏବଂ ଆଧୁନିକତା ମଧ୍ୟରେ ଥିବା ସମାନତା ଗୁଡ଼ିକ ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ଅନେକ ନଦୀ ଓ ଐତିହାସିକ ସ୍ଥଳୀରେ ପୂର୍ଣ୍ଣ ଓଡ଼ିଶା ‘ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ’ ବିକଶିତ କରିବାର ଅନନ୍ୟ ସୁଯୋଗ ପ୍ରଦାନ କରୁଛି । ମହାନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ବିଶ୍ୱସ୍ତରୀୟ ରିଭରଫ୍ରଣ୍ଟ ପ୍ରକଳ୍ପରେ ପରିଣତ କରିବା ପାଇଁ ସମ୍ବଲପୁର ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି । ପାର୍କ, ୱାକ୍ ୱେ, ଜିମ୍, ଆମ୍ଫିଥିଏଟର, ଆରତୀ ଘାଟ ଏବଂ ନଦୀ କୂଳରେ ଗାଧୋଇବା ଭଳି ସୁବିଧା ସୁଯୋଗ ସୃଷ୍ଟି ହୋଇପାରିବ । ସମ୍ବଲପୁର ସାଂସ୍କୃତିକ ଢାଞ୍ଚାକୁ ସମୃଦ୍ଧ କରିବା ସହ ଆଧ୍ୟାତ୍ମିକ ଏବଂ ମନୋରଞ୍ଜନ ଆକର୍ଷଣକୁ ବଢାଇବାରେ ଯୋଗଦାନ ରଖିବ ।
କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ନେତୃତ୍ୱରେ ଭାରତ ସରକାର କ୍ରମାଗତ ଭାବରେ ‘ବିକାଶ ବି, ବିରସାତ୍ ବି’ ଅଧୀନରେ ପରମ୍ପରା ଏବଂ ଆଧୁନିକତା ମଧ୍ୟରେ ଥିବା ସମାନତା ଗୁଡ଼ିକ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଆମର ବହୁ ପୁରୁଣା ଐତିହ୍ୟ ଏବଂ ସଂସ୍କୃତିର ସଂରକ୍ଷଣ କରିବା ସହିତ ଜନସାଧାରଣଙ୍କ ସୁବିଧା ପାଇଁ ଭବିଷ୍ୟତର ଜ୍ଞାନକୌଶଳ ଏବଂ ଭିତ୍ତିଭୂମି ସହିତ ଆଧୁନିକୀକରଣ କରୁଛନ୍ତି । ଓଡ଼ିଶାରେ ମଧ୍ୟ ଅନେକ ପୀଠ, ମନ୍ଦିର, ଐତିହ୍ୟ ସ୍ଥଳୀ ଓ ପ୍ରାକୃତିକ ଆକର୍ଷଣସ୍ଥଳୀରେ ପରିପୂର୍ଣ୍ଣ ରହିଛି । ଅନେକ ନଦୀ ଓ ଐତିହାସିକ ସ୍ଥଳୀରେ ପୂର୍ଣ୍ଣ ଓଡ଼ିଶା ‘ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ’ ବିକଶିତ କରିବାର ଅନନ୍ୟ ସୁଯୋଗ ପ୍ରଦାନ କରୁଛି । ସାବରମତୀ ରିଭରଫ୍ରଣ୍ଟ ଏବଂ କାଶୀ ରିଭରଫ୍ରଣ୍ଟରେ ଏହିଭଳି କାମ କରାଯାଇଛି । ଏହା ଦ୍ୱାରା ଉକ୍ତ ସ୍ଥାନଟି ପର୍ୟ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ବେଶ୍ ସହାୟକ ହେବା ସହ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ଗତି ଦେଇଛି । ବାରାଣାସୀରେ ‘ନମୋ ରିଭରଫ୍ରଣ୍ଟ ପ୍ରକଳ୍ପ’ ମଧ୍ୟ ଗଙ୍ଗା ନଦୀ କୂଳରେ ଥିବା ‘ଖିଡକିଆଘାଟ’କୁ ସାଂସ୍କୃତିକ କାର୍ୟ୍ୟପନ୍ଥାକୁ ଜୀବନ୍ତ କରିଛି ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମହାନଦୀ କୂଳରେ ଅବସ୍ଥିତ ସମ୍ବଲପୁରର ଐତିହାସିକ ମହତ୍ତ୍ୱ ଓ ପ୍ରାକୃତିକ ଆକର୍ଷଣ ରହିଛି । ମହାନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ବିଶ୍ୱସ୍ତରୀୟ ରିଭରଫ୍ରଣ୍ଟ ପ୍ରକଳ୍ପରେ ପରିଣତ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି । ସମ୍ବଲପୁରର ଆଧ୍ୟାତ୍ମିକ ଐତିହ୍ୟକୁ ସୁରକ୍ଷିତ ରଖିବା ସହ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପର୍ୟ୍ୟଟନକୁ ପ୍ରୋତ୍ସାହିତ କରିବା ତଥା ମହାନଦୀର ପ୍ରାକୃତିକ ସୌନ୍ଦର୍ୟ୍ୟକୁ ଉପଯୋଗ କରିବା ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ମହାନଦୀ ପାର୍ଶ୍ୱରେ ଥିବା ପୁରୁଣା ଅଯୋଧ୍ୟା ସାଗର ବନ୍ଧକୁ ଅତ୍ୟାଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ପୁନରୁଦ୍ଧାର କରାଯାଇ ରିଭରଫ୍ରଣ୍ଟ ଥିବା ୭ କିଲୋମିଟର ଲମ୍ବା ଜଳାଶୟ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଏହି ପୁରୁଣା ବନ୍ଧର ନବୀକରଣ ଦ୍ୱାରା ଜଳଭଣ୍ଡାର କ୍ଷମତା ଯଥେଷ୍ଟ ବୃଦ୍ଧି ପାଇବ । ଏହି ଜଳଭଣ୍ଡାର ହୀରାକୁଦ ଜଳଭଣ୍ଡାରର ବିଦ୍ୟୁତ୍ ଚ୍ୟାନେଲରୁ ବାହାରୁଥିବା ଜଳକୁ ପ୍ରଭାବଶାଳୀ ଭାବରେ ଉପଯୋଗ କରିପାରିବ ଏବଂ ପ୍ରସ୍ତାବିତ ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ ପାଇଁ ମହାନଦୀରେ ଆବଶ୍ୟକ ପୋଖରୀ ସୃଷ୍ଟି କରିପାରିବ । ବିଦ୍ୟମାନ ଅଚଳ ସ୍ଲୁଇସ୍ ଗୁଡ଼ିକୁ ପୁନରୁଦ୍ଧାର କରାଯାଇପାରିବ କିମ୍ବା ବନ୍ଧକୁ ସୁରୁଖୁରୁରେ ଚଳାଇବା ପାଇଁ ନୂତନ ଢାଞ୍ଚା ସହିତ ବଦଳାଯାଇପାରିବ । ଅଯୋଧ୍ୟା ସାଗର ବନ୍ଧର ଆଧୁନିକୀକରଣ ବ୍ୟତୀତ ଉଭୟ ନଦୀକୁ ମଜଭୂତ୍ କରାଯିବ । ବୋଟିଂ ସୁବିଧା ସହ ସ୍ନାନ ଘାଟ (ଜେଟି ନଦୀ) ଏବଂ ଆରତି ଘାଟ ନିକଟରେ ଥିବା ଦଳ ଗୁଡ଼ିକୁ ସଫା କରାଯାଇ ନଦୀକୂଳରେ ସଠିକ୍ ଭାବରେ ଜଳ ଯୋଗାଣ କରାଯାଇପାରିବ । ଏହାବ୍ୟତୀତ ସମ୍ବଲପୁର ସହରରେ ଡ୍ରେନେଜ୍ ସମସ୍ୟାକୁ ହ୍ରାସ କରିବା ପାଇଁ ପ୍ରସ୍ତାବିତ ପୋଖରୀକୁ ସଂଯୋଗ କରୁଥିବା ସମସ୍ତ ନାଳରେ ସ୍ଲୁଇସର ଆବଶ୍ୟକ ବ୍ୟବସ୍ଥା କରାଯାଇପାରେ ।
ସମ୍ବଲପୁରରେ ମହାନଦୀ କୂଳରେ ଉପରୋକ୍ତ ରିଭରଫ୍ରଣ୍ଟ ଉନ୍ନୟନ ପ୍ରକଳ୍ପ ଏକ ରୋମାଞ୍ଚକର ଦୃଶ୍ୟ ସୃଷ୍ଟି କରିଛି । ଏଠାରେ ପାର୍କ, ୱାକ୍ ୱେ, ଜିମ୍, ଆମ୍ଫିଥିଏଟର, ଆରତୀ ଘାଟ ଏବଂ ନଦୀ କୂଳରେ ଗାଧୋଇବା ଭଳି ସୁବିଧା ସୁଯୋଗ ସୃଷ୍ଟି କରିପାରିବା । ଏହା କେବଳ ଏହି ଅଞ୍ଚଳର ସାଂସ୍କୃତିକ ଢାଞ୍ଚାକୁ ସମୃଦ୍ଧ କରିବ ନାହିଁ ବରଂ ଏହାର ଆଧ୍ୟାତ୍ମିକ ଏବଂ ମନୋରଞ୍ଜନ ଆକର୍ଷଣକୁ ବଢାଇବାରେ ଯୋଗଦାନ ରଖିବ । ମହାନଦୀ ସାଂସ୍କୃତିକ, ମନୋରଞ୍ଜନ ଓ ଅର୍ଥନୈତିକ କାର୍ୟ୍ୟର କେନ୍ଦ୍ରବିନ୍ଦୁ ପାଲଟିପାରିବ । ଏହା ଦ୍ୱାରା ସ୍ଥାନୀୟ ଲୋକମାନେ ଉପକୃତ ହେବା ସହ ଏହି ସ୍ଥାନ ଦୂରଦୂରାନ୍ତରୁ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିପାରିବ । ସମ୍ବଲପୁରରେ ମହାନଦୀ ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ ଏହି ଅଞ୍ଚଳର ଅପର୍ୟ୍ୟାପ୍ତ ସମ୍ଭାବନାକୁ ପ୍ରସ୍ଫୁଟିତ କରିପାରିବ ଏବଂ ସମ୍ବଲପୁରକୁ ଭାରତର ଏକ ସମୃଦ୍ଧ ପର୍ୟ୍ୟଟନ ସ୍ଥଳୀରେ ପରିଣତ କରିପାରିବ । ଓଡ଼ିଶାବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରସ୍ତାବକୁ ବ୍ୟକ୍ତିଗତ ଭାବରେ ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ।