ଏମପିଲାଡ୍ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରକୁ ନୋଡାଲ୍ ଜିଲ୍ଲା ଭାବେ ଚୟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର ସମେତ ଅନୁଗୋଳ ଓ ଦେବଗଡରେ ବିକାଶମୂଳକ କାର୍ଯ୍ୟ ହେବ ତ୍ୱରାନ୍ୱିତ

0

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ):ମାନନୀୟ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନିଜ ସାଂସଦ ସ୍ଥାନୀୟ କ୍ଷେତ୍ର ବିକାଶ ଯୋଜନା ତଥା ଏମପିଲାଡ୍ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରକୁ ନୋଡାଲ୍ ଜିଲ୍ଲା ଭାବରେ ଚୟନ କରିଛନ୍ତି ।

ଏ ନେଇ ଭାରତ ସରକାରଙ୍କ ଷ୍ଟାଟିଷ୍ଟିକ୍ସ ଏବଂ କାର୍ଯ୍ୟକ୍ରମ କ୍ରିୟାନ୍ୱୟନ ମନ୍ତ୍ରଣାଳୟ ଅନ୍ତର୍ଗତ ଏମପିଲାଡ୍ ଡିଭିଜନ ପକ୍ଷରୁ ଏକ ପତ୍ର ଜରିଆରେ ଅବଗତ କରାଯାଇଛି । ସମ୍ବଲପୁର ଲୋକସଭା ସାଂସଦ ଭାବରେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁରକୁ ନୋଡାଲ ଜିଲ୍ଲା ଭାବରେ ଚୟନ କରିଛନ୍ତି । ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଅନୁଗୋଳ ଏବଂ ଦେବଗଡ ଜିଲ୍ଲା ଆସୁଅଛି । ସମ୍ବଲପୁର ସମେତ ଅନୁଗୋଳ ଓ ଦେବଗଡରେ ବହୁ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହେବା ସହ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେବ ।

ଉଲ୍ଲେଖନୀୟ ଯେ, ଏମପିଲାଡ଼୍ କେନ୍ଦ୍ର ସରକାରଙ୍କର ଏକ ଯୋଜନା ଯାହାର ସଂପୂର୍ଣ୍ଣ ଅର୍ଥ ଭାରତ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥାଏ । ଏହି ଯୋଜନାର ଉଦ୍ଦେଶ୍ୟ ହେଲା, ସାଂସାଦମାନଙ୍କୁ ମୁଖ୍ୟତଃ ନିଜ ନିଜର ନିର୍ବାଚନ ମଣ୍ଡଳୀର ବିକାଶ କାର୍ଯ୍ୟକୁ ସୁପାରିଶ କରିବା ନିମନ୍ତେ ସକ୍ଷମ କରିବା । ଏହା ଅଧୀନରେ ପାନୀୟ ଜଳ, ପ୍ରାଥମିକ ଶିକ୍ଷା, ସାର୍ବଜନୀନ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଏବଂ ସଡ଼କ ଭିତ୍ତିଭୂମି ଇତ୍ୟାଦି କ୍ଷେତ୍ରରେ ତଥା ସାର୍ବଜନୀନ ଭିତ୍ତିଭୂମି ଉପରେ ବିଶେଷ ଭାବେ ଦୃଷ୍ଟି ଦିଆଯିବ ।

Leave a comment