ପୋକ ସାଲୁବାଲୁ ଗାଁ, ଅଜଣା ପୋକକୁ ନେଇ ଚିନ୍ତାରେ ଗ୍ରାମବାସୀ

0

ସାରା ଗାଁ ପୋକ ସାଲୁବାଲୁ । ଯୁଆଡେ ଚାହିଁଲେ ପୋକ । ଗାଁଟା ସାରା ଲୋକଙ୍କୁ ନାକେଦମ କରିଦେଲାଣି ଏହି ପୋକ । ଛୋଟ ଛୋଟ କଳାରଙ୍ଗର ଏହି ପୋକ ପାଇଁ ଲୋକେ ନା ରାନ୍ଧି ପାରୁଛନ୍ତି ନା ଖାଇ ପାରୁଛନ୍ତି । କେତେବେଳେ ଏହି ଖାଇବା ହାଣ୍ଡିରେ ପଶି ଯାଉଛି ତ କେତେବେଳେ ଲୋକଙ୍କ କାନ, ମୁଣ୍ଡରେ ପଶି ଯାଉଛି । ଏମିତି ପୋକ ପାଇଁ ନାକେଦମ ହେଲାଣି ପ୍ରଶାସନ ।

ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟି ପଞ୍ଚାୟତର ଜମ୍ବେଶ୍ବରପୁର ଅଞ୍ଚଳରେ ଦେଖା ଦେଇଛି ଅଜଣାପୋକର ଭୟ । ଛୋଟ କଳା ରଙ୍ଗର ଏହି ପୋକ ଏବେ ଗାଁସାରା ବ୍ୟାପି ଯାଇଛନ୍ତି । ଏମତିକି ପୋକ ପାଇଁ ପ୍ରାୟ ସମସ୍ତଙ୍କ ଘରେ ରୋଷେଇ ହେବା ବନ୍ଦ ହୋଇଗଲାଣି । କାରଣ ରାନ୍ଧିବା ସମୟରେ ସାଲୁବାଲୁ ହୋଇ ଉଡୁଥିବା ପୋକଗୁଡିକ ଖାଦ୍ୟରେ ପଡ଼ିଯାଉଛନ୍ତି।

ବିଗତ କିଛି ଦିନ ହେଲା ଏହି କଳା ରଙ୍ଗର ଛୋଟ ଛୋଟ ପୋକ ଦେଖା ଦେଇଛନ୍ତି ଏହି ଅଞ୍ଚଳରେ । ପୋକ ଲୋକଙ୍କ ମୁଣ୍ଡ ଓ କାନରେ ପଶି ଯାଉଛନ୍ତି । ପ୍ରଥମେ ଏହି ଘଟଣାକୁ ହାଲୁକାରେ ନେଇଥିଲେ ଲାେକେ । ହେଲେ ପୋକଙ୍କ ଉପଦ୍ରବ ନ କମିବା ଯୋଗୁଁ ଲୋକେ ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲେ । ଖବର ପାଇ ସଦର ବିଡ଼ିଓ ଏକ ମେଡ଼ିକାଲ ଟିମ୍‌କୁ ଜମ୍ବେଶ୍ଵରପୁର ପଠାଇ ଥିଲେ । ସ୍ଵାସ୍ଥ୍ୟକର୍ମୀମାନେ ପୋକ ଉପଦ୍ରବ ସ୍ଥାନରେ ବ୍ଲିଚିଂ ପକାଇଥିଲେ। ପରେ ଯାଞ୍ଚ ପାଇଁ ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀମାନେ ମଧ୍ୟ ପହଞ୍ଚିଥିଲେ ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ଅଜଣା ପୋକ ପ୍ରଥମେ ସମ୍ପୃକ୍ତ ଅଞ୍ଚଳର ଆଦିବାସୀ ଓ ହରିଜନ ବସ୍ତିରେ ଉପଦ୍ରବ ଆରମ୍ଭ କରିଥିଲା । ପରେ ଲୋକେ ପୋକଙ୍କୁ ମାରିବା ପାଇଁ କୀଟନାଶକର ପ୍ରୟୋଗ କରିଥିଲେ । ତଥାପି ପୋକ ଉପଦ୍ରବ କମି ନ ଥିଲା । ଏବେ ଧିରେ ଧିରେ ପୋକ ଚାରିଆଡେ ମାତିଗଲେଣି I

ସମାଜସେବୀ ଶାନ୍ତା ଦାସ ଏ ବାବଦରେ ଖବର ପାଇବା ପରେ ଓୟୁଟି ମୁଖ୍ୟଙ୍କୁ ଯୋଗାଯୋଗ କରିଥିଲେ। ପରେ ଦୁଇଜଣ ବୈଜ୍ଞାନିକ ସ୍ଵାଗତିକା ସାହୁ ଓ ଗାୟତ୍ରୀ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ପୋକକୁ ଚିହ୍ନଟ ମଧ୍ୟ କରିଛନ୍ତି। ପେଣ୍ଟାମିଡବଗ୍ ଜାତୀୟ ପୋକ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ଶୁଖୁଲା ପରିବେଶ ପାଇଁ ବହୁଳ ସଂଖ୍ୟାରେ ଏହି ପୋକ ଜନ୍ମ ହୋଇଛନ୍ତି। ପାଣିପାଗର ପରିବର୍ତ୍ତନ ପାଇଁ ଜନବସତିକୁ ମାଡି ଯାଉଛନ୍ତି। । ତେଣୁ ପ୍ରଶାସନ ଏବାବଦରେ ତୁରନ୍ତ ପଦକ୍ଷେପ ଗ୍ରହଣ ସହିତ ଏକ ସ୍ଵତନ୍ତ୍ର ଟିମ୍ ପଠାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

 

Leave a comment

You cannot copy content of this page