ଦେଶରେ ବେରୋଜଗାର ବଢ଼ୁଛି : ୬୦ଲକ୍ଷ ଅନୁମୋଦିତ ପଦ ଖାଲି

0

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦେଶରେ ବେକାରୀ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ୬୦ ଲକ୍ଷରୁ ଅଧିକ ଅନୁମୋଦିତ ସରକାରୀ ଚାକିରି ଖାଲିପଡ଼ିଛି। ସେଥିମଧ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟସ୍ତରରେ ବିଭିନ୍ନ କ୍ଷେତ୍ରରେ ଏହି ପଦବୀଗୁଡିକ ଖାଲିପଡ଼ିଥିବା ଜଣାଯାଇଛି। ଏହା ସରକାରୀ ରିପୋର୍ଟରୁ ଜାଣିବାକୁ ମିଳିଛି। ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବା ପରେ କୌଣସି ନୂଆ ଚାକିରି ସୃଷ୍ଟି ହୋଇନାହିଁ, ବରଂ ସରକାରୀ ଅନୁମୋଦିତ ଲକ୍ଷ ଲକ୍ଷ ସଂଖ୍ୟାରେ ପଦବୀ ଖାଲି ପଡ଼ିଥିବାବେଳେ ସେଥିରେ ନିଯୁକ୍ତି ଦିଆଯାଉନାହିଁ। ଏକ ଅନୁସନ୍ଧାନମୂଳକ ରିପୋର୍ଟରୁ ଜଣାଯାଇଛି ଯେ କେନ୍ଦ୍ର ସରକାରୀ ସ୍ତରରେ ପ୍ରାୟ ୩୦ ଲକ୍ଷ ଏବଂ ବିଭିନ୍ନ ରାଜ୍ୟ ସରକାରୀ ସ୍ତରରେ ଆଉ ପ୍ରାୟ ୩୦ ଲକ୍ଷ ଅନୁମୋଦିତ ସରକାରୀ ପଦବୀ ଖାଲିପଡ଼ିଛି। ଏହି ପଦବୀଗୁଡିକ ପୂରଣ କରାଗଲେ ଦେଶରେ ବେକାରୀ ସମସ୍ୟା ଅନେକାଂଶରେ ହ୍ରାସ ପାଇବା ସହିତ ତାହା ସାମାଜିକ-ଅର୍ଥନୈତିକ ବିକାଶରେ ସହାୟକ ହୋଇପାରନ୍ତା।

ଅନୁଧ୍ୟାନ ରିପୋର୍ଟରୁ ଜଣାଯାଇଛି ଯେ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗଗୁଡିକରେ ପ୍ରାୟ ୯.୧୦ ଲକ୍ଷ ପଦବୀ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମୂହ, ଆଇଆଇଟି, ଆଇଆଇଆଇଟି, ଆଇଆଇଏମ୍ ଏବଂ ଏନଆଇଟି ତଥା ଅନ୍ୟ ସରକାରୀ ପରିଚାଳିତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହାର ନବୋଦୟ ବିଦ୍ୟାଳୟରେ ପ୍ରାୟ ୩୭ ହଜାର, ରାଜ୍ୟଗୁଡିକର ପ୍ରାଥମିକ ବିଦ୍ୟାଳୟରେ ୮.୫୩ ଲକ୍ଷ ପଦବୀ ଖାଲିପଡ଼ିଛି, ଯେଉଁଥିପାଇଁ ମୁଖ୍ୟତଃ କେନ୍ଦ୍ର ସରକାର ପାଣ୍ଠି ଯୋଗାଇ ଦେଇଥାନ୍ତି। ତାହାସହିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୧.୬୮ ଲକ୍ଷ, ଅଙ୍ଗନବାଡି କେନ୍ଦ୍ରରେ ୧.୭୬ ଲକ୍ଷ, ରାଷ୍ଟ୍ରାୟତ୍ତ ବ୍ୟାଙ୍କସମୂହରେ ୨ ଲକ୍ଷ, ଭାରତୀୟ ସେନାରେ ୧.୦୭ ଲକ୍ଷ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍)ରେ ପ୍ରାୟ ୯୨ହଜାର, ରାଜ୍ୟ ପୋଲିସ ବିଭାଗ ଓ ବିଚାର ବିଭାଗଗୁଡିକରେ ସମଗ୍ର ଦେଶରେ ୫.୩୧ ଲକ୍ଷ ପଦବୀ ଖାଲିପଡ଼ିଛି। ସେଥିମଧ୍ୟରେ ସୁପ୍ରିମକୋର୍ଟ, ହାଇକୋର୍ଟ ଏବଂ ନିମ୍ନ ଅଦାଲତଗୁଡିକରେ ଖାଲିଥିବା ପ୍ରାୟ ୫ହଜାର ପଦବୀ ଅନ୍ତର୍ଭୁକ୍ତ।

ପ୍ରତିବର୍ଷ ଦେଶରେ ସରକାରୀ ଅନୁମୋଦିତ ଖାଲିପଡୁଥିବା ପଦବୀ ସଂଖ୍ୟା ବୃଦ୍ଧିପାଉଥିବାବେଳେ ବେକାରୀ ସମସ୍ୟା ଦୂରୀକରଣ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ଆନ୍ତରିକତା କେତେ ଏଥିରୁ ସ୍ପଷ୍ଟ ବାରିହୋଇପଡୁଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାର ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକୁ ବିକ୍ରି କରିବାକୁ ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଦେଶରେ ବିଚାରାଧୀନ ମକଦ୍ଦମା ସଂଖ୍ୟା ବୃଦ୍ଧି ପାଇଚାଲିଥିବାବେଳେ ବିଚାର ବିଭାଗରେ ହଜାର ହଜାର ସଂଖ୍ୟାରେ ପଦବୀ ଅନୁମୋଦିତ ପଦବୀ ଖାଲିପଡ଼ିବା ଅନେକଙ୍କୁ ଚକିତ କରିଛି। ଅନେକ ଅର୍ଥନୀତିଜ୍ଞଙ୍କ ମତରେ ଏହିସବୁ ପଦବୀ ଜରୁରୀ ଭିତ୍ତିରେ ପୂରଣ କରାଯିବା ଆବଶ୍ୟକ ହୋଇପଡ଼ିଛି। ଏତିକି ସଂଖ୍ୟାରେ ଲୋକ ନିଯୁକ୍ତି ପାଇଲେ ଏବଂ ସେମାନଙ୍କ ହାତକୁ ଟଙ୍କା ଆସିଲେ, ତାହାଦ୍ୱାରା ଅର୍ଥନୀତି ସଶକ୍ତ ହୋଇପାରିବ ବୋଲି ସେମାନେ ମତ ଦେଇଛନ୍ତି।

Leave a comment