ବବିଙ୍କର ଦୁଇ ଅଦୃଶ୍ୟ ହାତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡ଼ି ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କର ସାଂଗଠନିକ ଦକ୍ଷତା ଦଳ ପରଖି ସାରିଲାଣି । ବବି ଦଳରେ ଲଢ଼ୁଆ ତରୁଣ ତୁର୍କ ସୃଷ୍ଟି କଲେଣି । ଏଥି ସହିତ ଦଳ ମଧ୍ୟରେ ଥିବା ସାମାନ୍ୟ ମତଭେଦକୁ ମଧ୍ୟ ଅତ୍ୟନ୍ତ ଚତୁରତାର ସହ ହାଣ୍ଡଲ୍ କରୁଛନ୍ତି । ସୁଶାନ୍ତ ସିଂହ, ଦିବ୍ୟ ଶଙ୍କର ମିଶ୍ର, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ଟୁବୁ ତ୍ରିପାଠୀ, ଦେବେଶ ଆଚାର୍ଯ୍ୟ, ଡକ୍ଟର ଦେବାଶିଷ ମାରାଣ୍ଡି, ଡକ୍ଟର ସସ୍ମିତ ପାତ୍ର, ବିଜୟ ନାୟକ ଆଦି ତରୁଣଙ୍କୁ ଦଳୀୟ କାମରେ ନିୟୋଜିତ କରିବାଠାରୁ ଆରମ୍ଭ କରି ପ୍ରସନ୍ନ ଆଚାର୍ଯ୍ୟ, ବଦ୍ରି ପାତ୍ର, ରାଜା ସ୍ୱାଇଁ, ଦେବୀ ମିଶ୍ର, ସୌମ୍ୟ ପଟ୍ଟନାୟକ, ଅମର ପଟ୍ଟନାୟକ, ଅରୂପ ପଟ୍ଟନାୟକ, ସୁଦାମ ମାରାଣ୍ଡି, ପ୍ରତାପ ଦେବ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ, ଅରୁଣ ସାହୁ ଆଦି ନେତାଙ୍କର ରାଜନୈତିକ ଜ୍ଞାନର ସମତୁଲ ଉପଯୋଗ କରିବାରେ ବବି ନିଜର ଦକ୍ଷତା ଦେଖାଇ ସାରିଲେଣି ।
ତେବେ ଆଜିର ଚର୍ଚ୍ଚା ଆମର ଏମାନଙ୍କ ବିଷୟରେ ନୁହେଁ । ବବିଙ୍କର ଦୁଇଟି ଦେଖାଯାଉ ନଥିବା ହାତ ଉପରେ ଆଜିର ଚର୍ଚ୍ଚା । ଏ ଦୁଇଟି ହାତ ବବିଙ୍କର ଦୁଇ ଅଗ୍ରଣୀ ସେନାପତି ଭାବେ ଉଭା ହୋଇଛନ୍ତି । କିନ୍ତୁ ଏମାନଙ୍କ ନାମ ପଦାକୁ ଆସୁ ନାହିଁ । ପ୍ରଥମ ଥର ପାଇଁ ଏ ଦୁଇ ଜଣଙ୍କୁ ଆମେ ସାମ୍ନାକୁ ଆଣିବୁ । ବିଜେଡ଼ି ପାଇଁ ଏବେ ଚ୍ୟାଲେଂଜ୍ ହୋଇଛି ବିଜେପି ମିଡ଼ିଆ । କଂଗ୍ରେସର କୌଣସି ମିଡ଼ିଆ ନଥିବା ବେଳେ ବିଜେପି କିନ୍ତୁ ରକ୍ତବୀର୍ଯ୍ୟ ଭଳି ନିଜର ମିଡ଼ିଆ ସୃଷ୍ଟି କରିଛି । ୨୦୧୬ରୁ ବିଜେପି ଏଥିପାଇଁ କସରତ ଆରମ୍ଭ କରିଥିଲା । ଏହା ଏବେ ରଂଗ ଦେଖାଇବା ଆରମ୍ଭ କରିଛି । ବିଜେଡ଼ି ବିରୋଧରେ ଜନମତ ତିଆରି କରିବା ପାଇଁ ଏ ମିଡ଼ିଆ ଲାଗି ପଡିବା ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏପରିକି ନବୀନ ପିିଇବା ପାଣି ଦେଲେ ବି ଏମାନେ ତା’ ପଛରେ ଷଡଯନ୍ତ୍ର ଅଛି ବୋଲି କହୁଛନ୍ତି!!!
ଏ ସମୟରେ ଉଭା ହୁଅନ୍ତି, ବବିଙ୍କର ଅଦୃଶ୍ୟ ଡାହାଣ ହାତ ମାନସ ରଂଜନ ମଙ୍ଗରାଜ । ଆପଣ ଆଶ୍ଚର୍ଯ୍ୟ ହେବେ ରାଜ୍ୟର ଯେ କୌଣସି ମିଡ଼ିଆ ଅଫିସରେ ଖଇ ଫୁଟିଲେ ମାନସ ମଙ୍ଗରାଜଙ୍କ ପାଖରେ ଖବର ପହଂଚେ । ମିଡ଼ିଆ ପଲିଟିକ୍ସରେ ମାଜି ହୋଇ ବୃତିଗତ ଜୀବନ କଟେଇଥିବା ମାନସ ବାବୁ ରାଜ୍ୟର ସବୁ ସାମ୍ବାଦିକଙ୍କର ଊଣା ଅଧିକେ ନାଡି ଚିପି ସାରିଛନ୍ତି । ଏଥି ସହିତ ଭବିଷ୍ୟତରେ ବ୍ଲାକମେଲିଂରୁ ବଂଚିବା ପାଇଁ ବିଜେଡ଼ି ଯେଉଁ ଦୂରଦର୍ଶୀ ପଦକ୍ଷେପ ନେଇଛି ତା’ର କର୍ଣଧାର ହେଲେ ମାନସ ମଙ୍ଗରାଜ । ତାଙ୍କର ପ୍ରତ୍ୟକ୍ଷ୍ୟ ତତ୍ୱାବଧାନରେ ଚ୍ୟାନେଲ୍ ଓ ଖବରକାଗଜ ବାହାର କରି ବିଜେଡ଼ି ବି ସନ୍ଦେଶ ଦେଇଛି: ଖବରକାଗଜ ଓ ଚ୍ୟାନେଲ ମାଧ୍ୟମରେ ବ୍ଲାକମେଲିଙ୍ଗର ଯୁଗ ଶେଷ । କରୋନାରେ ମୃତ୍ୟୁ ବରଣ କରିଥିବା ସାମ୍ବାଦିକମାନଙ୍କୁ କରୋନା ଯୋଦ୍ଧା ଭାବେ ଗ୍ରହଣ କରି ୧୫ ଲକ୍ଷ ଦେବାକୁ ମାନସ ଦେଇଥିବା ପ୍ରପୋଜାଲ୍କୁ ଅବିଳମ୍ବେ ଗ୍ରହଣ କରାଗଲା । ମିଡ଼ିଆ ହାଉସମାନେ ମୃତକଙ୍କ ପରିବାରକୁ ଟଙ୍କାଟିଏ ତ ଦେଲେନି ଓଲଟି ଯେଉଁମାନେ ବଂଚିଛନ୍ତି, ସେମାନଙ୍କ ଦରମା କାଟିଲେ । ଏଥି ପାଇଁ ସାମ୍ବାଦିକମାନଙ୍କ ଭିତରେ ଏକ ପ୍ରତ୍ୟୟ ସୃଷ୍ଟି ହୋଇଛି ଯେ ଯାହାର କେହି ନାହିଁ, ତା’ର ମାନସ ମଙ୍ଗରାଜ ଅଛି । ମାନସଙ୍କ ଏ ଛବି ବବିଙ୍କୁ ପରିସ୍ଥିତିକୁ ସାମ୍ନା କରିବାରେ ବହୁ ସହାୟକ ହେଉଛି । ବବିଙ୍କ ପାଖକୁ ସାମ୍ବାଦିକ ଗଲେ, ସେ ତୁରନ୍ତ କହୁଛନ୍ତି, ମାନସ ଭାଇଙ୍କ ପାଖକୁ ଯାଅ । ଏହା ଦ୍ୱାରା ସେ ଦଳୀୟ କାମ କରିବାରେ ଅଧିକ ସମୟ ପାଉଛନ୍ତି ।
ଏବେ ବବିଙ୍କର ବାଁ ହାତର କଥା । ୟେ ହେଲେ ଏକଦା ମାନସ ମଙ୍ଗରାଜଙ୍କ ଅଧୀନରେ କାମ କରିଥିବା ସତ୍ୟଜିତ ମିଶ୍ର । ଏକଥା ଆମେ କହୁ ନାହୁଁ, ନିଜେ ସତ୍ୟଜିତ ବାବୁ ସୋସିଆଲ୍ ମିଡ଼ିଆରେ ଥରେ ପ୍ରକାଶ କରିଛନ୍ତି । ୨୦୧୭ରେ ଏକ ରହସ୍ୟଜନକ ପରିସ୍ଥିତିରେ ଓଟିଭି ଛାଡିଥିବା ସତ୍ୟଜିତ ବାବୁ ସୋସିଆଲ୍ ମିଡ଼ିଆରେ ଦଳର ଢ଼ାଲ ସାଜିଛନ୍ତି । ବବିଙ୍କର ଆକଳନ ହେଲା ୨୦୨୪ ମସିହାରେ ନିର୍ବାଚନ ଟିଭି କିମ୍ବା ପେପରରେ ନୁହେଁ ବରଂ ମୋବାଇଲରେ ଲଢ଼ାଯିବ । ଏଥି ପାଇଁ ସେ ତାଙ୍କୁ ଭରପୂର ଉପଯୋଗ କରିବା ଆରମ୍ଭ କରିଛନ୍ତି । ଛୋଟ ଛୋଟ ଭିଡ଼ିଓଠାରୁ ଆରମ୍ଭ କରି ତାଙ୍କର ଅସମ୍ଭବ ତର୍କ, ଲଢ଼ିବା ପାଇଁ ବିଜେଡ଼ି କର୍ମୀକୁ ବଳ ଯୋଗାଇବ ବୋଲି ବବି ଆଶା ବାନ୍ଧିଛନ୍ତି । କଥାରେ ଚାତୁରୀ, ଢ଼ଗ ଢ଼ମାଳିର ପ୍ରୟୋଗ, ଗାଁ ଗହଳିର କଥା ଓ ବିରୋଧୀଙ୍କୁ ହସରେ ଉଡାଇ ଦେବାର କଳା ସତ୍ୟଜିତ ବାବୁଙ୍କର ଏକ ବଡ଼ ଗୁଣ । ଏହା ତାଙ୍କ ସୋସିଆଲ ମିଡ଼ିଆର ହାବଭାବରୁ ବାରି ହୋଇ ପଡୁଛି ।
ପଂଚାୟତ ନିର୍ବାଚନରେ ବିଜେଡ଼ି ପ୍ରତି ଥିବା ବୌଦ୍ଧିକ ଆତଙ୍କକୁ ପ୍ରତିହତ କରିବା ପାଇଁ ବବି ଏହି ଗୁରୁ-ଶିଷ୍ୟ ଯୋଡିକୁ ଦୁଇଟି ଭୟଙ୍କର ଅସ୍ତ୍ର ଭାବେ ଉପଯୋଗ କରିବା ନେଇ ଜଣାପଡୁଛି ।