କାଳବୈଶାଖୀ : ୪ ଦିନ ପାଇଁ ୟେଲୋୱାର୍ଣ୍ଣିଂ ଜାରି
ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଗାମୀ ୪ ଦିନ ଯାଏ କାଳବୈଶାଖୀ ବର୍ଷାର ସମ୍ଭାବନା ଥିବାରୁ ତାପମାତ୍ରା ଅପେକ୍ଷାକୃତ କମ୍ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଗତକାଲି ରାଜ୍ୟର ତାପମାତ୍ରା ଅପେକ୍ଷାକୃତ କମ୍ ରହିଥିଲା । ମାତ୍ର ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବା ବେଳେ ବୌଦ୍ଧରେ ସର୍ବାଧିକ ୪୨.୫ ଡିଗ୍ରୀ ରେକର୍ଡ କରାଯାଇଥିଲା ଆଜି ବିଶେଷକରି କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ଗଜପତି ଓ ମୟୂରଭଞ୍ଜ ଜିଲ୍ଲା ଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
୧୨ତାବରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ବଲାଙ୍ଗୀର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଝଡ଼ବର୍ଷା ହେବ । ୧୪ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଥିବାରୁ ବିଭିନ୍ନ ଜିଲ୍ଲା ପାଇଁ ଆସନ୍ତା ୪ଦିନ ପାଇଁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି । ଅପରପକ୍ଷେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଉ କିଛି ଅଞ୍ଚଳରେ ସକ୍ରିୟ ହେବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । ଯଦି ପାଗ ଏମିତି ଲାଗି ରୁହେ, ତାହେଲେ ଓଡ଼ିଶାରେ ଖୁବଶୀଘ୍ର ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି ।