ଟ୍ବେଣ୍ଟି୨୦ ସିରିଜ୍: ଦକ୍ଷିଣ ଆଫ୍ରିକାର ଅଭ୍ୟାସ ଆରମ୍ଭ

0

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଘରୋଇ ଭାରତୀୟ କ୍ରିକେଟ୍ ଦଳ ବିପକ୍ଷରେ ଟ୍ବେଣ୍ଟି୨୦ ସିରିଜ୍ ଖେଳିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା କ୍ରିକେଟ୍ରମାନେ ଶୁକ୍ରବାର ଅଭ୍ୟାସ ଆରମ୍ଭ କରିଛନ୍ତି। ଭାରତରେ ପହଞ୍ଚିବା ପରେ ଦକ୍ଷିଣ ଆଫ୍ରିକା କ୍ରିକେଟର୍ଙ୍କ କୋଭିଡ୍ ପରୀକ୍ଷା କରାଯାଇଥିଲା। ରିପୋର୍ଟରୁ କୌଣସି ସଦସ୍ୟ କରୋନା ସଂକ୍ରମିତ ହୋଇନଥିବା ଜଣାପଡ଼ିଥିଲା।

ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ମାନେ ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଅଭ୍ୟାସ କରିଥିଲେ। ଦଳର ତାରକା ବ୍ୟାଟସମ୍ୟାନ୍‌ କ୍ବିଣ୍ଟନ୍‌ ଡି’କକ୍ ଅଭ୍ୟାସ ନ କରି ପଡ଼ିଆରେ ବେଶ୍‌ କିଛିସମୟ ଅତିବାହିତ କରିଥିଲେ। ସେହିପରି ଆଇପିଏଲ୍‌ରେ ବେଶ୍‌ ଭଲ ପ୍ରଦର୍ଶନ କରିଥିବା ଦକ୍ଷିଣ ଆଫ୍ରିକା ବ୍ୟାଟସମ୍ୟାନ୍‌ ଡେଭିଡ୍‌ ମିଲର ବର୍ତ୍ତମାନ ମାଳଦ୍ବୀପରେ ଛୁଟି କଟାଉଥିବା ବେଳେ ପରବର୍ତ୍ତୀ ସମୟରେ ଦଳ ସହ ଯୋଗ ଦେବେ ବୋଲି ଜଣାପଡ଼ିଛି।

ଅନ୍ୟ ଏକ ଘଟଣାକ୍ରମରେ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକାକୁ ପ୍ରତିନିଧିତ୍ବ କରିଥିବା ମୋଣ୍ଡଲି ଖୁମାଲୋଙ୍କ ଚିକିତ୍ସା ନିମନ୍ତେ ଭାରତ ଗସ୍ତରେ ଆସିଥିବା କ୍ରିକେଟର୍ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି। ଇଂଲଣ୍ଡର ଏକ ହୋଟେଲ୍‌ ବାହାରେ ଖୁମାଲୋଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ ସେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଏଥିସହ ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ମାନେ ଜିମ୍‌ରେ ଯାଇ ଶାରୀରିକ ଅଭ୍ୟାସ କରିଥିଲେ।

Leave a comment