କର୍ଣ୍ଣାଟକ ରାଜନୀତି: ଆସନ୍ତା ମଙ୍ଗଳବାର ଶୁଣାଣି କରିବେ ସୁପ୍ରିମକୋର୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କର୍ଣ୍ଣାଟକ ମେଣ୍ଟ ସରକାରର ପ୍ରାୟ ୧୮ ଜଣ ବିଧାୟକ ଇସ୍ତଫା ଦେବା ପରେ ଏବେ ମେଣ୍ଟ ସରକାରର ସଂଖ୍ୟାଗରିଷ୍ଠତାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଏ ନେଇ ଲଗାତାର ୭ ଦିନ ଧରି ରାଜନୀତିକ ଅସ୍ଥିରତା ଜାରି ରହିଛି । ଏହା ଭିତରେ ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ଅଧିବେଶନ । ମେଣ୍ଟ ସରକାରକୁ ବଞ୍ଚାଇବାକୁ ଯାଇ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଏବେ ସେ ବିଶ୍ୱାସ ମତ ପାଇଁ ପ୍ରସ୍ତୁତ ଓ ଏଥିପାଇଁ ତାଙ୍କୁ ସମୟ ଦିଆଯାଉ ବୋଲି ବିଧାନସଭାରେ କହିଛନ୍ତି । ଅନ୍ୟପଟେ ଗୁରୁବାର ବିଳମ୍ୱିତ ରାତ୍ରିରେ ଟ୍ୱିଟ କରି କୁମାରସ୍ୱାମୀ କହିଛନ୍ତି,  କଂଗ୍ରେସ ଓ ଜେଡିଏସର ବିଧାୟକ ଇସ୍ତଫା ଦେଇଥିଲେ ମଧ୍ୟ ମେଣ୍ଟ ମଜଭୁତ ରହିଛି ।

ଅପରପକ୍ଷରେ ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଆଜି ହେବାକୁ ଥିବା ବେଳେ ଏହି ଆସନ୍ତା ମଙ୍ଗଳବାରକୁ ସ୍ଥଗିତ ରଖାଯାଇଛି । ଇସ୍ତଫା ଦେଇଥିବା ବିଧାୟକଙ୍କ ବାବଦରେ ସୁପ୍ରିମକୋର୍ଟଙ୍କ ନିକଟକୁ ଆବଶ୍ୟକ ତଥ୍ୟ ଆସି ନଥିବାରୁ ଆଜି ଶୁଣାଣି କରିପାରିବେ ନାହିଁ । ଆସନ୍ତା ସପ୍ତାହର ମଙ୍ଗଳବାର ଏହି ମାମଲାର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଫଳରେ ଜୁଲାଇ ୧୬ ତାରିଖ ଯାଏ ବିଧାୟକଙ୍କ ଇସ୍ତଫା ବାବଦରେ ବାଚସ୍ପତି କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ଶୁଣାଣି କରି କହିଛନ୍ତି ।

Leave a comment