ସଂଯମତା ଦେଖାଇଲେ ଡୋନାଲ୍ଡ ଟ୍ରମ୍ପ! ବଳରେ ନୁହେଁ କୌଶଳରେ ମାରିବ ଆମେରିକା

0

ଓଡିଶା ଫାଷ୍ଟ(  ବ୍ୟୁରୋ) : ବର୍ତ୍ତମାନ ପାଇଁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଟଳି ଯାଇଛି। ଆମେରିକା-ଇରାନ ଯୁଦ୍ଧ ହେବାର ଆଶଙ୍କା କମ୍ । କାରଣ ସଂଯମତା ଦେଖାଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ଆମେରିକା ଉତ୍ତେଜନାକୁ ବୃଦ୍ଧି କରିବାକୁ ଚାହୁଁନାହିଁ କିମ୍ବା ଆଉ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନେବ ନାହିଁ । ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ସ୍ଥିରତା ଦରକାର । ଇରାନର ହିଂସା ଯୋଗୁଁ ମଧ୍ୟପ୍ରାଚ୍ୟରେ ଶାନ୍ତି ଆସିବନି । ତେଣୁ ଏହି ଦେଶକୁ ଏକଘରିକିଆ କରି ଚାପ ପକାଇବାକୁ ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଛନ୍ତି ଟ୍ରମ୍ପ l ଇରାକରେ ଥିବା ଆମେରିକାର ଏୟାର ବେସ୍ ଉପରେ ଇରାନର ମିସାଇଲ ମାଡ଼ ପରେ ପ୍ରଥମ ଥର ପ୍ରତିକ୍ରିୟା ଦେଇ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଏହି ଆକ୍ରମଣରେ କୌଣସି ଆମେରିକୀୟଙ୍କ ମୃତ୍ୟୁ ହୋଇନାହିଁ । କେବଳ ଏୟାରବେସ୍‌ର ସାମାନ୍ୟ କ୍ଷତି ହୋଇଛି । ତେହେରାନ ଉପରେ ନୂଆ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଛନ୍ତି ଟ୍ରମ୍ପ । ଏହି ଦେଶକୁ ଆଣବିକ ଶକ୍ତି ହେବାକୁ ଦିଆଯିବ ନାହିଁ । ଏହା ସହିତ ମିଲିଟାରି କମାଣ୍ଡର ସୋଲେମାନିର ହତ୍ୟାକୁ ଯଥାର୍ଥ ଦର୍ଶାଇଛନ୍ତି ଟ୍ରମ୍ପ । ସେ କହିଛନ୍ତି, ସୋଲେମାନ ଥିଲେ ବିଶ୍ୱର ସବୁଠୁ ବଡ଼ ଆତଙ୍କବାଦୀ । ତାଙ୍କୁ ବହୁ ଆଗରୁ ମାରିଦେବାର ଥିଲା l

ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି ଯେ, ଇରାନ ସାଉଦି ଆରବ ଉପରେ ମଧ୍ୟ ଆକ୍ରମଣ କରିଥିଲା ଏବଂ ଦୁଇଟି ଆମେରିକା ଡ୍ରୋନକୁ ମଧ୍ୟ ମାରି ଖସାଇଥିଲା। ଇରାନ ୟମନ, ଇରାକ, ଲିବ୍ୟା, ଲେବାନନରେ ମଧ୍ୟ ଆତଙ୍କ ମଚାଇଛି। ଏହା ସହିତ ଟ୍ରମ୍ପ ଚୀନ, ଫ୍ରାନ୍ସ, ବ୍ରିଟେନକୁ ଅପିଲ କରିଛନ୍ତି ଯେ, ସେମାନେ ମଧ୍ୟ ଇରାନ ପରମାଣୁ ଚୁକ୍ତିରୁ ଓହରି ଯାଆନ୍ତୁ l

Leave a comment