ଡ଼ିସିପି ଙ୍କ ଚତୁର କାର୍ଯ୍ୟାନୁଷ୍ଠାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲା ରେ କୌଣସି ସ୍ପଷ୍ଟ କାରଣ ନଦର୍ଶାଇ ଥିବା ସତ୍ୱେ ଏହି କେସ କୁ ସମାଧାନ କରିଥିବା ବାଃ ବାଃ ନେଇ ନିଜ ପିଠି ନିଜେ ଥାପଡାଉଛି କମିଶନରେଟ ପୋଲିସ । କାରଣ ଅନୁରାଗ ମୃତ୍ୟୁର ୧୧ଦିନ ମଧ୍ୟରେ ସବୁ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରି ଥିବା ଦାବି କରିଛି ପୋଲିସ । ଅନେକ ଅପରାଧିକ ମାମଲା ସତ୍ତ୍ୱେ ଖସି ଯାଉଥିବା ଭୁବନେଶ୍ୱର କନଷ୍ଟେବଲ ଓ ହାବିଲଦାର ସଂଘ ସମ୍ପାଦକ ପ୍ରସନ୍ନ ବେହେରାକୁ ଏଥର ବାନ୍ଧିଛି ପୋଲିସ । ପ୍ରସନ୍ନ ସମେତ ହୋଟେଲ ମାଲିକ ପ୍ରଦ୍ୟୁମ୍ନ ଜେନା ଓ ମ୍ୟାନେଜର ସୋଭିତ ଜେନା ମଧ୍ୟ ଗିରଫ ହୋଇଛନ୍ତି। ସେମାନଙ୍କ ବିରୋଧରେ ଦଫା ୨୬୯, ୨୭୦, ୧୬୮, ୧୨୦(ଖ) ଆଇପିସି ଓ ୫୨(କ) ଓଡିଶା ଅବକାରୀ ଆଇନ, ୯୬ ଓୟୁପି ଆକ୍ଟ/୩ଇଡି ଆକ୍ଟରେ ମାମଲା ରୁଜୁ କରାଯାଇଛି। ଦଫା ଗୁଡିକ ମଧ୍ୟରେ ଦାଦାବଟି ଦଫା କାହିଁକି ଓ କାହା ଉପରେ ଲାଗିଛି କିଛି ସ୍ପଷ୍ଟ କଲାନି ପୋଲିସ ।

ସେହିପରି ଅନୁରାଗଙ୍କ ମୃତ୍ୟୁ ସହିତ ସାଉଥ ସିଟି ହୋଟେଲ ମାଲିକ ପ୍ରଦ୍ୟୁମ୍ନଙ୍କ କଣ ସମ୍ପର୍କ ତାହା ସ୍ପଷ୍ଟ କରୁନାହାନ୍ତି ଡ଼ିସିପି । କିନ୍ତୁ ସମସ୍ତଙ୍କୁ ବାନ୍ଧି ଫରୱାର୍ଡ କରୁଛନ୍ତି । ଚାର୍ଜସିଟ ବେଳକୁ ଲଗାଇଥିବା ଦଫା ପ୍ରମାଣ କରିପାରିବ ତ ପୋଲିସ । ନା ଚାପ କୁ ଚାପିବାକୁ ଏହା ଏକ ଉଦ୍ୟମ ମାତ୍ର। କାରଣ ଅନୁରାଗଙ୍କ ବାପା ଜଣେ ଜଣାଶୁଣା ବରିଷ୍ଠ ସାମ୍ବାଦିକ । ତେଣୁ ପୋଲିସ ଉପରେ ପ୍ରବଳ ଚାପ ରହିଛି । ଖୁବଶୀଘ୍ର କିପରି କେସକୁ ସମାଧାନ କରିବ । କାହିଁକିନା କେଉଁ ଅଭିଯୁକ୍ତଙ୍କ ଅନୁରାଗଙ୍କ ମୃତ୍ୟୁରେ କଣ ଭୂମିକା ଥିଲା ସ୍ପଷ୍ଟ କରୁନି ପୋଲିସ । କିଏ ତାଙ୍କୁ ମାରିଥିଲା, କିଏ ପୋଖରୀରେ ଫିଙ୍ଗି ଥିଲା ।

ସାଉଥ ସିଟି ବାର ଲାଇସେନ୍ସ ହୋଲ୍ଡର ହେଉଛନ୍ତି ପଦ୍ମାବତୀ ଜେନା । ସରକାରୀ ନିୟମ ଅନୁଯାୟୀ ବାର ଲାଇସେନ୍ସ ହୋଲ୍ଡର କାହାକୁ ବାର ଲିଜ ରେ ଦେଇପାଇବେ ନାହିଁ । ଏଦିଗରେ ତାଙ୍କୁ ତଦନ୍ତଭୁକ୍ତ କରିବା ବଦଳରେ ତାଙ୍କ ସ୍ୱାମୀ ପ୍ରଦ୍ୟୁମ୍ନ ଜେନା ଏବଂ ମ୍ୟାନେଜରଙ୍କୁ ଗିରଫ କରାଯାଇଛି। ସେହିପରି ଯାଞ୍ଚ ସମୟରେ ବାରର ଲାଇସେନ୍ସ ୨୦୨୧ ମସିହା ମାର୍ଚ୍ଚ ୩୦ ତାରିଖରୁ ଶେଷ ହୋଇଯାଇଥିବା ଓ ବିନା ଲାଇସେନ୍ସରେ ବାରଟି ଚୋରାରେ ଚାଲିଥିବା ପୋଲିସ ଜାଣିବାକୁ ପାଇଛି । ତେବେ ପୂର୍ବରୁ ଏକ୍ସସାଇଜ ବିଭାଗ ଏ ସମ୍ପର୍କରେ ଜାଣିଥିଲା ନା ନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ସେହିପରି ତଦନ୍ତ ସମୟରେ ପ୍ରଦ୍ୟୁମ୍ନ ଜେନା ସ୍ୱୀକାର କରିଛନ୍ତି କି ତାଙ୍କ ସ୍ତ୍ରୀ ଙ୍କ ନାଁ ରେ ଥିବା ବାର ଲାଇସେନ୍ସ କୁ ସେ ହାବିଲଦାର ପ୍ରସନ୍ନଙ୍କୁ ଲିଜ ରେ ଦେଇଥିଲେ ।

ଅପରପକ୍ଷରେ ସାଉଥ ସିଟି ହୋଟେଲ ମାଲିକ ଙ୍କ କଟକ ରୋଡରେ ଏକ ହୋଟେଲ ଏବଂ ଡ୍ୟାନ୍ସ ବାର ଅଛି । ଯେଉଁଠାରେ ଅନୈତିକ କାର୍ଯ୍ୟ ପାଇଁ ଅନେକ ଥର ପୋଲିସ ଦ୍ୱାରା ରେଡ଼ ମଧ୍ୟ ହୋଇଛି ।

ପୋଲିସ ସୂଚନା ଅନୁଯାୟୀ, ଅନୁରାଗ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ବେଳେ ହୋଟେଲ ସାଉଥ ସିଟିର କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଥିଲା। ବେଆଇନ ଭାବେ ହୋଟେଲ ବିଲମ୍ବିତ ରାତି ପର୍ଯ୍ୟନ୍ତ ଖୋଲିଥିଲା। ତାହା ପୁଣି ପୋଲିସ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ଏହା ଜଣାପଡିବା ପରେ ପୋଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ଖୋଲତାଡ କରିଥିଲା। ଏହି ଘଟଣାରେ ପୋଲିସ ସାଉଥ୍ ସିଟି ବାର୍ ଉପରେ ଚଢାଉ କରିଥିଲା। ଚଢ଼ାଉ ବେଳେ ବାର୍ ଭିତରୁ ବିପୁଳ ପରିମାଣର ମଦ ଜବତ କରାଯାଇଛି । ଯାଞ୍ଚ ପରେ ବାରର ଲାଇସେନ୍ସ ୨୦୨୧ ମସିହା ମାର୍ଚ୍ଚ ୩୦ ତାରିଖରୁ ଶେଷ ହୋଇଯାଇଥିବା ଜଣାପଡିଥିଲା। ବିନା ଲାଇସେନ୍ସରେ ବାରଟି ଚୋରାରେ ଚାଲିଥିବା ପୋଲିସ ଜାଣିବାକୁ ପାଇଥିଲେ। ଏହା ଜଣାପଡିବା ପରେ ବାରକୁ ପଚିଚାଳନା କରୁଥିବା ପ୍ରସନ୍ନ ବେହେରାକୁ କର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏଥି ସହିତ ମାଲିକ ପ୍ରଦ୍ୟୁମ୍ନ ଜେନା, ପ୍ରସନ୍ନ ବେହେରା ଓ ମ୍ୟାନେଜରଙ୍କୁ ପୋଲିସ ଗିରଫ କରିଛି। ବିଳମ୍ବିତ ରାତି ଯାଏଁ ଓ କର୍ଫ୍ୟୁ ନିୟମ ଉଲଘଂନ କରି ବାର୍ ଓ ଡ୍ୟାନ୍ସ ବାର୍ ଚାଲିବା ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି।

ଉଲ୍ଲେଖ ଥାଉକି, ପ୍ରସନ୍ନ ବେହେରା ନାଁରେ ରାଜଧାନୀର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ୨୦୦୧ରେ ବାଲିଅନ୍ତା ମଦମୃତ୍ୟୁ ମାମଲାରେ ଗୁପ୍ତତଥ୍ୟ ଲିକ ଅଭିଯୋଗରେ ପୋଲିସ କେଶ ନମ୍ୱର ୨୨/୦୧ରେ ମାମଲା ରୁଜୁ କରିଥିଲା। ୨୦୦୫ରେ ଲଷ୍ମୀସାଗର ଥାନାରେ କେଶ ନମ୍ବର ୧୫୯/୦୫ ଦଫା ୨୫/୨୭ ଅସ୍ତ୍ରଶସ୍ତ୍ର ନିରୋଧ ଆଇନରେ ମାମଲା ରୁଜୁ ହୋଇଥିଲା। ସେହିପରି ୨୦୧୦ରେ ଜମିଜମା ମାମଲାରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି। ୨୦୧୨ରେ ସହିଦନଗର ୨୩୮/୧୨ରେ ମାମଲା ରୁଜୁ ହୋଇଥିଲା। ୨୦୧୯ରେ ଏକ ଟ୍ରାକ୍ଟର ଚୋରି ନେଇ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି। କେବଳ ଏତିକି ନୁହେଁ ପ୍ରସନ୍ନ ବିରୋଧୀରେ ଏକାଧିକ ମାମଲା ରହିଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। କେବଳ ନିଲମ୍ବିତ କରି କାମ ସାରି ଦେଉଥିଲା।

Leave a comment