ମୁଣ୍ଡ ନୁଆଁଇଲା ପାକିସ୍ତାନ, କଲି ଭାରତ ଫେରିବେ ଅଭିନନ୍ଦନ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତୀୟ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଗିରଫ କରି ଫସିଯାଇଛି ପାକିସ୍ତାନ । ସମଗ୍ର ବିଶ୍ବରୁ ଚାପ ପଡିବା ପରେ ନରମିଲା ପାକିସ୍ତାନ । ଆଜି ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଆସନ୍ତାକାଲି ଭାରତୀୟ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମୁକ୍ତ କରାଯିବ ବୋଲି କହିଛନ୍ତି । ଏହାସହ ଆମେ ଶାନ୍ତି ଚାହୁଁଛୁ, ତେଣୁ ଆସନ୍ତାକାଲି ଭାରତୀୟ ପାଇଲଟକୁ ଛାଡ଼ିବୁ । ଶାନ୍ତିର ପ୍ରତୀକ ଭାବେ ଆମେ ଏପରି ପଦକ୍ଷେପ ନେଇଛୁ ବୋଲି ପାକ୍ ପ୍ରଧାନମନ୍ତ୍ରୀ କହିଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ଭାରତର ମିଗ୍-୨୧ ବିମାନ ନଷ୍ଟ ହେବା ପରେ ଯୁଦ୍ଧ ବିମାନରୁ ପାରାଚୁଟରେ ପାଇଲଟ ଅଭିନନ୍ଦନ ଅବତରଣ କରିଥିଲେ । ଏହାପରେ ଅଭିନନ୍ଦନ ପାକ୍ ସେନା ହାତରେ ଧରାପଡ଼ିବାକୁ ନେଇ ପାକିସ୍ତାନ ପକ୍ଷରୁ ଏକ ଭିଡ଼ିଓ ଭାଇରଲ କରାଯାଇଥିଲା । ଏହାକୁ ନେଇ ସମଗ୍ର ବିଶ୍ବରୁ ପାକିସ୍ତାନକୁ ଅନେକ ନିନ୍ଦା ଶୁଣିବାକୁ ପଡିଥିଲା । ଶେଷରେ ଚାପରେ ପଡି ପାକିସ୍ତାନ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମୁକ୍ତ କରିବାକୁ ସହମତି ପ୍ରକଟ କରିଛି । ଅଭିନନ୍ଦନଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବାକୁ ପାକ ବିଦେଶ ମନ୍ତ୍ରାଳୟକୁ ଭାରତ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଥିଲା । ଏହି ସବୁ ଘଟଣା ମଧ୍ୟରେ ଅଭିନନ୍ଦନଙ୍କ ନିର୍ଭୀକତା ସମସ୍ତ ସେନାଙ୍କ ପାଇଁ ଉଦାହରଣ ପଲଟିବା । କାରଣ ସେ ଶତ୍ରୁ ମାନଙ୍କ ମଧ୍ୟରେ ଥାଇ ମଧ୍ୟ ତିଳେ ମାତ୍ର ବିଚଳିତ ହୋଇନଥିଲେ ଅଭିନନ୍ଦନ ।