ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା; ସୁରକ୍ଷା ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ସହ ଅଭିଜ୍ଞ ଅଧିକାରୀମାନେ ମୁତୟନ
ରାତିପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ ଶ୍ରୀକ୍ଷେତ୍ରରେ। ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ସ୍ନାନ ପୂର୍ଣ୍ଣିମା ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ସହ ଅଭିଜ୍ଞ ଅଧିକାରୀ ମାନେ ମଧ୍ୟ ମୁତୟନ ରହିବେ। ସ୍ନାନ ଯାତ୍ରା ସମୟରେ ପୋଲିସର ଭୂମିକା କିଭଳି ରହିବ ସେ ନେଇ ବରିଷ୍ଠ ପୋଲିସ ଅଧିକାରୀ ମାନେ ରିଜର୍ଭ ପୋଲିସ ଲାଇନ୍ ପଡ଼ିଆ ଠାରେ ସମସ୍ତ ବ୍ୟବସ୍ଥା ସମ୍ପର୍କରେ ବୁଝାଇବେ। ବରିଷ୍ଠ ପୋଲିସ ଅଧିକାରୀ ତଥା ଏଡିଜି ଦୟାଲ୍ ଗଙ୍ଗଓ୍ବାର, ଡାଇରେକ୍ଟର ଇଣ୍ଟେଲିଜେନ୍ସର ସୌମେନ୍ଦ୍ର ପ୍ରିୟଦର୍ଶୀ, କେନ୍ଦ୍ରାଞ୍ଚଳ ଆଇଜି ସଞ୍ଜୟ କୁମାର କୌଶଳ ଏସପି ପିନାକ ମିଶ୍ରଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି।
ସୂଚନାଯୋଗ୍ୟ ଯେ, ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ଭିତରେ, ବାହାରେ ଓ ବଡ଼ଦାଣ୍ଡରେ କଡ଼ା ସୁରକ୍ଷା ବ୍ୟବସ୍ଥା। ସୁରକ୍ଷା ଦାୟିତ୍ବରେ ୬୮ ପ୍ଲାଟୁନ ପୋଲିସ ଫୋର୍ସ, ୪ ଏସପି ରାଙ୍କ ଅଫିସର, ୧୨ ଅତିରିକ୍ତ ଏସପି, ୬୦ରୁ ଉର୍ଦ୍ଧ୍ବ ଇନ୍ସପେକ୍ଟର, ୨୯୦ ସବ ଇନସ୍ପେକ୍ଟର ମୁତୟନ ହେବେ। କୌଣସି ଭକ୍ତ ମହାପ୍ରଭୁଙ୍କୁ ସ୍ପର୍ଶ କରିପାରିବେ ନାହିଁ। ଭକ୍ତ ମାନେ ମାର୍କେଟ ଛକରୁ ବ୍ୟାରିକେଡ଼ ରେ ଆସି ଶ୍ରୀକୃଷ୍ଣ ସିନେମା ହଲ୍ ଦେଇ ସିଂହଦ୍ଵାରରେ ପ୍ରବେଶ କରିବେ। ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ କରିବେ ଭକ୍ତ। ଟାକେଟ ଧାରୀ ମାନେ ଦକ୍ଷିଣ ଦ୍ବାରରେ ପ୍ରବେଶ କରିପାରିବେ। ଶୃଙ୍ଖଳିତ ସ୍ନାନ ଯାତ୍ରା ପାଇଁ ପୁରୀ ବାସୀ ଓ ଭକ୍ତଙ୍କ ସହଯୋଗ ଲୋଡିଲା ପୁରୀ ପୋଲିସ।