ଟୋକିଓ ପାରାଲିମ୍ପିକ୍ସ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିଣିଲେ ସୁହାସ ଯତିରାଜ

ଜାପାନର ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ କ୍ରୀଡ଼ାରେ ଆଜି ଆୟୋଜିତ ‘ପୁରୁଷ ସିଙ୍ଗ୍ଲ୍ସ୍ ଏସ୍ଏଲ୍୪’ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତା ଫାଇନାଲ୍ରେ ଫ୍ରାନ୍ସ୍ର ଲ୍ୟୁକାସ୍ ମାଜୁର୍ଙ୍କ ନିକଟରେ ପରାସ୍ତ ହୋଇ ଭାରତୀୟ ବ୍ୟାଡ୍ମିଣ୍ଟନ୍ ଖେଳାଳି ସୁହାସ ଯତିରାଜ ରୌପ୍ୟ ପଦକ ହାସଲ କରିଛନ୍ତି।
ଯତିରାଜ ମାଜୁର୍ଙ୍କ ଠାରୁ ୨୧-୧୫, ୧୭-୨୧, ୧୫-୨୧ରେ ପରାସ୍ତ ହୋଇଛନ୍ତି। ଯତିରାଜ ପାଇଥିବା ପଦକକୁ ମିଶାଇ ଏଯାବତ୍ ପାରାଲିମ୍ପିକ୍ କ୍ରୀଡ଼ାରେ ଭାରତ ସମୁଦାୟ ୧୮ଟି ପଦକ ହାସଲ କରିଛି। ଏଥିରେ ରହିଛି ୪ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଏବଂ ୬ଟି କାଂସ୍ୟ ପଦକ।
ଗତକାଲି ସୁହାସ ପ୍ରଥମ ସେମିଫାଇନାଲ୍ରେ ମାତ୍ର ୩୧ ମିନିଟ୍ ସମୟ ମଧ୍ୟରେ ଇଣ୍ଡୋନେସିଆର ଫ୍ରେଡି ସେତିଆୱାନ୍ଙ୍କୁ ୨୧-୯, ୨୧-୧୫ରେ ହରାଇ ଦେଇଥିଲେ। ଏହାକୁ ମିଶାଇ ପାରାଲିମ୍ପିକ୍ସ୍ରେ ଆୟୋଜିତ ‘ଏସ୍ଏଲ୍୪ ବର୍ଗ’ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ସମ୍ପ୍ରତି ବିଶ୍ବର ୩ ନମ୍ବର ଖେଳାଳି ମାନ୍ୟତାପ୍ରାପ୍ତ ସୁହାସ ୩ଟି ମ୍ୟାଚ୍ଖେଳିଛନ୍ତି।
୨୦୧୬ରେ ବେଜିଙ୍ଗ୍ରେ ଆୟୋଜିତ ‘ଏସିଆନ୍ ଚାମ୍ପିଅନ୍ସିପ୍’ରେ ଅଂଶ ଗ୍ରହଣ କରି ସେ ସ୍ବର୍ଣ୍ଣ ପଦକ ହାସଲ କରିବାରେ ଥିଲେ ପ୍ରଥମ ଅଣ-ପାହ୍ୟା ଖେଳାଳି। ଏହା ବ୍ୟତିରେକେ, ୨୦୧୭ ଏବଂ ୨୦୧୯ରେ ‘ବିଡବ୍ଲୁଏଫ୍ ତୁର୍କୀସ୍ ଚାମ୍ପିଅନ୍ସିପ୍’ରେ ସ୍ବର୍ଣ୍ଣ ପଦକ ପାଇବା ସହ ୨୦୨୦ରେ ବ୍ରାଜିଲ୍ରେ ସ୍ବର୍ଣ୍ଣ ପଦକ ପାଇଥିଲେ।
କମ୍ପ୍ୟୁଟର୍ ଇଞ୍ଜିନିୟର୍ ଡିଗ୍ରିଧାରୀ ସୁହାସ ‘ଆଇଏଏସ୍’ ଅଫିସର୍ ହେବା ପରେ ୨୦୨୦ରୁ ନଇଡ଼ାରେ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତି ପାଇଛନ୍ତି।
ସୂଚନାଯୋଗ୍ୟ, ‘ପୁରୁଷ ସିଙ୍ଗ୍ଲ୍ସ୍ ଏସ୍ଏଲ୍୪’ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର କାଂସ୍ୟ ପଦକ ମ୍ୟାଚ୍ରେ ଭାରତର ତରୁଣ ଧିଲୋଁ ଇଣ୍ଡୋନେସିଆର ଫ୍ରେଡି ସେତିଆୱାନ୍ଙ୍କ ଠାରୁ ୧୭-୨୧,୧୧-୨୧ରେ ପରାସ୍ତ ହୋଇଛନ୍ତି।