ଆଜିଠୁ ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଚଳିତ ବର୍ଷ ସେଣ୍ଟ୍ରାଲ କାଉଣ୍ଟିଂ ହେବ। ତେବେ ୩୧୩ ବ୍ଲକରେ ପ୍ରତିଦିନ ଗୋଟିଏ ଜୋନ୍ ର ଭୋଟ ଗଣତି ହେବାକୁ ଥିବା ବେଳେ, ଭଣ୍ଡାରୀପୋଖରୀ ବ୍ଲକରେ ପ୍ରତିଦିନ ୨ଟି ଜିଲ୍ଲାପରିଷଦ ଜୋନ୍ ର ଭୋଟ ଗଣତି ହେବ। ପ୍ରଥମେ ଓ୍ବାର୍ଡ ମେମ୍ବର ପ୍ରାର୍ଥୀଙ୍କ ଭୋଟ ଗଣନା ହେବ। କାଉଣ୍ଟିଂଙ୍ଗ ହଲ୍ ବାହାରେ ପ୍ରବଳ ଭିଡ଼ ହେବାର ସମ୍ଭାବନାକୁ ଦେଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏକାଥରେ ଓ୍ବାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦଙ୍କ ଭୋଟ ଗଣତି ହେବ। ସେଥିପାଇଁ ପ୍ରତି ବ୍ଲକରେ ଭୋଟ ଗଣତି ପାଇଁ ବଡ ହଲର ବ୍ୟବସ୍ଥା କରାଯାଇଛି ।

ଜିଲ୍ଲା ପରିଷଦ ଜୋନ ଓ୍ବାରୀ ଗଣତି ହେବ। ସେହି ଜୋନରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତର ଭୋଟ ଗଣତି ହେବ। ଭୋଟ ଗଣତି ପାଇଁ ଧାର୍ଯ୍ୟ ହୋଇଥିବା ସମୟର ୧୫ ମିନିଟ ପୂର୍ବରୁ ଭୋଟ ବାକ୍ସ ହଲକୁ ଆସିବ। ପ୍ରଥମେ ଓ୍ବାର୍ଡମେମ୍ବରଙ୍କ ଭୋଟ ଗଣତି ହେବ। ୩୧୩ ବ୍ଲକରେ ପ୍ରତିଦିନ ଗୋଟିଏ ଗୋଟିଏ ଜିଲ୍ଲାପରିଷଦ ଜୋନର ଗଣତି ହେବାକୁ ଥିବା ବେଳେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ପ୍ରତିଦିନ ୨ଟି ଜୋନର ଭୋଟ ଗଣତି ହେବ। ପାଞ୍ଚୋଟି ଯାକ ପର୍ଯ୍ୟୟରେ ୧ଲକ୍ଷ ୫୬ ହଜାର ୭୫୩ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ, ୩୨ହଜାର ୮୬୦ ସରପଞ୍ଚ ପ୍ରାର୍ଥୀ, ୨୭ହଜାର ୦୩୪ ସମିତି ସଭ୍ୟ ପ୍ରାର୍ଥୀ ଏବଂ ୩୩୩୯ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ ହୋଇଛି। ତିନିଦିନ ଧରି ଚାଲିବ ଭୋଟ ଗଣତି। ୨୮ ତାରିଖ ଭିତରେ ଭୋଟ ଗଣତି ସାରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ଜୋନର ଭୋଟ ଗଣତି ଶେଷ ହେବା ପରେ ଦ୍ବିତୀୟ ଜୋନର ଭୋଟ ଗଣତି ଆରମ୍ଭ ହେବ।

Leave a comment